ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ଆଗାମୀ ୫ ଦିନ ଯାଏଁ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ । ଦୁଇଦିନ ଅର୍ଥାତ ୨୮ ଓ ୨୯ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ରାୟଗଡ଼ା, କଳାହାଣ୍ଡି, ଗଜପତି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ୨୪ ଜିଲ୍ଲାରେ ବିଜୁଳି ଘଡଘଡି ସହ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ଦେଇଛି ବିଭାଗ । ସେହିପରି ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ବେଳେ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ଓ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
![Heavy Rainfall In Odisha](https://etvbharatimages.akamaized.net/etvbharat/prod-images/27-06-2024/21809821_2.jpg)
ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୧୧.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୧୮୧.୬ ମିମି ବର୍ଷା ରେକର୍ଡ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ୩୯ ପ୍ରତିଶତ ରାଜ୍ୟରେ ନିଅଁଟିଆ ବର୍ଷା ରହିଛି । ତେବେ ଚଳିତ ସିଜିନରେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲା ଯେପରିକି ଗଞ୍ଜାମ, ପୁରୀ, ଭଦ୍ରକ ଏବଂ ସୁନ୍ଦରଗଡରେ ଅଧିକ ନିଅଁଟିଆ ବର୍ଷା ସହ ୨୦ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲା କୋଟପାଡ଼ରେ ୧୫୨.୦ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି କନ୍ଧମାଳର ଜି. ଉଦୟଗିରିରେ ୧୦୯.୬ ମିମି, ଭୁବନେଶ୍ବରରେ ୨୧.୩ ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୩୭.୭ ଡିଗ୍ରୀ ରେକର୍ଡ କରାଯାଇଛି।
ଇଟିଭି ଭାରତ, ଭୁବନେଶ୍ବର