ଅଧପନ୍ତରିଆ ଅବସ୍ଥାରେ ଆପ୍ରୋଜ ବ୍ରିଜ; ଗଲାଣି 4 ଜୀବନ, ଅସନ୍ତୋଷ ସ୍ଥାନୀୟବାସୀ - Bridge Problem In Niali

By ETV Bharat Odisha Team

Published : Jun 27, 2024, 3:36 PM IST

thumbnail
ଅଧପନ୍ତରିଆ ଅବସ୍ଥାରେ ଆପ୍ରୋଜ ବ୍ରିଜ; ଗଲାଣି ଚାରି ଜୀବନ, ଅସନ୍ତୋଷ ସ୍ଥାନୀୟବାସୀ (ETV Bharat Odisha)

ନିଆଳି: ନଦୀ ଉପରେ ବ୍ରିଜ ନିର୍ମାଣ ହେବାର ଇତିମଧ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ଵ ସମୟ ଗଲାଣି । ବ୍ରିଜକୁ ସଂଯୋଗୀକରଣ ଆଉ ଏକ ଆପ୍ରୋଜ ବ୍ରିଜ ନିର୍ମାଣ ଅଧା ଗଢା ହୋଇ ପଡିରହିଛି । ଫଳରେ ଚାରି ଜଣଙ୍କର ଜୀବନ ଯିବା ସହିତ ଅନେକ ଅର୍କମଣ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଳକ ବିଳାଶୁଣି ପଞ୍ଚାୟତ ସ୍ଥିତ କୁଣ୍ଢି ମୁହଁ କନ୍ଦଳ ନଦୀ ଉପରେ ବିଜେଡି ସରକାର ଅମଳରେ ୧୫ ବର୍ଷ ତଳେ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବିଳାଶୁଣୀ ପଞ୍ଚାୟତସ୍ଥିତ କୁଣ୍ଢି ମୁହଁ କନ୍ଦଳ ନଦୀ ଉପରେ ଏହି ବ୍ରିଜ । ବ୍ରିଜ ନିର୍ମାଣ ଦ୍ବାରା ଗମନାଗମନ ସୁଗମ ହେବ । କଟକ ଜିଲ୍ଲା ଜଗତସିଂହପୁର ଜିଲ୍ଲା ବ୍ୟତିତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲାର ଲୋକେ ଏହି ବ୍ରିଜ ଦେଇ ଯାତୟାତ କରିପାରିବେ । ବିଶେଷ ଭାବରେ ବନ୍ୟା ସମୟରେ ନିଆଳି, କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହେଉଥିଲା । ବ୍ରିଜ ଦ୍ବାରା ନିଆଳି ବ୍ଳକର ଏରଞ୍ଚ,ସିଠାଳୋ, କସର୍ଦ୍ଦା,ରାଣୀଓଳା,ଏକବେରୁଆଁ,ଶଗଡାଇଲୋ ପଞ୍ଚାୟତର ବାସିନ୍ଦା ନିଆଳି ବ୍ଳକ, ତହସିଲ, ଥାନା ଏବଂ ମେଡିକାଲକୁ ଯାତାୟାତ ପାଇଁ ସୁବିଧା ସୃଷ୍ଟି ହୋଇଛି । ମାତ୍ର ସ୍ଥାନୀୟ ବାସିନ୍ଦା କହିବା କଥା କନ୍ଦଳ ନଦୀ ଉପରେ ବିଜେଡି ସରକାର ଅମଳରେ କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରିଜ ନିର୍ମାଣ ହୋଇଛି । କିନ୍ତୁ ବ୍ରିଜ ନିକଟରେ କାକଟପୁର ବ୍ରାଞ୍ଚ କେନାଲ ଉପରେ ଆଉ ଏକ ଆପ୍ରୋଜ ବ୍ରିଜ ନିର୍ମାଣ ଅଧା ଗଢା ଯୋଗୁଁ ବାରମ୍ବାର ଦୁର୍ଘଟଣା ବଢ଼ୁଛି ଲୋକଙ୍କ ଧନ ଜୀବନ କ୍ଷତି ହେଉଛି । ଏ ପର୍ଯ୍ୟନ୍ତ କାକଟପୁର ବ୍ରାଞ୍ଚ କେନାଲ ଉପରେ ବ୍ରିଜ ନିର୍ମାଣ ସରୁନଥିବା କାରଣରୁ ୧୫ ବର୍ଷ ମଧ୍ୟରେ ଚାରି ଜଣଙ୍କର ମୃତ୍ୟୁ ହେବା ସହିତ କିଏ ହାତ ହରାଇଛି ତ କିଏ ଗୋଡ ହରାଇଛି । ଏହାର ସମସ୍ୟା ସମାଧାନ ହୋଇପାରୁନାହିଁ । ଆପ୍ରୋଜ ବ୍ରିଜ ନିର୍ମାଣ ସ୍ଥାନରେ ଘରୋଇ ଜମି ଥିବା ଯୋଗୁଁ ଏପରି ସମସ୍ୟା ଉପୁଜୁଥିବା ନେଇ ଅଭିଯୋଗ ହୋଇଛି ବୋଲି କହିଛନ୍ତି ସ୍ଥାନୀୟ ଅଧିବାସୀ । ତେବେ ନିଆଳି ବିଧାୟକ ଛବି ମଲ୍ଲିକ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଅଧା ଗଢା ବ୍ରିଜ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.