କମୁଛି ନଦୀ ଜଳସ୍ତର, ଏବେ ବି ଜଳମଗ୍ନ ପୁରୀ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି - Flood Situation In Kanas

By ETV Bharat Odisha Team

Published : Aug 11, 2024, 8:21 PM IST

thumbnail
କମୁଛି ନଦୀ ଜଳସ୍ତର, ଏବେ ବି ଜଳମଗ୍ନ ପୁରୀ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି (ETV Bharat Odisha)

ନିମାପଡା: ଚାଷ ଜମିରେ ନଦୀର ଭ୍ରମ ସୃଷ୍ଟି କରୁଛି ବନ୍ୟାଜଳ । ନଦୀରେ ଜଳସ୍ତର କ୍ରମଶଃ ହ୍ରାସ ପାଇଥିଲେ ସୁଦ୍ଧା ପୁରୀ ଜିଲ୍ଲାର ସତ୍ୟବାଦୀ ଓ କଣାସ ବ୍ଲକର ଏକାଧିକ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମି ଏବେ ବି ବନ୍ୟାଜଳରେ ବୁଡି ରହିଛି । ଜମିରୁ ବନ୍ୟାଜଳ ନିଷ୍କାସନ ହୋଇ ନପାରିବା ଚାଷୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ସ୍ଥାନୀୟ ବିଧାୟକ, ଅଧିକାରୀମାନଙ୍କ ସହିତ ବନ୍ୟାଞ୍ଚଳ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ସ୍ଥିତି ଏବେ ନିୟନ୍ତ୍ରଣ ରହିଛି । 

ନିଷ୍କାସିତ ହୋଇପାରୁନି ଚାଷ ଜମିରୁ ପାଣି:-

କଣାସ ବ୍ଲକର ବିଭିନ୍ନ ନଦୀଗୁଡ଼ିକରେ ବନ୍ୟାଜଳ ହ୍ରାସ ପାଇଛି । ଦୟା, ମକରା, ରାଜୁଆ, ନଦୀରେ ଜଳସ୍ତର ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ଚାଷ ଜମିରେ ବନ୍ୟାଜଳ ଲହଡି ଭାଙ୍ଗୁଛି । କଣାସର ବଡ଼ପୁଟ, ସାନପୁଟ, ଦୋକଦା, ପାଣ୍ଡିଆ କେରା ,ଗଡ଼ବଲଭଦ୍ରପୁର ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ବିଶେଷ କରି ଗଡ଼ବଡ଼ପୁଟ, ଗଡ଼ ସାନପୁଟ ପଞ୍ଚାୟତରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଥିଲା ବେଳେ ବଡ଼ାସ, ଦୋକନ୍ଦ ,ପାଣ୍ଡିଆ କେରା,ଗଡ଼ବଳଭ୍ରଦପୁର ପଞ୍ଚାୟତର ଏକର ଏକର ଚାଷ ଜମିରେ ପନି ପରିବା ଫସଲ ନଷ୍ଟ ହୋଇଛି । ଚାଷ ଜମିରେ ସୁନାର ଫସଲ ନଷ୍ଟ ଦେଖି ଚାଷୀ ହତାଶ ହୋଇ ପଡ଼ିଥିଲା ବେଳେ ଋଣ ଭାର ଓ ପରିବାର ଭରଣ ପୋଷଣ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ । 

ବନ୍ୟାଞ୍ଚଳ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ:-

ସେପଟେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର କଣାସର ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି । କଣାସରେ ଏବେ ବନ୍ୟା ସ୍ଥିତିରେ ସୁଧାର ଆସିଛି, ଚାଷ ଜମି ଏବେ ଜଳମଗ୍ନ ରହିଛି, ଚାଷ ଜମିରୁ ବନ୍ୟାଜଳ ହ୍ରାସ ପାଇବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଅନ୍ୟପଟେ କଣାସ ନଦୀ ଗୁଡିକରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ରହିଥିବା ବେଳେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖି ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛି ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.