ନୂଆ ସରକାରର ବିକାଶ ନେଇ ଆଶାବାଦୀ ବାଲେଶ୍ୱରବାସୀ - Balasore people On New Govt

By ETV Bharat Odisha Team

Published : Jun 14, 2024, 1:13 PM IST

thumbnail
ନୂଆ ସରକାରର ବିକାଶ ନେଇ ଆଶାବାଦୀ ବାଲେଶ୍ୱରବାସୀ (ETV Bharat Odisha)

ବାଲେଶ୍ୱର: ୨୪ ବର୍ଷର ସ୍ଥିର ସରକାର ପରେ ଆରମ୍ଭ ହୋଇଛି ନୂଆ ସରକାର ଯୁଗ । ଦୀର୍ଘ ୨୫ ବର୍ଷ ଧରି ବିଜେଡି ରାଜ୍ୟ ଚଳାଉଥିବା ବେଳେ ଏବେ ଶାସନର ଭାର ବିଜେପି ହାତକୁ ଯାଇଛି । ୨୫ ବର୍ଷ ମଧ୍ୟରେ ବିଜେଡି ସରକାର ଅସଂଖ୍ୟ ଯୋଜନା ସାଙ୍ଗକୁ ଅନେକ ମାଗଣା ଯୋଜନା ପ୍ରଣୟନ କରିଛି । ଏବେ କିନ୍ତୁ ନୂଆ ସରକାରର ପାଳି । ପୂର୍ବରୁ ଥିବା ଯୋଜନାରେ ପୂର୍ଣ୍ଣଛେଦ ଲଗାଯିବ ନା ସେସବୁ ସହ ନୂଆ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯିବ ତାହା ସାଧାରଣ ଲୋକଙ୍କ ମନରେ ଦ୍ଵନ୍ଦ୍ୱ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ବାଲେଶ୍ୱରବାସୀ ନୂଆ ସରକାର ପାଖରୁ କଣ ଆଶା ରଖିଛନ୍ତି, ବାଲେଶ୍ୱରରେ ପୂର୍ବରୁ ଅନେକ ବିଧାୟକ ମନ୍ତ୍ରୀପଦ ପାଇଥିବା ବେଳେ ବିଜେପିର ମନ୍ତ୍ରୀ ମଣ୍ଡଳରେ ବାଲେଶ୍ଵରର ୪ ବିଧାୟକଙ୍କ ମଧ୍ୟରୁ କେହି ବି ମନ୍ତ୍ରୀ ପଦ ନ ପାଇବା ଲୋକଙ୍କୁ ନିରାଶ କରିଛି । 

ବାଲେଶ୍ୱରରେ ବିକାଶ ତ ହୋଇଛି ହେଲେ ବିକାଶର ଧାରା ଆଗକୁ ନେବାପାଇଁ ବିଧାୟକ ଏବଂ ସାଂସଦଙ୍କ ପ୍ରଚେଷ୍ଠା ସବୁବେଳେ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ନୂଆ ସରକାର ପ୍ରତିଶୋଧ ପରାୟଣ ନ ହୋଇ ରାଜ୍ୟବାସୀ ତଥା ବାଲେଶ୍ୱରବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଯୋଜନା ପ୍ରଣୟନ କରିବାର ଆବଶ୍ୟକତା ରହିଥିବା କଥା କହିଛନ୍ତି ସାଧାରଣ ଲୋକେ । 

ଏମିତି କି ବାଲେଶ୍ଵରର ସ୍ବାସ୍ଥ୍ୟସେବା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଅନେକ ବିଭାଗର ଡାକ୍ତର ନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ରୋଗୀମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି । ଏଥିପାଇଁ ନବନିର୍ବାଚିତ ଲୋକ ପ୍ରତିନିଧିମାନେ ସ୍ବାସ୍ଥ୍ୟସେବା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏମିତି କି ବାଲେଶ୍ୱରରେ ଥିବା ଏମ୍ସ ସେଟଲାଇଟ ସେଣ୍ଟରରେ ପଞ୍ଜିକରଣ ବ୍ୟବସ୍ଥା ସୁଚାରୁ ରୁପେ କାର୍ଯ୍ୟକାରୀ କରିବା ପାଇଁ ନୂଆ ସରକାର ପାଖରେ ଦାବି କରିଛନ୍ତି ବାଲେଶ୍ୱରବାସୀ । 

ଏହା ମଧ୍ୟ ପଢନ୍ତୁ: ଛବିଙ୍କୁ ମନ୍ତ୍ରୀ ପଦ ପାଇଁ ଧରୁଛି ଜୋର, ୭୨ବର୍ଷ ଶାସନରେ ଗୋଟିଏ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛି ନିଆଳି

ଏହାସହ ଚାଷୀମାନଙ୍କ ପାଇଁ ଶୀତଳ ଭଣ୍ଡାର ଅଭାବ କାରଣରୁ ଅନେକ ସମୟରେ ସେମାନଙ୍କ କଷ୍ଟ ଉପାର୍ଜିତ ପନି ପରିବା ପଚି ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳେ । ଏଥିପାଇଁ ବାଲେଶ୍ୱରରେ ତୁରନ୍ତ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି କରାଯାଇଛି । ସାମାନ୍ୟ ବର୍ଷାରେ ବେହାଲ ହେଉଥିବା ବାଲେଶ୍ୱର ସହରରେ ମହାନାଳ ନିୟମିତ ଭାବେ କେମିତି ସଫେଇ ହେବ ସେନେଇ ନୂଆ ବିଧାୟକ ଦୃଷ୍ଟି ଦେବାକୁ ଦାବି ହୋଇଛି । ଅନ୍ୟପଟେ ରାଜ୍ୟରେ ମଦ ବନ୍ଦ ପାଇଁ ଯେଉଁ ନାରା ଦିଆଯାଉଥିଲା ତାହା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦାବି ଉଠିଛି । ଏହାରି ଭିତରେ ବାଲେଶ୍ଵରର ସାମଗ୍ରିକ ବିକାଶ ଦିଗରେ ନୂଆ ସରକାର ପ୍ରଚେଷ୍ଠା କରିବେ ବୋଲି ଆଶା ପୋଷଣ କରାଯାଇଛି । 

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.