ଅନୁଗୋଳ: UPSCର ଦ୍ଵିତୀୟ ଟପ୍ପର ଅନିମେଶ ପ୍ରଧାନ ନିଜ ଜନ୍ମମାଟିକୁ ଆସିଛନ୍ତି । ରାଜ୍ୟ ପାଇଁ ଗୌରବ ଆଣିଥିବା ଅନିମେଶଙ୍କୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। ନିଜ ସ୍କୁଲଠାରୁ ଆରମ୍ଭ କରି ଜିଲ୍ଲାପାଳ, ଓ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ଶୁଭେଚ୍ଛା । UPSC ପରୀକ୍ଷା ରେଜଲ୍ଟ ବାହାରିବାର ୭ ଦିନ ପରେ ସେ ନିଜ ଜନ୍ମ ମାଟି ତାଳଚେରକୁ ଫେରିଛନ୍ତି । ପ୍ରଶାସନିକ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନରେ ରହିଥିବା ଅନିମେଶ ପ୍ରଥମେ ମା' ହିଙ୍ଗୁଳାଙ୍କୁ ଦର୍ଶନ କରି ନିଜେ ପାଠପଢିଥିବା ସ୍କୁଲରେ ପହଞ୍ଚିଥିଲେ । ସେଠାରେ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମନ୍ତ୍ର ଦେବା ସହ ଭାବ ବିହ୍ଵଳ ହୋଇପଡିଥିଲେ ।
ତାଳଚେର ଭାଲୁଗାଡ଼ିଆ ଗାଁର ସ୍ୱର୍ଗତ ପ୍ରଭାକର ପ୍ରଧାନ ଓ ମାତା ସ୍ୱର୍ଗତ ଅରୁଣାପାତ୍ରଙ୍କ ପୁଅ ଅନିମେଶ ପ୍ରଧାନ । ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଅନିମେଶ । ସୂଚନା ଅନୁସାରେ, ଅନିମେଶ ପ୍ରଥମେ ନିଜ ସ୍କୁଲ କଳିଙ୍ଗ ଡିଏଭିଠାରେ ପହଞ୍ଚିଥିଲେ । ଏଠାରେ ସେ ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ବିଦ୍ୟାଳୟର ସେ ଜଣେ ମେଧାବୀ ଛାତ୍ର ରହିଆସିଛନ୍ତି । ସେଠାରେ ପହଞ୍ଚିବା ପରେ ସ୍କୁଲ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇ ପାଛୋଟି ନିଆଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ । ଅନିମେଶ ବିଦ୍ୟାଳୟରେ ଥିବା ତାଙ୍କ ସ୍ମୃତି ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଜମାଇଥିଲେ । ଏହାସହ ତାଙ୍କ ସଫଳତା ପଛରେ ରହିଥିବା ସମସ୍ତ ପରିଶ୍ରମ ଓ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ମାର୍ଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ସଫଳତାର ମନ୍ତ୍ର ।
ବିଦ୍ୟାଳୟ ଚତୁଃପାର୍ଶ୍ୱରେ ବୁଲି ନିଜ କ୍ଲାସ ରୁମ୍ , ଖେଳ ପଡିଆ ଆଦିକୁ ଦେଖି ଛାତ୍ର ଜୀବନରେ ଥିବା ଅଭୁଲା ସ୍ମୃତି ମନେ ପକାଇଥିଲେ । ନିଜ ଅଭିଭାଷଣ ବେଳେ ଅନିମେଶ ପିଲାଟି ଦିନରୁ ସ୍କୁଲ ବେଳର ସ୍ମୃତି ମନେ ପକାଇଥିଲେ । ସାଙ୍ଗସାଥୀଙ୍କ ସହ ବସିଥିବା ସେହି ଶ୍ରେଣୀ ଗୃହର ବେଞ୍ଚରେ ବସି ବେଶ ଭାବବିହ୍ଵଳ ହୋଇପଡିଥିଲେ ଅନିମେଶ । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କଠିନ ପରିଶ୍ରମ କରି ଉଚ୍ଚ ସ୍ଥାନରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ । ଖାଲି ସେତିକି ନୁହେଁ, ଅନିମେଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି ଅନୁଗୋଳ ଜିଲ୍ଲାପାଳ ଅବଦୁଲ ଏମ ଅକତର ମଧ୍ୟ ଅନିମେଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଇଟିଭି ଭାରତ, ଅନୁଗୋଳ