ନିମାପଡ଼ା: ବିପଦରେ ଅଲିଭ ରିଡ଼ଲେ । ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରୁ ଦୁଇଟି ଟ୍ରଲର ଜବତ । ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ଟ୍ରଲର ଜବତ ସହ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି । ତଟରଖି ବାହିନୀ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆଗଡ ଜେଟି ନିକଟକୁ ଏହି ଦୁଇଟି ଟ୍ରଲରକୁ ଅଣାଯାଇଛି । ତେବେ ସମସ୍ତ ଅଟକ ମତ୍ସ୍ୟଜୀବୀଙ୍କ ବିରୋଧରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ଜବତ ଟ୍ରଲର ମଧ୍ୟରେ ବାଲେଶ୍ବର ଅଞ୍ଚଳର ଚିନ୍ମୟୀ ନାମକ ବ୍ୟକ୍ତିଙ୍କ ଟ୍ରଲର ହୋଇଥିବା ବେଳେ ପାରାଦ୍ବୀପର ମା' ବୃନ୍ଧାବତୀ ନାମକ ଟ୍ରଲର ରହିଛି । ସମୁଦ୍ର ଉପକୂଳରେ ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷିତ ଆଗମନ, ଅଣ୍ଡା ଦାନ ଏବଂ ପ୍ରଜନନ ପାଇଁ ସମୁଦ୍ର ଉପକୂଳରୁ ୫ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସେହିପରି ଦେବୀ ନଦୀ ମୁହାଣର ୧୦ କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି । ଚଳିତ ବର୍ଷ ବନ ବିଭାଗ ୧୧ଟି ଟ୍ରଲର ଜବତ କରିଥିବା ସୂଚନା ମିଳିଛି ।
ସମୁଦ୍ରରର ନିଷିଦ୍ଧାଞ୍ଚଳରେ ମାଳମାଳ ଟ୍ରଲର ଅବାଧରେ ଚଳପ୍ରଚଳ କରୁଥିବାରୁ ଟ୍ରଲର ମାଡ଼ରେ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ହେଉଥିବା ନେଇ ଅଭିଯୋଗ କରିଛନ୍ତି ପରିବେଶବିତ୍ । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ଧରିବା ପାଇଁ ମତ୍ସଜିବୀଙ୍କୁ ପ୍ରଶାସନ କଟକଣା ଜାରି କରିଥିଲେ ମଧ୍ୟ ଦୈନଦିନ ଟ୍ରଲର ଓ ଡଙ୍ଗା ଯୋଗୁଁ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ଘଟୁଛି ।
ଏହା ମଧ୍ୟ ପଢନ୍ତୁ.......ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ, ବନ୍ଧୁକ ଦେଖାଇ ଘେରିଲେ ଟ୍ରଲର ମାଫିଆ
ଏହା ମଧ୍ୟ ପଢନ୍ତୁ ...ପୁରୀ ଉପକୂଳ ସାଜିଛି ମରଣଜନ୍ତା ! ଟ୍ରଲର ମାଡ଼ରେ ଯାଉଛି ଅଲିଭ ରିଡଲେଙ୍କ ଜୀବନ
ତେବେ ପ୍ରଶାସନର ନିୟମକୁ ଖାତିର ନ କରି ଟ୍ରଲର ଦ୍ବାରା ମାଛ ମରାଯାଉଥିବା ଦେଖିବାକୁ ମିଳିଛି । ନଭେମ୍ଵର ୧ ତାରିଖ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିଥିବା ବେଳେ କିଭଳି ସମୁଦ୍ରରୁ ମାଛ ଧରା ଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ । ଦେବୀ ନଦୀ ମୁହାଣ ଓ ସମୁଦ୍ର ଠାରୁ ୨୦କିଲୋମିଟର ପରିଧି ପର୍ଯ୍ୟନ୍ତ କଟକଣା ଲାଗି ଥିବାବେଳେ କିଭଳି ଟ୍ରଲର ଦ୍ବାରା ମାଛ ମରାଯାଉଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।
ଇଟିଭି ଭାରତ, ନିମାପଡ଼ା