ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ଚାରି ଯୁବକ - Car Catches Fire
🎬 Watch Now: Feature Video
Published : Jun 15, 2024, 12:36 PM IST
ରାଇରଙ୍ଗପୁର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳୁଥିବା କାରରୁ ଅଳ୍ପକେ ବର୍ତ୍ତିଗଲେ ଚାରି ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚମକପୁର ଗ୍ରାମ ନିକଟରେ । ଗତକାଲି (ଶୁକ୍ରବାର) ଏହି ଘଟଣା ଘଟିଥିଲା । ଗତକାଲି କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଏକ କାର ଯାଉଥିବା ବେଳେ ଚମକପୁର ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାକଡରେ ଥିବା ଗଛରେ ବାଡ଼େଇ ହୋଇ କାରଟି ଜଳି ଯାଇଥିଲା । ଏହି ସମୟରେ କାରରେ 4ଜଣ ଯୁବକ ବସିଥିଲେ । ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚାରି ଯୁବକ ହେଉଛନ୍ତି କରଞ୍ଜିଆ ମ୍ୟୁନିସିପାଲିଟି ଅଞ୍ଚଳର ରଞ୍ଜନ ନାଏକ, ଝରନ କୁମାର ମହାନ୍ତ, କମଳା କୃଷ୍ଣ ମହାନ୍ତ । ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପେଟ୍ରୋଲ କାର ଥିବାରୁ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ-ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଲେ 2 ଜଣ
ଇଟିଭି ଭାରତ, ରାଇରଙ୍ଗପୁର