ନୂଆଦିଲ୍ଲୀ: ଭାରତୀୟ ସ୍ପେଶ୍ ସେକ୍ଟରକୁ ବୃଦ୍ଧି କରିବା ଲାଗି ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର କ୍ୟାବିନେଟ । ମୋଦି ସରକାର ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରେ ତୃତୀୟ ଲଞ୍ଚ ପ୍ୟାଡ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ଲାଗି ପ୍ରାୟ 3985 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଲଞ୍ଚ ପ୍ୟାଡ୍ ତିଆରି ହେବା ଲାଗି 48 ମାସ ଅର୍ଥାତ 4ବର୍ଷ ସମୟ ଲାଗିବ । ଏବେ ଶ୍ରୀହରିକୋଟାରେ ଦୁଇଟି ଲଞ୍ଚ ପ୍ୟାଡ୍ ରହିଛି । ତୃତୀୟ ଲଞ୍ଚ ପ୍ୟାଡ୍ ହେବା ପରେ ଇସ୍ରୋର ଆଗାମୀ ଜେନେରେସନ ଲଞ୍ଚ ଭେଇକିଲ ଓ ଷ୍ଟାଣ୍ଡବାଏ ଲଞ୍ଚ ପ୍ୟାଡ୍ ଭାବେ ଏହା ବ୍ୟବହାର ହେବ ବୋଲି ସରକାରୀ ବିବୃତ୍ତିରୁ ଜଣାପଡ଼ିଛି ।
ତୃତୀୟ ଲଞ୍ଚ ପ୍ୟାଡ୍ ପଛର ଲକ୍ଷ୍ୟ
ପ୍ରେସ ବିବୃତ୍ତି ଅନୁସାରେ, ତୃତୀୟ ଲଞ୍ଚ ପ୍ୟାଡ୍କୁ ଏପରି ଭାବରେ ଡିଜାଇନ କରାଯାଇଛି ଯାହାକି ନା କେବଳ ଭାରତ ପାଇଁ ବରଂ ବିଶ୍ବ ପାଇଁ ଅନୁକୂଳ ହେବ । ଏହାସହିତ ଏହି ଲଞ୍ଚ ପ୍ୟାଡ୍ LVAM3 ରକେଟ୍ ସହିତ NGLV (ପରବର୍ତ୍ତୀ ପିଢିର ଲଞ୍ଚ ଭେଇକିଲ)କୁ ସପୋର୍ଟ କରିପାରିବ । NGLV ହେଭିଲିଫ୍ଟ ଭେଇକିଲ ହୋଇଥିବା ବେଳେ ଆଂଶିକ ପୁନଃ ବ୍ୟବହାରଯୋଗ୍ୟ ମଧ୍ୟ । ଏହାସହିତ ଇସ୍ରୋର ମଧ୍ୟମ ଧରଣର ଲିଫ୍ଟ ଲଞ୍ଚ ଭେଇକିଲ LVM-3 ଲାଗିକୁ ମଧ୍ୟ ଏହା ସପୋର୍ଟ କରିବ । ଏହା ସର୍ବାଧିକ ଶିଳ୍ପ ଅଂଶଗ୍ରହଣ ସହିତ ପୂର୍ବ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠା କରିବା ଏବଂ ଇସ୍ରୋର ଅଭିଜ୍ଞତାକୁ ବ୍ୟବହାର କରି ଏହି ଲଞ୍ଚ ପ୍ୟାଡ୍ ସ୍ଥାପିତ ହେବ ବୋଲି ବିବୃତ୍ତିରେ କୁହାଯାଇଛି ।
The Union Cabinet, chaired by PM Shri Narendra Modi, has approved the establishment of a Third Launch Pad (TLP) at ISRO's Satish Dhawan Space Centre, Sriharikota.
— ISRO (@isro) January 16, 2025
This will support Next Generation Launch Vehicles, future human spaceflight missions and augmenting the LVM-3…
କେତେ ଟଙ୍କା ଖର୍ଚ୍ଚ ହେବ ?
ଏହି ଲଞ୍ଚ ପ୍ୟାଡ୍ ନିର୍ମାଣ ଲାଗି ମୋଟ 3984.86 କୋଟି ଟଙ୍କାର ଆବଶ୍ୟକତା ରହିଛି । ଏହି ଅର୍ଥରାଶି ଲଞ୍ଚ ପ୍ୟାଡ୍ ସହ ଅନ୍ୟ ସୁବିଧା ସ୍ଥାପନା ଦିଗରେ ମଧ୍ୟ ଖର୍ଚ୍ଚ ହେବ । ଏହି ଲଞ୍ଚ ପ୍ୟାଡ୍ ଭାରତର ମାନବ ମହାକାଶ ମିଶନ ସହିତ ଅନ୍ୟ ମହାକାଶ ସମ୍ବନ୍ଧୀୟ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ସାହାଯ୍ୟ କରିବ ।
ଏବେ ଅଛି ଦୁଇଟି ଲଞ୍ଚ ପ୍ୟାଡ୍
- ଭାରତୀୟ ସ୍ପେଶ ଏଜେନ୍ସି ଏବେ ସମ୍ପୂର୍ଣ୍ଣ ଭାବେ ଦୁଇଟି ଲଞ୍ଚ ପ୍ୟାଡ୍ ପ୍ରଥମ ଲଞ୍ଚ ପ୍ୟାଡ୍ (FLP) ଓ ଦ୍ବିତୀୟ ଲଞ୍ଚ ପ୍ୟାଡ୍ (SLP) ଉପରେ ନିର୍ଭରଶୀଳ । ଗତ 30 ବର୍ଷ ପୂର୍ବେ ନିର୍ମିତ ହୋଇଥିବା FLPରୁ PSLV ଲଞ୍ଚ ଭେଇକିଲ ସହ SSLVକୁ ମଧ୍ୟ ଲଞ୍ଚ କରାଯାଉଛି । ଏହାକୁ ପ୍ରଥମତଃ GSLV ଓ LVM3କୁ ଲଞ୍ଚ କରିବା ଲାଗି ନିର୍ମିତ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ PSLVର ଷ୍ଟାଣ୍ଡବାଏ ଭାବେ ଏହାକୁ ବ୍ୟବହାର କରାଯାଇଥିଲା ।
- ଏହାପରେ ପ୍ରାୟ 20 ବର୍ଷ ଧରି କାର୍ଯ୍ୟକ୍ଷମ ଦ୍ବିତୀୟ ଲଞ୍ଚ ପ୍ୟାଡ୍ SLPକୁ ଜାତୀୟ ମିଶନ ଯେପରିକି ଚନ୍ଦ୍ରଯାନ-3 ମିଶନ ସହିତ PSLV / LVM3ର କିଛି ବାଣିଜ୍ୟିକ ମିଶନକୁ ସକ୍ଷମ କରିବା ଦିଗରେ ଏହାକୁ ବ୍ୟବହାର କରାଯାଇଥିଲା । ଗଗନ ଯାନ ମିଶନ ପାଇଁ SLP ମାନବ ମାନ୍ୟତା ପ୍ରାପ୍ତ LVM3 ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି ।
- ଅମୃତ କାଳ ମଧ୍ୟରେ ଆସନ୍ତା 2035 ସୁଦ୍ଧା ଭାରତୀୟ ମହାକାଶ କେନ୍ଦ୍ର ସ୍ଥାପନ, 2040 ସୁଦ୍ଧା ଭାରତୀୟଙ୍କ ଚନ୍ଦ୍ର ଅବତରଣ ଲାଗି ନୂଆ ପିଢିର ଭାରି ଲଞ୍ଚ ଯାନର ଆବଶ୍ୟକତା ରହିଛି । ଏହି ଭାରି ଲଞ୍ଚ ଭେଇକିଲକୁ ଉତକ୍ଷେପଣ କରିବାର ଦକ୍ଷତା ରଖୁଥିବା ଲଞ୍ଚ ପ୍ୟାଡ୍ର ମଧ୍ୟ ଆବଶ୍ୟକତା ରହିଛି । ଏଣୁ ଏବେ ଥିବା ଦୁଇଟି ଲଞ୍ଚ ପ୍ୟାଡ୍ ଏଥିଲାଗି ସକ୍ଷମ ହୋଇନପାରନ୍ତି । ଏଥିଲାଗି ପରବର୍ତ୍ତୀ ପିଢିର ଲଞ୍ଚ ଭେଇକିଲ ଓ ଦ୍ବିତୀୟ ଲଞ୍ଚ ପ୍ୟାଡ୍ର ଷ୍ଟାଣ୍ଡବାଏ ଭାବେ ତୃତୀୟ ଲଞ୍ଚ ପ୍ୟାଡ୍ ଆବଶ୍ୟକ । ଯାହାକୁ ଆଗାମୀ 25ରୁ 30 ବର୍ଷ ଲାଗି ବ୍ୟବହାର କରାଯିବ ।