thumbnail

ବାଲେଶ୍ବରରେ ରାତି ପାହିଲେ ନିର୍ବାଚନ, ବୁଥ ଅଭିମୁଖେ ପୋଲିଂ କର୍ମଚାରୀ - odisha election

By ETV Bharat Odisha Team

Published : May 31, 2024, 2:11 PM IST

ବାଲେଶ୍ୱର: ଆସନ୍ତାକାଲି ବାଲେଶ୍ୱରରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୋଲିଂ କର୍ମଚାରୀ କେମିତି ବୁଥରେ ପହଞ୍ଚିବେ ଏବଂ ଇଭିଏମ ସାଙ୍ଗରେ ସୁରକ୍ଷିତ ଭାବେ ନେଇକି ଯିବେ ସେନେଇ ବ୍ୟବସ୍ଥା କରାଯାଇଛି। ଇଭିଏମ ସାଙ୍ଗକୁ ମତଦାନ ପାଇଁ ସାମଗ୍ରୀ ପୋଲିଂ କର୍ମଚାରୀମାନଙ୍କୁ ବିତରଣ କରାଯାଇଛି।  ପ୍ରଥମ ଥର ପାଇଁ ନିର୍ବାଚନ ପରିଚଳନା ଦାୟିତ୍ବ ନେଇଥିବା ପୋଲିଂ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଉପଯୁକ୍ତ ତାଲିମ ପ୍ରାପ୍ତ କରି ପୋଲିଂ ପାର୍ଟି ସେମାନଙ୍କ ବୁଥ ଅଭିମୁଖେ ବାହାରିଛନ୍ତି। ବୁଥରେ ପହଁଚିବା ପରେ ସେମାନଙ୍କ ପାଇଁ ସେଠାରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଏହାସହ କିଛି ପୋଲିଂ ପାର୍ଟି ମାନଙ୍କୁ ରିଜର୍ଭ ରଖାଯାଇଛି। ଯେଉଁମାନେ କୌଣସି ସ୍ଥାନରେ ମେସିନ ତ୍ରୁଟି ହେଲେ ତୁରନ୍ତ ସେଠାରେ ପହଞ୍ଚିବେ କିମ୍ବା କାହାର ଦେହ ଅସୁସ୍ଥ ହେଲେ ରିଜର୍ଭ ଥିବା ପୋଲିଂ କର୍ମଚାରୀ ସେମାନଙ୍କ ସ୍ଥାନରେ ଦାୟିତ୍ବ ତୁଲାଇବେ। ନିର୍ବାଚନ କର୍ତ୍ତବ୍ୟରେ ଯୋଗଦେବାପାଇଁ ଯେଉଁ ପୋଲିଂ କର୍ମଚାରୀ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ପୋଲିଂ ପାର୍ଟି ବୁଥକୁ ଯିବାପାଇଁ ଗାଡିର ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ୪ଟି ସଟଲ୍ ବସ୍ ଜିଲ୍ଲାପାଳ କ୍ୟାମ୍ପସରୁ ସିନେମା ଛକ, କଣ୍ଢେଇ ଛକ, ଆଇ.ଟି.ଆଇ ଛକ ଦେଇ ପୁନଶ୍ଚ ଜିଲ୍ଲାପାଳ କ୍ୟାମ୍ପସକୁ ପରିବହନ କରିଛି। ସେହିଭଳି ପ୍ରତି ବ୍ଲକ୍ ମୁଖ୍ୟାଳୟରୁ ୨ଟି ନିର୍ବାଚନ ସ୍ୱତନ୍ତ୍ର ବସ୍ ପୋଲିଂ ଅଧିକାରୀଙ୍କ ପରିବହନରେ ସାହାଯ୍ୟ କରିଥିଲା।

ଏହା ମଧ୍ୟ ପଢନ୍ତୁ-ରାତି ପାହିଲେ ନିର୍ବାଚନ, ବୁଥ ମୁହାଁ ପୋଲିଂ ଅଧିକାରୀ - Voting preparation

ଜିଲ୍ଲା ପ୍ରଶାସନ ପକ୍ଷରୁ 30 ତାରିଖରେ ଆଇଟିଆଇରୁ ଭୋଗରାଇ ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥକୁ ନିର୍ବାଚନ ପରିଚାଳନା ସାମଗ୍ରୀ ବିତରଣ କରାଯାଇଥିଲା। ସେହିପରି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ସଦର ନିର୍ବାଚନ ମଣ୍ଡଳୀ, ମିଶନ ପଡ଼ିଆ, ରେମୁଣା ଡିଗ୍ରୀ କଲେଜ ଏବଂ ନୀଳଗିରିରେ ବାକି 6 ଟି ନିର୍ବାଚନ ମଣ୍ଡଳୀ ପାଇଁ ବିତରଣ କାର୍ଯ୍ୟ ଚାଲିଥିଲା। ପୋଲିଂ କର୍ମଚାରୀଙ୍କ ସୁବିଧା ପାଇଁ ଏଲଇଡି ବ୍ୟବସ୍ଥା ସାଙ୍ଗକୁ ହେଲ୍ପ ଡେସ୍କ, ମେଡିକାଲ କିଟ, ଖାଇବା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଆସନ୍ତା 4 ତାରିଖ ଜିଲ୍ଲାର ଚାରୋଟି ସ୍ଥାନରେ ଭୋଟ ଗଣତି କାର୍ଯ୍ୟ ହେବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାଲେଶ୍ୱର, ବସ୍ତା ଏବଂ ରେମୁଣା ନିର୍ବାଚନ ମଣ୍ଡଳୀର ଗଣତି କରାଯିବ, ଆଇଟିଆଇରେ ଜଳେଶ୍ୱର ଏବଂ ଭୋଗରାଇର ଗଣତି ହେବ, ରେମୁଣା ଡିଗ୍ରୀ କଲେଜରେ ସୋର ଏବଂ ସିମୁଳିଆର ଗଣତି ହେବ, ନୀଳଗିରିରେ ନୀଳଗିରି ପାଇଁ ଗଣତି ହେବାର ବ୍ୟବସ୍ଥା କରାଯାଇଛି।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.