ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ତାତିଲେ ପରିବାର, ରାସ୍ତା ରୋକ ଉଦ୍ୟମ ବେଳେ ପୋଲିସ ସହ ବଚସା - Medical negligence in Balasore - MEDICAL NEGLIGENCE IN BALASORE
🎬 Watch Now: Feature Video
Published : Apr 27, 2024, 9:46 AM IST
Medical negligence in Balasore: ବାଲେଶ୍ୱର: ଜିଲ୍ଲାର ଏକ ଘରୋଇ ନିଦାନ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଭୁଲ ଇଞ୍ଜେକ୍ସନ ଏବଂ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ କରି ପରିବାର ଲୋକେ ବାଲେଶ୍ୱର ସହରର ଓଟି ରୋଡ଼ରେ ବସି ଆନ୍ଦୋଳନ କରିବା ସହ ନ୍ୟାୟ ପାଇଁ ଦାବି କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଉପସ୍ଥିତିରେ ଦୁଇ ପକ୍ଷ ବସି ଘଟଣା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳର ମହେଶ୍ୱର ମହାରଣା(୨୯) ନାମକ ଯୁବକଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିଲା । ଏଥିପାଇଁ ସେ ପର୍ଯ୍ୟାୟକ୍ରମେ ଏକ ଘରୋଇ ନିଦାନ କେନ୍ଦ୍ରରେ ଚିକିତ୍ସା କରାଉଥିଲେ । ଶୁକ୍ରବାର ସେ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ହଠାତ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଭୁଲ ଇଞ୍ଜେକ୍ସନ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କ ଠାରୁ ଜବରଦସ୍ତ ଏକ କାଗଜରେ ସେଠାକାର ନର୍ସମାନେ ଦସ୍ତଖତ କରାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ଦସ୍ତଖତ କରାଇବା ପାଇଁ ମୃତକଙ୍କ ମାଙ୍କୁ ହସ୍ପିଟାଲ କର୍ମଚାରୀ ଡାକ୍ତରଖାନା ବାହାରକୁ ବଳପୂର୍ବକ କାଢ଼ିଦେଇ ଭିତରୁ ଚାବି ପକାଇ ଦେଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ଓଟି ରୋଡ଼ ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ହେବା ପରେ ପୋଲିସ ସେମାନଙ୍କୁ ହଟିବା ପାଇଁ କହିଥିଲେ । ଏନେଇ ପରିବାର ଓ ପୋଲିସ ମଧ୍ୟରେ ବଚସା ହୋଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଉତ୍ତେଜନା ଲାଗି ରହିବା ପରେ ପୋଲିସ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।
ଇଟିଭି ଭାରତ, ବାଲେଶ୍ୱର