ଭୁବନେଶ୍ବର: ଏଣିକି ଅଗ୍ନିଶମ ବିଭାଗରେ ମହିଳାଙ୍କୁ ମିଳିବ ନିଯୁକ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ଗ୍ରିନ ସିଗ୍ନାଲ । ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ ବୋଲି ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ଓୟୁଏଟି(OUAT) ସମ୍ମିଳନୀ କକ୍ଷରେ ଆୟୋଜିତ ନିଯୁକ୍ତି ମେଳାରେ ଘୋଷଣା କରିଛନ୍ତି ।
- ଲୋକଙ୍କ ଜୀବନ ବଞ୍ଚାଇବା ମହାପୁଣ୍ୟ: ମୁଖ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘‘ଆଗାମୀ ଦିନରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ । ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ‘ଫାୟାର ଫାଇଟର’ ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ । ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇପାରିବେ । ମଣିଷ ଜୀବନ ବଞ୍ଚାଇବା ଏକ ମହାପୂଣ୍ୟ । ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ ଜୀବନ ରକ୍ଷାକରି ପୂଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେନାହିଁ । ସମାଜର ପ୍ରଶଂସା ଓ ସମ୍ମାନ ଆପଣଙ୍କ ଜୀବନର ସବୁଠାରୁ ବଡ ସଫଳତା ହେବ । ଆପଣମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସୁନାମ ରାଜ୍ୟକୁ ସୁରକ୍ଷିତ କରି ରଖିବ ।’’
ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଯୋଗଦେଇ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲି। ଅଗ୍ନିଶମ ସେବା ବିଭାଗରେ ନୂତନ କରି ନିଯୁକ୍ତି ପାଇଥିବା ସମସ୍ତ ଅଗ୍ନିଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।
— Mohan Charan Majhi (@MohanMOdisha) November 27, 2024
ଆଜି ମୋଟ ୮୨୬ ଜଣ… pic.twitter.com/um7NiJ3pxM
- ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ
ତେବେ ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ଆଗ୍ନିକ ଗାଡି ଚାଳକ ପଦବୀ ରହିଛି । ସେଥିମଧ୍ୟରୁ ଖାଲି ଥିବା ୮୨୬ ଟି ଆଗ୍ନିକ ଓ ୧୧୫ ଟି ଆଗ୍ନିକ ଗାଡିଚାଳକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ସମ୍ପୂର୍ଣ୍ଣ ପଦବୀ ସଂଖ୍ୟାର ୨୨ ଭାଗ ଗୋଟିଏ ଦିନରେ ପଦବୀ ପୂରଣ ହୋଇଛି । ତେବେ ୯୪୧ ଜଣ ନୂଆ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ବିଭାଗକୁ ସୁଦୃଢ କରିବ ଏବଂ ବିଭାଗ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପାଇଁ ଅଧିକ ସକ୍ଷମ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।
ରାଜ୍ୟରେ ଅଗ୍ନିଶମ ବାହିନୀକୁ ସୁଦୃଢ କରିବା ପାଇଁ ସରକାର ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅଗ୍ନିଶମ ବିଭାଗ ପାଇଁ ମୋଟ ୩୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିସହିତ ନିକଟରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ପଞ୍ଚଦଶ ଅର୍ଥ କମିଶନରୁ ମୋଟ ୨୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଯାହାକି ଅଗ୍ନିଶମ… pic.twitter.com/GCIXAVJJti
— Mohan Charan Majhi (@MohanMOdisha) November 27, 2024
- ଆରମ୍ଭ ହେବ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟା
ଗୃହ ବିଭାଗରେ ଖାଲିଥିବା ପଦବୀ ଓ ନୂଆ ପଦବୀ ମିଶି ପ୍ରାୟ ୧୦,୦୦୦ ପଦବୀ ଖୁବଶୀଘ୍ର ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୦ଠାରୁ ଗୃହରକ୍ଷୀ ନିଯୁକ୍ତି ବନ୍ଦ ରହିଛି । ଏବେ ପାଖାପଖି ୨୪୧୬ ଟି ପଦବୀ ଖାଲି ଅଛି । ଖୁବଶୀଘ୍ର ଏଗୁଡିକ ମଧ୍ୟ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ସରକାର ୧.୫ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ସ୍ଥିର କରିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ।
ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହର ସିଧାପ୍ରସାରଣ https://t.co/doyMDoT0NG
— Mohan Charan Majhi (@MohanMOdisha) November 27, 2024
- ‘ଉତ୍କର୍ଷ ଓଡ଼ିଶା’ ବ୍ୟାପକ ହେବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ‘ମେକ ଇନ ଓଡିଶା- ଉତ୍କର୍ଷ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି । ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ମଧ୍ୟ ଆହୁରି ନିଯୁକ୍ତି ସୁଯୋଗର ପଥ ସୃଷ୍ଟି ହେବ ।ଫଳରେ ଆଗାମି ଦିନରେ ରାଜ୍ୟରେ ନିଯୁକ୍ତିର ସୁଯୋଗ ମିଳିବ । ଯୁବପିଢି ନିଯୁକ୍ତି ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
- ମଡେଲ ହେବ ଅଗ୍ନିଶମ ବିଭାଗ
ଆଗକୁ ଓଡିଶା ଅଗ୍ନିଶମ ବିଭାଗ ଦେଶରେ ଏକ ମଡେଲ ହେବ । ସାରା ଦେଶରେ ଏକ ମଡେଲ ସଂଗଠନ ଭାବେ ବିବେଚନା କରାଯାଉଛି । ରାଜ୍ୟ ସରକାର ଅଗ୍ନିଶମ ବାହିନୀକୁ ‘ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫’ ଅନୁଯାୟୀ ପ୍ରଥମ ରେସପଣ୍ଡର ଭାବେ ଘୋଷଣା କରିଛନ୍ତି । ଯେଭଳି ପ୍ରକାର ବିପର୍ଯ୍ୟୟ ଅଥବା ଦୁର୍ଘଟଣା ଯୋଗୁଁ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ଅଗ୍ନିଶମ ବାହିନୀ ଅହରହ କାର୍ଯ୍ୟ କରୁଛି । ପ୍ରତ୍ୟେକ ଦିନ ସେମାନେ ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଜୀବନ ବଞ୍ଚାଉଛନ୍ତି । ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ସମୟରେ ଅଗ୍ନିଯୋଦ୍ଧାମାନେ ଦୁଃସାହସିକତାର ପରିଚୟ ଦେଇଥିଲେ । ଆମ ରାଜ୍ୟରେ ବର୍ତ୍ତମାନ ୩୪୬ଟି ଦମକଳ କେନ୍ଦ୍ର ଅଛି । ଅଗ୍ନିଶମ କେନ୍ଦ୍ରଗୁଡିକ ତୃଣମୂଳ ସ୍ତରରେ ଜୀବନ ରକ୍ଷା ପାଇଁ ସଦା ପ୍ରସ୍ତୁତ ରହି ତ୍ୱରିତ ସହାୟତା ଯୋଗାଉଛନ୍ତି । ଅଗ୍ନିଶମ ବାହିନୀକୁ ସୁଦୃଢ କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୩୯୪ କୋଟି ଟଙ୍କା ଏବଂ ପଞ୍ଚଦଶ ଅର୍ଥ କମିଶନରୁ ୨୦୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଅଗ୍ନିଶମ ବାହିନୀକୁ ଅଧିକ ସକ୍ଷମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି ।
ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭୁବନେଶ୍ବରରେ ସାଧାରଣ ସଭା ଓ ରୋଡ ସୋ’ ଫେରିଲା ବାଂଲାଦେଶୀ ଟେନସନ: ଆଗକୁ DG ସମ୍ମିଳନୀ, ପୋଲିସ ପାଇଁ ହେବ କି ଚ୍ୟାଲେଞ୍ଜ ? |
- ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ:
ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ବୋଧନ ଦେଇ କହିଥିଲେ,‘‘ସାହସ, ଦୟାଳୁ ମନୋଭାବ ଏବଂ ପ୍ରତିବଦ୍ଧତା ହେଉଛି ଏକ କାର୍ଯ୍ୟ ସମ୍ପାଦନ ପାଇଁ ସଠିକ ଉପାଦାନ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଅଗ୍ନିଶମ ବାହିନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଜି ଆମ ରାଜ୍ୟ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି । ସହରାଞ୍ଚଳରେ ସୁରକ୍ଷା ପାଇଁ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣରେ ଥିବା ନିୟମର ସଂଶୋଧନ କରିବାର ଆବଶ୍ୟକତା ରହିଛି । ନବନିଯୁକ୍ତ ଅଗ୍ନିଯୋଦ୍ଧାମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଆଜି ଆପଣମାନେ ସରକାରଙ୍କ ପକ୍ଷରୁ ପ୍ରଥମ ପତ୍ର ପାଇଲେ । ପ୍ରତିବର୍ଷ ଯେପରି ପ୍ରଶଂସାପତ୍ର ପାଇବେ ସେଥିପ୍ରତି ଚେଷ୍ଟା ଜାରି ରଖନ୍ତୁ ।’’
- କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅତିଥିଗଣ:-
ଏହି ରାଜ୍ୟସ୍ତରୀୟ ନିଯୁକ୍ତି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ସମେତ । ବିଧାୟକ ବାବୁ ସିଂ ଓ ଗୃହ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ , ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହି ନବନିଯୁକ୍ତ ଆଗ୍ନିକମାନଙ୍କୁ ଅନେକ ପ୍ରେରଣା ଦାୟୀ ଅଭିଭାଷଣ ରଖିଥିଲେ ।
- ଇଟିଭି ଭାରତ, ଭୁବନେଶ୍ବର