ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ମହାକାଶରେ ଅଟକି ରହିଛନ୍ତି । ଗତ ଜୁନ 5 ତାରିଖରେ ବୋଇଙ୍ଗ ଷ୍ଟାରଲିନର୍ ମହାକାଶଯାନରେ ଅନ୍ୟ ଜଣେ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS) ଯାତ୍ରା କରିଛନ୍ତି । ତେବେ ତାଙ୍କ କ୍ୟାପସୁଲରେ କିଛି ତ୍ରୁଟି ଥିବାରୁ ସେ ପୃଥିବୀ ଫେରିପାରୁନାହାନ୍ତି । ଫଳରେ 7ଦିନ ପାଇଁ ଯାଇଥିବା ସୁନୀତା ଏବେ ମହାକାଶରେ 36ଦିନ ବିତିଲାଣି । ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ବିଫଳତା ଯୋଗୁଁ ତାଙ୍କର ପୃଥିବୀକୁ ଫେରିବାରେ ବିଳମ୍ବ ହେଉଛି । ଏହାରି ମଧ୍ୟରେ ସୁନୀତା ମହାକାଶରୁ ପୃଥିବୀବାସୀଙ୍କ ପାଇଁ ବାର୍ତ୍ତା ପଠାଇଥିବା ବେଳେ ମହାକାଶ ସମ୍ପର୍କରେ ମଧ୍ୟ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି ।
କିଏ ସୁନୀତା ୱିଲିୟମ୍ସ ?
୫୯ ବର୍ଷୀୟା ସୁନୀତା ୱିଲିୟମ୍ସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ । ଏହା ତାଙ୍କର ତୃତୀୟ ମହାକାଶ ଯାତ୍ରା । ୨୦୦୬ ଡିସେମ୍ବର ୯ରେ ‘ଡିସକଭରୀ’ ମହାକାଶ ଯାନରେ ପ୍ରଥମ ଥର ପାଇଁ ସେ ମହାକାଶ ଯାତ୍ରା କରିଥିଲେ । ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ । ଏହି ସମୟରେ ସେ 4ଥର ISSରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ । ଏହାପରେ ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ । ଏହି 2 ମିଶନରେ ସେ ଜଣେ ମହିଳା ମହାକାଶଚାରୀ ଭାବରେ ମହାକାଶରେ 322 ଦିନ ରହିବାରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । 2008ରେ ଭାରତ ସରକାରଙ୍କ ଦ୍ବାରା ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ପୃଥିବୀ ଫେରିବାକୁ ନେଇ କଣ କହିଲେ ସୁନୀତା ?
ସୁନୀତା ଓ ସାଥୀ ମହାକାଶଚାରୀ ବଚ୍ଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ଯାତ୍ରା କରିବାକୁ ମାସେରୁ ଅଧିକ ହେଲାଣି । ମହାକାଶଯାନ ବୋଇଙ୍ଗ ଷ୍ଟାରଲିନର୍ରେ ଖରାପ ପରେ ମଧ୍ୟ ଉଭୟ ସୁରକ୍ଷିତ ଭାବେ ପୃଥିବୀରେ ପହଞ୍ଚିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହା ବୋଇଙ୍ଗ ଷ୍ଟାରଲିନରର ପ୍ରଥମ ଉଡ଼ାଣ ଥିବାବେଳେ ଉଭୟ ପ୍ରଥମ ମହାକାଶଚାରୀ ଭାବେ ଏଥିରେ ଯାତ୍ରା କରିଥିଲେ । ମହାକାଶରେ ସେମାନଙ୍କ ଯାତ୍ରା ବଢିବାକୁ ନେଇ ଉଭୟ ଆଦୌ ଚିନ୍ତିତ ନୁହନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ବରଂ ଷ୍ଟେସନ ପରିଚାଳକଙ୍କୁ ସାହାଯ୍ୟ କରୁଥିବାରୁ ତାଙ୍କୁ ଖୁସି ମିଳୁଥିବା ଉଭୟ କହିଛନ୍ତି । ସୁନୀତା କହିଛନ୍ତି, "ମୋ ମନ କହୁଛି ମହାକାଶଯାନଟି ଆମକୁ ସୁରକ୍ଷିତ ସହିତ ଘରକୁ ନେଇଯିବ ।"
କାହିଁକି ମହାକାଶ ଯାଇଛନ୍ତି ସୁନୀତା ?
ନାସା ଏବଂ ବୋଇଙ୍ଗ ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ (CFT) ମିଶନର ଏକ ଅଂଶ ହେଉଛନ୍ତି ସୁନୀତା ୱିଲିୟମ୍ସ । ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ ମଣିଷକୁ ନେଇ ମହାକାଶ ଯାତ୍ରା କରିଥିବା ପ୍ରଥମ ସ୍ପେଶ କ୍ୟାପସୁଲ । ନାସା ଜୁଲାଇ 2022ରେ ଏହି ମିଶନ ଆରମ୍ଭ କରିଥିବା ବେଳେ କୋରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାୟାଇଥିଲା । ଏହି ମିଶନ ସମୟରେ ଦୁଇ ମହାକାଶଚାରୀ ନୂତନ ଭାବରେ ବିକଶିତ ହୋଇଥିବା ଷ୍ଟାରଲିନର୍ ମହାକାଶଯାନକୁ, ମହାକାଶକୁ ପଠାଇବା ଏବଂ ଫେରିବା ପାଇଁ ଦାୟୀ ରହିବେ । ମଣିଷକୁ ନେଇ ମହାକାଶକୁ ଯିବା ଓ ଫେରାଇ ଆଣିବା ନେଇ ଦ୍ବିତୀୟ ମହାକାଶଯାନକୁ ସାର୍ଟିଫିକେଟ୍ କରିବାକୁ ଚାହୁଁଛି ଆମେରିକା । ଏହି ଉଦ୍ଦେଶ୍ୟରେ ସୁନୀତା ମିଶନ ପାଇଲଟ ରୂପରେ ଏହି ମିଶନରେ ସାମିଲ ହୋଇଛନ୍ତି ।
କିପରି ହୋଇଥାଏ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ?
ମହାକାଶରେ ସ୍ଥିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS) ଏକ ଘର ପରି । ଏଥିରେ 5ଟି ବେଡରୁମ, 2ଟି ବାଥରୁମ, ଗୋଟିଏ ଜିମ ଓ ଗୋଟିଏ ଝରକା ଅଛି । ଏହା ଆକାରରେ ଏକ ଫୁଟବଲ ପଡ଼ିଆ ପରି । ଏହି ମହାକାଶ ଷ୍ଟେସନରେ 6 ଜଣ ରହିପାରିବେ । ରିପୋର୍ଟ ଦେଖିଲେ, ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ 2022ରୁ ଏଯାବତ 20 ଦେଶର 258ଜଣ ମହାକାଶଚାରୀ ଯାତ୍ରା କରିସାରିଛନ୍ତି । ଏଥିରେ ସବୁଠୁ ଅଧିକ ଆମେରିକାର 158 ମହାକାଶଚାରୀ ଥିବା ବେଳେ ଋଷର 54ଜଣ ଅଛନ୍ତି ।
ଗୋଟିଏ ଦିନରେ ହୁଏ 16ଥର ସୂର୍ଯ୍ୟୋଦୟ:
ଏହି ସ୍ପେଶ ଷ୍ଟେସନ ପୃଥିବୀ ଠାରୁ ପ୍ରାୟ 400କିମି ଉପରେ ରହିଛି । ପୃଥିବୀ ଚାରିପଟେ ଏହା 28ହଜାର କିମି ବେଗରେ ଘୂରିଥାଏ । ପୃଥିବୀ ଚାରିପଟେ ପୂରା ଘୁରିବାକୁ ସ୍ପେଶ ଷ୍ଟେସନକୁ 90 ମିନିଟ ସମୟ ଲାଗିଥାଏ । ଏହାର ଅର୍ଥ ମହାକାଶଚାରୀମାନେ ସ୍ପେଶ ଷ୍ଟେସନରେ ଗୋଟିଏ ଦିନରେ 16ଥର ସୂର୍ଯ୍ୟୋଦୟ ଓ ସୁର୍ଯ୍ୟାସ୍ତ ଦେଖିଥାନ୍ତି ।
ମହାକାଶ ଷ୍ଟେସନରେ ଧିରେ ଧିରେ ବଢେ ମନୁଷ୍ୟର ବୟସ:
ମହାକାଶ ଷ୍ଟେସନକୁ ଯାଉଥିବା ମହାକାଶଚାରୀଙ୍କ ବୟସ ପୃଥିବୀ ତୁଳନାରେ କମ ବେଗରେ ବୃଦ୍ଧି ପାଇଥାଏ । ୟୁରୋପୀୟ ମହାକାଶ ଏଜେନ୍ସି ମୁତାବକ, ଏଠାରେ ସମୟର ବେଗ ଭିନ୍ନ ରହିଥାଏ । ବିଜ୍ଞାନ ଭାଷାରେ ଏହାକୁ ଟାଇମ ଡିଲେସନ ବୋଲି କୁହାଯାଏ । ଏହି କାରଣରୁ ଯଦି ଜଣେ ବ୍ୟକ୍ତି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ 16 ବର୍ଷ ପର୍ଯ୍ୟନ୍ତ ରୁହେ, ତେବେ ତାର ବୟସ ପୃଥିବୀବାସୀଙ୍କ ବୟସ ଠାରୁ 1 ସେକେଣ୍ଡ କମ ହୋଇଥାଏ ।
ଏହି ଦେଶ ପ୍ରଥମେ ନିର୍ମାଣ କରିଥିଲା ସ୍ପେଶ ଷ୍ଟେସନ:-
20 ଜୁଲାଇ 1967 ମସିହାରେ ଆମେରିକୀୟ ମହାକାଶଚାରୀ ନିଲ ଆମଷ୍ଟ୍ରଙ୍ଗ ପ୍ରଥମେ ଜହ୍ନ ଉପରେ ପାଦ ଥାପିଥିଲେ । ମହାକାଶ ଗବେଷଣା ଦୌଡ଼ରେ ଏହାରି ସହିତ ଋଷ ପଛରେ ରହିଯାଇଥିଲା । ଏହାପରେ ଆମେରିକା ଠାରୁ ଆହୁରି ଅଧିକ ସଫଳତା ହାସଲ କରିବା ଉଦ୍ଦେଶ୍ୟରେ ପୃଥିବୀର ନିମ୍ନ କକ୍ଷରେ ପୃଥିବୀଠାରୁ 400କିମି ଦୂରରେ 1971 ଏପ୍ରିଲ 19 ତାରିଖରେ ଦୁନିଆର ପ୍ରଥମ ସଲ୍ୟୁଟ-1 ସ୍ପେଶ ଷ୍ଟେସନ ସ୍ଥାପନ କରିଥିଲା । ଏହାପରେ ଆମେରିକା 14 ମେ 1973 ମସିହାରେ ପ୍ରଥମ ସ୍ପେଶ ଷ୍ଟେସନ ଲଞ୍ଚ କରିଥିଲା । ଏହାପରେ ଋଷ 20 ଫେବୃଆରୀ 1986ରେ ପ୍ରଥମ ସ୍ଥାୟୀ ସ୍ପେଶ ଷ୍ଟେସନ ମିର (MIR) ସ୍ଥାପନ କରିଥିଲା । ଏହାପରେ କାନାଡା, ଜାପାନ ଓ ୟୁରୋପର ମହାକାଶ ଗବେଷଣା ଏଜେନ୍ସି ସହ ମିଶି ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ନିର୍ମାଣ କରିଥିଲା ।