thumbnail

ଖାଁ ଖାଁ ବାଲେଶ୍ୱର ସହର, ଶୁଭୁନି ଗାଡି ମଟର ପେଁ ପାଁ ଶବ୍ଦ; ବାତ୍ୟା ଆଶ୍ରୟ ସ୍ଥଳୀରେ କୁନି ଝିଅର ପାଠ ଚିନ୍ତା

By ETV Bharat Odisha Team

Published : 3 hours ago

Updated : 2 hours ago

ବାଲେଶ୍ବର: ବାତ୍ୟା ଦାନା ପ୍ରଭାବ ଯୋଗୁଁ ଏବେ ବାଲେଶ୍ୱର ସହରରେ ପବନ ତ କମିଛି ହେଲେ ବର୍ଷା ଲାଗି ରହିଛି । ଯେଉଁଥି ପାଇଁ ସହରର ପ୍ରମୁଖ ଜନଗହଳି ରାସ୍ତା ଶୁନଶାନ । ବାତ୍ୟା ଏବଂ ଲଗାଣ ବର୍ଷା ଯୋଗୁଁ ଚାରିଆଡେ ଶୂନ୍ୟତା ଭରି ରହିଛି । ସହରର ରାସ୍ତା ଘାଟରେ ଗାଡ଼ି ମଟର ଚାଲୁ ନଥିବାବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି । ଲୋକମାନେ ଘରୁ ବାହାରୁ ନାହାନ୍ତି କିମ୍ବା ବଜାର ଘାଟରେ କାହାକୁ ଦେଖିବାକୁ ମିଳୁନି । ବାତ୍ୟା ଦାନା ପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଜଣେ କୁନି ଛାତ୍ରୀଙ୍କୁ ପାଠ ଚିନ୍ତା ଘାରିଥିବା ଦେଖିବାକୁ ମିଳିଛି । ଝଡ଼ ବାତ୍ୟା ମଧ୍ୟରେ କୁନି ଝିଅଟି ଆଖିରେ କୋଟିଏ ସ୍ବପ୍ନ ନେଇ ପାଠ ପଢୁଛି । 

ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ପ୍ରଶାସନ ପକ୍ଷରୁ ରଖା ଯାଇଥିବାବେଳେ ଚାନ୍ଦିନୀ ସୋରେନ ନାମକ ଜଣେ କୁନି ଝିଅ ବହି ବସ୍ତାନୀ ଧରି ପାଠ ପଢ଼ାରେ ମଗ୍ନଥିବା ଦେଖିବାକୁ ମିଳିଛି । ବାଲେଶ୍ବର ଟାଉନ ସ୍କୁଲରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । କୌଣସି ପରିସ୍ଥିତିରେ ବି ପିଲାଟି ନିଜର ପାଠ, ବହି ଏବଂ ଖାତା ଛଡ଼ା ଅନ୍ୟ କେଉଁଠିକି ନଜର ପକାଉ ନଥିବା ଦେଖିବାକୁ ମିଳିଛି । ସହର ଚୂନ ଭାଟିର ତଳ ସାହିରେ ଚାନ୍ଦିନୀଙ୍କ ଘର । ଟାଉନ ହଲ ପଛ ପଟେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ତୃତୀୟ ଶ୍ରେଣୀରେ ପଢୁଛନ୍ତି । ତାଙ୍କ ବାପା ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ବାପା-ମାଆଙ୍କ ସହ ସେ ଘର ଛାଡି ସ୍କୁଲରେ ଆଶ୍ରୟ ନେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ...ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

ଇଟିଭି ଭାରତ, ବାଲେଶ୍ବର

Last Updated : 2 hours ago

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.