ପୁରୀ: ପ୍ରତିବର୍ଷ ନଭେମ୍ବର 19 ତାରିଖରୁ ନଭେମ୍ବର 25 ତାରିଖ ଯାଏଁ ଏକ ସପ୍ତାହ ଧରି ସାରା ବିଶ୍ଵରେ ପାଳନ ହୁଏ ବିଶ୍ଵ ଐତିହ୍ୟ ସପ୍ତାହ ତଥା ୱାର୍ଲ୍ଡ ହେରିଟେଜ୍ ୱିକ୍ । ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ପ୍ରଚାର୍ ପ୍ରସାର ପାଇଁ ପ୍ରତିବର୍ଷ ୟୁନିସ୍କୋ ପକ୍ଷରୁ ଏହି ବିଶ୍ଵ ଐତିହ୍ୟ ସପ୍ତାହ ପାଳନ କରାଯାଏ । ତେବେ ଓଡିଶାର ଗର୍ବ ଗୌରବ କୋଣାର୍କ ହେଉଛି ବିଶ୍ଵ ଐତିହ୍ୟ । ଏହାର କଳା ଭାସ୍କର୍ଯ୍ୟ ସମସ୍ତଙ୍କୁ ଚକିତ କରିଥାଏ ।
ଅତିତରେ ଓଡିଆ ଶିଳ୍ପୀମାନେ ବିନା ଆଧୁନିକ ଯନ୍ତ୍ରପାତିରେ କିଭଳି କଳା ଭାସ୍କର୍ଯ୍ୟ ନିର୍ମାଣ କରିଥିଲେ ଓ ଓଡ଼ିଶା କଳା ସ୍ଥାପତ୍ୟ କେତେ ସମୃଦ୍ଧ ଥିଲା ତାହାର ଜ୍ୱଳନ୍ତ ଉଦାହରଣ କୋଣାର୍କ । ତେବେ କୋଣାର୍କ ମନ୍ଦିରକୁ ନେଇ ରହିଛି ଅନେକ ରହସ୍ୟ ଓ ଅସମାହିତ ପ୍ରଶ୍ନ । କାହିଁକି ଏ ସୂର୍ଯ୍ୟ ମନ୍ଦିର, କେମିତି ନିର୍ମାଣ ହୋଇଛି ? କେଉଁଠୁ ଆସିଲା ପଥର, କେମିତି ଏତେ ନିଖୁଣ ହେଲା ପ୍ରସ୍ତର କାରିଗରୀ ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗବେଷକଙ୍କ ମନରେ । ଆମ ଓଡ଼ିଶାର ମଠ ମନ୍ଦିର ସବୁଠି ଲୁଚି ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟ । ଯାହା ଏବେବି ସମସ୍ତଙ୍କ ରହସ୍ୟମୟ । ଠିକ୍ ସେମିତି କୋଣାର୍କର ରହସ୍ୟ ଏବେବି ଯେମିତି ଅଭେଦ୍ୟ ହୋଇ ରହିଛି । ତେବେ ଆସନ୍ତୁ ବିଶ୍ଵ ଐତିହ୍ୟ ସପ୍ତାହ ଅବସରରେ ଜାଣିବା କୋଣାର୍କର କଣ ରହିଛି ସେହି ରହସ୍ୟମୟ ଇତିହାସ ଓ କିମ୍ବଦନ୍ତୀ ।
Konark Sun Temple: A UNESCO World Heritage Site, the temple stands as a magnificent testament to human creativity & devotion
— Ministry of Culture (@MinOfCultureGoI) November 20, 2024
📍Puri, Odisha
To get featured tag us in your picture/video and use #BharatFromMyLens in the caption.
IC: yashbhardwajj_ (Instagram) pic.twitter.com/Oz9PGUzSuq
ଏହା ବି ପଢନ୍ତୁ- କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ୧୪ ଦେଶର ରାଷ୍ଟ୍ରଦୂତ
କୋଣାର୍କର ବିଶେଷତ୍ଵ-
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ହେଇଥିବା ବେଳେ ଏହା ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଏହା ମଧ୍ୟ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
କୋଣାର୍କ ମନ୍ଦିର ନିର୍ମାଣ ରେ ମୁଖ୍ୟତଃ ତିନିପ୍ରକାରର ପଥର ବ୍ୟବହାର କରାଯାଇଥିଲା । ମୁଗୁନି ପଥର ବ୍ୟବହୃତ ହୋଇଥିଲା ବିଗ୍ରହ ଗଠନରେ, ଦେବ ସିଂହାସନରେ ଓ ଦୁଆର ବନ୍ଧରେ । ଲାଟେରାଇଟ ଶିଳା ବ୍ୟବହୃତ ହୋଇଥିଲା ବେଦୀତଳେ, ସୋପାନଶ୍ରେଣୀରେ ଓ କାନ୍ଥର କିଛି ଅଂଶରେ । ଖୋଣ୍ଡାଲାଇଟ ଶିଳାରେ ଏହା ବାକି ଜାଗାରେ ଉପଯୋଗ କରାଯାଇଥିଲା ।
ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ବିଶାଳ ସିଂହ । ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିରଟି ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି । ମନ୍ଦିରର ସବୁ ଠାରେ ବିବିଧ ଫୁଲ ଓ ଜ୍ୟାମିତିକ ଢାଞ୍ଚାର ନମୁନା ଦେଖିବାକୁ ମିଳେ । ଏହାଛଡ଼ା ଅନେକ ପ୍ରକାରର ଦେବଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର ସଙ୍ଗୀତ ଶିଳ୍ପୀ, ନଟ, ନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ, ଯୁଦ୍ଧ ଓ ଶିକାର ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ । ତା’ ସହିତ କେତେ ଜାତିର ପଶୁ-ପକ୍ଷୀ, ପାଖାପାଖି ଦୁଇହଜାର ଆକର୍ଷକ ଓ ଜିଅଁନ୍ତା ଦିଶୁଥିବା ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଅଳଂକୃତ ଓ ସମ୍ଭ୍ରାନ୍ତ ଓଡ଼ିଆ ସ୍ଥାପତ୍ୟର ଅନେକ କମକୁଟ ଦର୍ଶକକୁ ବିମୋହିତ କରିବା ସହିତ ଏହାର ସଜୀବ ଚିତ୍ରଣ ଏହି ମନ୍ଦିରକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ।
ଧ୍ୱଂସର ମୂଳକାରଣ କଳାପାହାଡ଼ଦ୍ୱାରା ଆକ୍ରମଣ ବୋଲି ଉଲ୍ଲେଖ ରହିଛି । କଳାପାହାଡ଼ ବଙ୍ଗୀୟ ସୁଲତାନ ସୁଲେମାନ କରାଣୀଙ୍କ ସେନାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । କଳା ପାହାଡ଼ ପ୍ରଥମେ ହିନ୍ଦୁ ଓ ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଉଲ୍ଲେଖ ହୋଇଛି ଯେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରି କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ । ମାଦଳାପାଞ୍ଜିରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ କେମିତି ଓଡ଼ିଶା ଆକ୍ରମଣ କରିଥିବା ବର୍ଣ୍ଣନା କରାଯାଇଛି । କୌଣସି ଉପାୟରେ ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୂରା ଦେଉଳଟି ଭାଙ୍ଗିପଡ଼ିଲା । ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିବା ଉଲ୍ଲେଖ ହୋଇଛି ।
୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜୁତି ସମୟରେ କୋଣାର୍କର ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି ସ୍ଥାନାନ୍ତରଣ କରାଯିବା ପରେ ଏଠାରେ ସୂର୍ଯ୍ୟପୂଜା ବନ୍ଦ ହୋଇଯାଇଥିଲା । ଏହା ଫଳରେ ଦେଉଳକୁ ଉଭୟ ତୀର୍ଥଯାତ୍ରୀ ସମାଗମ କମିଥିଲା । ଧିରେ ଧରେ ଜନ ସମାଗମ କମି ଯିବାରୁ ଏହା ଜଙ୍ଗଲାବୃତ ହୋଇ ରହି ଯାଇଥିଲା ।
୧୬୨୬ ଖ୍ରୀଷ୍ଟାବ୍ଦରେ ଖୋର୍ଧାର ତତ୍କାଳୀନ ରାଜା ନରସିଂହଦେବ ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ଅନ୍ୟ ଦୁଇଟି ଭ୍ରାମ୍ୟମାଣ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂର୍ତ୍ତି ସହିତ ପୁରୀକୁ ନେଇ ଯାଇଥିଲେ । ଏବେ ସେହି ମୂର୍ତ୍ତିମାନେ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି । କୋଣାର୍କ ମନ୍ଦିର ମୁଖଶାଳାରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା । ଖୋର୍ଦ୍ଧାର ତତ୍କାଳୀନ ରାଜା ଏହାକୁ ସ୍ଥାନାନ୍ତରିତ କରିଥିଲେ । ସେ ଏହାକୁ ପୁରୀ ଜଗନ୍ନାଥ ମନ୍ଦିରରରେ ଖଞ୍ଜିଥିଲେ । ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢ଼ାର କିଛି ଅଂଶ କୋଣାର୍କରୁ ନିଆଯାଇଥିବା ପଥରରେ ତିଆରି କରାଯାଇଥିଲା । ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା । ପରେ ଏହାକୁ ମରାଠା ଶାସକମାନେ ଏକ ଅନାବଶ୍ୟକ ସଂରଚନା ବୋଲି ମନେ କରି ଭାଙ୍ଗିଦେଇଥିଲେ । ୧୭୭୯ରେ ଜଣେ ମରାଠା ସାଧୁ ଏଠାକାର ଅରୁଣ ଖମ୍ବକୁ ନେଇ ପୁରୀ ଜଗନ୍ନାଥ ମନ୍ଦିର ସିଂହଦ୍ୱାର ସାମନାରେ ସ୍ଥାପନା କରାଇଥିଲେ । ତେଣୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ କୋଣାର୍କ ମନ୍ଦିର ଧୀରେ ଧୀରେ ପରିତ୍ୟକ୍ତ ହୋଇ ଜଙ୍ଗଲ ଓ ବାଲିରେ ଲୁପ୍ତ ହୋଇ ହିଂସ୍ର ଜନ୍ତୁଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥିଲା ।
କୋଣାର୍କରେ ଥିଲା ଚୁମ୍ବକ -
ଐତିହାସିକ ତଥ୍ୟ ଅନୁଯାୟୀ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ତଥା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା। ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ । ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରା ଯାଇଥିଲା ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟମନ୍ଦିର ଦେଇ ଗର୍ଭଗୃହସ୍ଥ ମୁଖ୍ୟ ପ୍ରତିମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତିଫଳିତ ହେଉଥିଲା। ଏହା ସକାଳୁ ସକାଳୁ ଅଳ୍ପ କେଇ ମିନିଟ ପାଇଁ ଦେଖିବାକୁ ମିଳୁଥିଲା । ପରବର୍ତ୍ତୀ କାଳରେ କେନ୍ଦ୍ରରେ ଖଞ୍ଜାଯାଇଥିବା ଚୁମ୍ବକକୁ ଇଂରେଜମାନେ ବାହାର କରି ନେଇ ଯାଇଥିଲେ ।
ଆଉ ଏକ ଜନଶ୍ରୁତି ଶୁଣିବାକୁ ମିଳେ ଯେ, ଏହି ଚୁମ୍ବର ଶକ୍ତି ଏତେ ପ୍ରବଳ ଥିଲା ଯେ, ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକରେ ଥିବା କମ୍ପାସ ଏହାଦ୍ୱାରା ପ୍ରଭାବିତ ହେଉଥିଲା । ପର୍ତ୍ତୁଗୀଜମାନେ ନିଜ ଜାହାଜର ସୁରକ୍ଷା ପାଇଁ କେନ୍ଦ୍ରସ୍ଥ ଚୁମ୍ବକ ଯାହା ଦେଉଳର ଅନ୍ୟାନ୍ୟ ଚୁମ୍ବକକୁ ସନ୍ତୁଳିତ କରି ରଖିଥିଲା ତାକୁ ବାହାର କରି ନେଇ ଯିବାଦ୍ୱାରା ଭାରସାମ୍ୟ ହରାଇ ଗର୍ଭଗୃହ ଧ୍ୱଂସପ୍ରାପ୍ତ ହୋଇଯାଇଥିଲା ।
ଲୋକ କଥା ତଥା ଜନଶୃତି (ଧର୍ମପଦ)-
୧୨୩୮ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ୱ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ । ସେଥିରେ ସାତଟି ପଥର ଘୋଡ଼ା ଯୋଖା ହେଲା । ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା । ଓଡ଼ିଶାର ୧୨ବର୍ଷର ରାଜସ୍ୱ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା । ମନ୍ଦିରର ମୂଳରୁ ଚୂଳ ଯାଏଁ କାରୂକାର୍ଯ୍ୟ ପୂର୍ଣ୍ଣ ହୋଇ ତିଆରି ହେଲା । କିନ୍ତୁ କାରିଗରମାନେ ଯେତେ ଥର ମନ୍ଦିରର ଦଧିନଉତିକୁ ବସାଉଥାଆନ୍ତି ତାହା ଖସି ପଡୁଥାଏ । ମୂଖ୍ୟ କାରିଗର ବିଶୁମହାରଣା, ସେ ତାଙ୍କର ସମସ୍ତ ବୁଦ୍ଧି ବିଦ୍ୟା ଖଟାଇ ମଧ୍ୟ ପାରୁନଥାନ୍ତି । ଏଣେ ରାଜା ଅଧିର ହୋଇ ବିଶୁମହାରଣାଙ୍କୁ ଡକାଇ କହିଲେ : ମୁଁ ଆଉ ସାତ ଦିନ ସମୟ ଦେଉଛି ଏହାମଧ୍ୟରେ ଦେଉଳର ମୁଣ୍ଡି ନମାରି ପାରିଲେ ୧୨୦୦ ଶହ କାରିଗରଙ୍କ ମୁଣ୍ଡ କାଟ ହେବ। ବିଶୁ ମହାରଣା ସମସ୍ତ କାରିଗରଙ୍କୁ ରାଜାଙ୍କ ଆଦେଶ ଜଣାଏଦେଲେ । ସମସ୍ତଙ୍କ ମନରେ ଭାଲେଣି ପଡ଼ିଲା କିନ୍ତୁ କରିବେ କ'ଣ? ବିଶୁମହାରଣା ଘରୁ ଆସିବା ସମୟରେ ତାଙ୍କର ଗୋଟେ ପୁଅ ହୋଇଥିଲା । ତା ନାଁ ଥିଲା ଧରମା ତଥା ଧର୍ମପଦ। ସେ ବାପାଙ୍କୁ ଦେଖାକରିବାକୁ ଜିଦ୍ କରିବାରୁ ତା ମା ତାକୁ ତାଙ୍କଘର ବାଡ଼ିବରକୋଳି ଦେଇ ପଠେଇଥିଲେ । ଧରମା ଖୋଜି ଖୋଜି ଯାଏ ମନ୍ଦିର ପାଖରେ ପହଞ୍ଚିଲା। ୧୨ ବର୍ଷ ବିତିଯାଏଥିଲେ ମଧ୍ୟ ସେ ପୁଅକୁ କେବେ ଦେଖି ନ ଥିଲେ । ଘରର ବାଡ଼ିବରକୋଳି ଦେଖି ସେ ପୁଅକୁ ଚିହ୍ନିପାରିଲେ । ବାପାଙ୍କ ମନରେ ଉଦାସ ଦେଖି ଧରମା ସମସ୍ତ କଥା ପଚାରି ବୁଝିଲା । ରାତି ପାହିଲେ ୧୨୦୦ବଢ଼େଇଙ୍କ ମୁଣ୍ଡ କଟା ହେବ । ତା ମନ ବିକଳ ହୋଇ ଉଠିଲା, ସେ କାରିଗରୀ କୂଳର ପିଲା , ମନ୍ଦିରର ଦଧିନଉତି ବସାଇ ମୁଣ୍ଡି ମାରି ପାରିବ ବୋଲି ଧରମାର ସାହସ ହେଲା । ସେ ବାପାଙ୍କଠାରୁ ଅନୁମତି ନେଇ ମନ୍ଦିରର ଚୂଳକୁ ଉଠିଲା ଓ ରାତାରାତି ମାପଚୂପ କରି ଦଧିନଉତି ବସେଇ ଦେଲା। ସକାଳହେବା ଆଗରୁ ଦେଖାଗଲା ମନ୍ଦିର କାମ ଶେଷ। ଏହା ଦେଖି ସମସ୍ତେ ଖୁସି ହେଲେ ହୋଇଗଲେ କିନ୍ତୁ ୧୨୦୦ବଢ଼େଇ ଭାବିଲେ ଯାହା ୧୨୦୦ ବଢ଼େଇ କରିପାରିଲେନି ତାହା ଜଣେ ୧୨ ବର୍ଷର ପିଲା କରିଛି ଯଦି ରାଜା ଏହା ଜାଣିଲେ ନିଶ୍ଚୟ ସମସ୍ତଙ୍କ ମୁଣ୍ଡ କାଟ ହେବ। ସମସ୍ତ ବଢ଼େଇ ଏକଥା ବିଶୁମହାରଣାଙ୍କୁ କହିଲେ, ଏହା ଶୁଣି ଧରମା ଭାବିଲା ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ତେଣୁ ନିଜର ଜୀବନ ଅପେକ୍ଷା ୧୨୦୦ ବଢ଼େଇଙ୍କ ଜୀବନ ମୁଲ୍ୟବାନ ତେଣୁ ସେ ବାପାଙ୍କୁ ବୁଝେଇ ମନ୍ଦିର ଚୂଳକୁ ଯାଇ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ି ନିଜ ଜୀବନ ଦେଇଥିଲେ।
କାହିଁକି ମିଳିଲା କୋଣାର୍କକୁ ବିଶ୍ୱ ଐତିହ୍ୟ ମାନ୍ୟତା-
ମାନବୀୟ ସୃଜନଶୀଳତାର ଅନନ୍ୟ ଉପହାର ହେଉଛି ସୂର୍ଯ୍ୟ ମନ୍ଦିର କୋଣାର୍କ। କଳାକୃତିର ଏକ ଜୀବନ୍ତ ଅନୁଭୂତି ଯାହାକୁ ନେଇ UNESCO ପକ୍ଷରୁ କୋଣାର୍କକୁ ମିଳିଛି ବିଶ୍ୱ ଐତିହ୍ୟର ମାନ୍ୟତା।ସୂର୍ଯ୍ୟ ମନ୍ଦିର କୋଣାର୍କର ଆକୃତି ଏକ ରଥ ସଦୃଶ ଯାହା ବିଶ୍ୱରେ ଅଦିତୀୟ।କୋଣାର୍କ ର କାରୁକାର୍ଯ୍ୟ କଳାକୃତି ଯାହାକୁ ଏକ ମାଷ୍ଟର ପିସ୍ ବୋଲି କୁହାଯାଏ । 1984 ରେ UNESCO ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ କୋଣାର୍କକୁ ବିଶ୍ୱ ଐତିହ୍ୟର ମାନ୍ୟତା ଘୋଷଣା କରାଯାଇଥିଲା।କୋଣାର୍କର ରକ୍ଷଣାବେକ୍ଷଣ ସହ ପୁରୀରେ ପ୍ରାୟ 40 ଟି ପ୍ରକଳ୍ପ ପାଇଁ ଏଏସଆଇ କାର୍ଯ୍ୟ କରୁଛି । କୋଣାର୍କର ଲେଜର ସ୍କନିଂ ,3d କଳା ମଧ୍ୟ ଏକ ଉନ୍ମାଦନା ସୃଷ୍ଟି କରେ।
ସମୁଦ୍ରର ଲୁଣି ଅଂଶ ପବନରେ ଆସି କୋଣାର୍କ ମନ୍ଦିରରେ ଏକ ଆସ୍ତରଣ ସୃଷ୍ଟି ହେବ ଯୋଗୁ କୋଣାର୍କ ମନ୍ଦିର ନଷ୍ଟ ହେବାର ସମ୍ଭାବନା ଥାଏ ତେଣୁ ବୈଜ୍ଞାନିକ ପଦ୍ଧତିରେ ଏକ ପ୍ରଲେପ ଦିଆଯାଏ ଯାହା ଲୁଣି ଅଂଶକୁ ନଷ୍ଟ କରିଦିଏ ।
କୋଣାର୍କ ମନ୍ଦିର ଓଡ଼ିଶାର ଗୌରବ।12 ,13 ଶତାବ୍ଦୀ ରେ କୋଣାର୍କ ନିର୍ମାଣ କରାଯାଇଥିଲା । UNESCO ର ବିଶ୍ୱ ଐତିହ୍ୟ ମାନ୍ୟତା ବେଇ ଯେଉଁ ମାନଦଣ୍ଡ ରହିଛି ,ସେ ସବୁକୁ କୋଣାର୍କ ମନ୍ଦିର ପୁରାଣ କରୁଛି ତେଣୁ କୋଣାର୍କର କଳାକୃତିର ବିଶେଷତ୍ୱ କୁ ନେଇ unesco ର ମାନ୍ୟତା ପାଇଥିଲା ।
"କୋଣାର୍କର ସଂରକ୍ଷଣ ସମୟକୁ ସମୟ ASI ତଦାରଖ କରୁଛି । ଏହା ଆଗକୁ ଉତ୍ତର ପିଢ଼ି ପାଇଁ ସୁରକ୍ଷିତ ରହିବ ସେ ଦିଗକୁ ମଧ୍ୟ ଦେଖାଯାଉଛି । 2014 ପରେ ଭିନ୍ନ ପଦ୍ଧତିରେ କାର୍ଯ୍ୟ କରାଯାଉଛି । ପ୍ରପର ଟ୍ରିଟମେଣ୍ଟ କରାଯାଉଛି । ଯାହା ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ହେବାରୁ ରକ୍ଷା କରାଯାଇ ପାରିବ," ବୋଲି କହିଛନ୍ତି ଡିବି ଗଡ଼ନାୟକ, ଅଧିକ୍ଷକ, ଏଏସ ଆଇ, ଓଡ଼ିଶା ।