ରାଇରଙ୍ଗପୁର : ଗ୍ରାମସଭା ସମୟରେ ପ୍ରଶାସନ ଓ ଗାଁ ଲୋକେ ମୁହାଁମୁହିଁ । ସୃଷ୍ଟି ହେଲା ଉତ୍ତେଜନା ମୂଳକ ପରିସ୍ଥିତି। ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମପଞ୍ଚାୟତରେ ଏଭଳି ସ୍ଥିତି ଉପୁଜିଛି । ସୂଚନା ଅନୁସାରେ, ପୁରୁଣାପାଣି ଗ୍ରାମ ପଡିଆଠାରେ ଗ୍ରାମପଞ୍ଚାୟତ ତରଫରୁ ଏକ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଏଥିରେ ପୁରୁଣାପାଣି ଗ୍ରାମପଞ୍ଚାୟତର କଣ୍ଟାବଣୀ, ଆନନ୍ଦପୁର ଓ ଦାଣ୍ଡବୋଷ ସମେତ ୧୬ ଟି ଗାଁ ର ଲୋକ ଉପସ୍ଥିତ ରହିଥିଲେ। ଶହ ଶହ ସଂଖ୍ୟାରେ ଲୋକଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହିତ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଓ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ ଗ୍ରାମସଭାରେ ଉପସ୍ଥିତ ଥିଲେ।
ଗ୍ରାମସଭା ଆରମ୍ଭ ନ ହେଉଣୁ କୌଣସି କାରଣରୁ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ରୁଙ୍ଗଟା ମେଟାଲ୍ସ କମ୍ପାନୀକୁ ସେଠାରେ ଘୋର ବିରୋଧ କରାଯାଇଥିଲା। ସୂଚନା ଅନୁସାରେ, ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ଗ୍ରାମରେ ରୁଙ୍ଗଟା ମେଟାଲ୍ସ କମ୍ପାନୀକୁ ପୂର୍ବରୁ ଅନୁମୋଦନ ମିଳିଥିବାବେଳେ କିଛି ଲୋକ ଏହାର ବିରୋଧ କରି କୋର୍ଟର ଆଶ୍ରୟ ନେଇଥିଲେ। ତେବେ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରୁଙ୍ଗଟା ମେଟାଲ୍ସ କମ୍ପାନୀର କିଛି ସମର୍ଥକ ଗ୍ରାମସଭାରେ ଲୋକଙ୍କ ପାଖରୁ ସାଦା କାଗଜରେ ଦସ୍ତଖତ ନେଉଥିଲେ। ସେ ପୁଣି ବିଡ଼ିଓ ଏବଂ ତହସିଲଦାରଙ୍କ ସମ୍ମୁଖରେ। ଏଥି ସହିତ ଗ୍ରାମସଭାରେ ଅନ୍ୟ ଗ୍ରାମର ଲୋକେ ଉପସ୍ଥିତଥିବାରୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ ।
ଏହା ମଧ୍ୟ ପଢନ୍ତୁ...ଶୁଆକାଠି ଗୁହାଲଡ଼ିହି ରେଳ ପ୍ରକଳ୍ପକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ପ୍ରାୟ ୨ ଘଣ୍ଟା କାଳ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ରୁଙ୍ଗଟା ମେଟାଲ୍ସ କମ୍ପାନୀକୁ ଘୋର ବିରୋଧ କରିବା ସହ ଉତ୍ୟକ୍ତ ଲୋକେ ବିଡ଼ିଓ ଓ ତହସିଲଦାରଙ୍କୁ ଘେରି ରହିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ରାଇରଙ୍ଗପୁର ଏସଡିପିଓ, ଆଇଆଇସି ଓ ପୋଲିସ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ପୋଲିସ କର୍ମଚାରୀମାନେ ବିଡ଼ିଓ ଓ ତହସିଲଦାରଙ୍କୁ ସୁରକ୍ଷା ପ୍ରଦାନ କରିବା ସହ କିଛି ସମୟ ପାଇଁ ଅନ୍ୟତ୍ର ନେଇ ଯାଇଥିଲେ। ସେପଟେ ଦସ୍ତଖତ ନେଉଥିବା ଦୁଇ ଜଣଙ୍କୁ ଉତ୍ୟକ୍ତ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରି ପୋଲିସ ଭ୍ୟାନ ଭିତରକୁ ନେଇଥିଲେ। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସ୍ଥିତି ନିୟନ୍ତ୍ରଣ ହେବା ପରେ ରାଇରଙ୍ଗପୁର ତହସିଲଦାର ସ୍ଥାନୀୟ ଲୋକଙ୍କ ସହିତ ରୁଙ୍ଗଟା ମେଟାଲ୍ସ କମ୍ପାନୀ ପ୍ରସଙ୍ଗରେ ଆଲୋଚନା କରିଥିଲେ। ହେଲେ ଗାଁ ଲୋକେ କମ୍ପାନୀକୁ ତୀବ୍ର ବିରୋଧ କରିବା ସହ ଗାଁରେ ପୁରାଇ ନ ଦେବାକୁ ଚେତାବନୀ ଦେଇଛନ୍ତି।
ଇଟିଭି ଭାରତ, ମୟୂରଭଞ୍ଜ