ଲୋକଙ୍କ ପାଇଁ ବ୍ଲକ ହେବ ଉତ୍ସର୍ଗୀକୃତ, ହଟିବ ନାଳ ଜାମ ସମସ୍ୟା: ବିଧାୟକ - Balasore Mla Manas Kumar Dutta

By ETV Bharat Odisha Team

Published : Jun 27, 2024, 1:54 PM IST

thumbnail
ଲୋକଙ୍କ ପାଇଁ ବ୍ଲକ ହେବ ଉତ୍ସର୍ଗୀକୃତ, ହଟିବ ନାଳ ଜାମ ସମସ୍ୟା: ବିଧାୟକ (ETV Bharat Odisha)

ବାଲେଶ୍ଵର: ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ବିଧାୟକ ମାନସ କୁମାର ଦତ୍ତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନୂତନ ଭାବେ ନିର୍ବାଚିତ ହେବାପରେ ବିଧାୟକଙ୍କ ଏହା ପ୍ରଥମ ସମୀକ୍ଷା ବୈଠକ । ଏହି ସମୀକ୍ଷା ବୈଠକରେ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସରକାରି ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସାଧାରଣ ଲୋକମାନେ ବ୍ଲକ କାର୍ଯ୍ୟାଳୟ ପରିସରକୁ ଆସି ଯେମିତି ନିରାଶ ନ ହୁଅନ୍ତି ସେନେଇ ବିଧାୟକ ବ୍ଲକ କର୍ମଚାରିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ ଯୋଜନା କେମିତି ଉପଯୁକ୍ତ ଭାବେ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଆଲୋଚନା କରାଯାଇଛି । ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ, ଭତ୍ତା ଆଦି ପାଇଁ ଯେମିତି ଲୋକମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବାକୁ ନ ପଡିବ ସେନେଇ ଅଧିକାରୀମାନେ ଦୃଷ୍ଟି ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: ନୂଆ ସରକାରର ବିକାଶ ନେଇ ଆଶାବାଦୀ ବାଲେଶ୍ୱରବାସୀ

ବ୍ଲକ କାର୍ଯ୍ୟାଳୟକୁ କୌଣସି ବ୍ୟକ୍ତି ନିଜ କାର୍ଯ୍ୟରେ ଆସି ଯେମିତି ଖାଲି ହାତରେ ନ ଫେରିବେ ସେନେଇ ଅଧିକାରୀମାନଙ୍କୁ କୁହାଯାଇଛି । ସେହିପରି ସକାଳେ ବିଧାୟକ ଆଗାମୀ ବର୍ଷା ଋତୁକୁ ନେଇ ୱାର୍ଡରେ ଥିବା ଡ୍ରେନ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରଥମେ ବିଧାୟକ ପୋୖରାଞ୍ଚଳର ୨୪ନଂ ୱାର୍ଡ ବାରବାଟୀକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଏନେଇ ସଦର ବିଧାୟକ ଡ୍ରେନେଜ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସହର ନାଳ ଓ ମହାନାଳଗୁଡ଼ିକ କେଉଁଠି କେଉଁଠି ନାଳ ଜାମ ରହୁଛି ବର୍ଷା ଦିନ ପୂର୍ବରୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଯେଉଁ ଜାଗାରେ ଡିପିଆର ତିଆରି ହୋଇନାହିଁ ସେସବୁ ସ୍ଥାନରେ ତିଆରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏମିତି କି ଯେଉଁଠି ନୂଆ କନେକଟିଂ ନାଳ ତିଆରି ଆବଶ୍ୟକ ସେନେଇ ଟେଣ୍ଡର ଆହ୍ୱାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.