ଖୋର୍ଦ୍ଧା: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ପବିତ୍ର ଅକ୍ଷୟ ତୃତୀୟା ଦିନ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ସକାଶେ ରଥ କାର୍ଯ୍ୟ ଶୁଭାରମ୍ଭ ହୁଏ । ଅନୁରୂପ ଭାବେ ଖୋର୍ଦ୍ଧା ରାଉତପଡା ଗ୍ରାମର ବୁଣାକାରମାନେ ରଥଯାତ୍ରାରେ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ଅଙ୍ଗବସ୍ତ୍ର ପ୍ରସ୍ତୁତି ମଧ୍ୟ ଏହି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରିଛନ୍ତି । କେବଳ ରଥଯାତ୍ରା ପାଇଁ ନୁହେଁ ବରଂ ବର୍ଷ ତମାମ ସାତ ବାରରେ ମହାପ୍ରଭୁ ପିନ୍ଧୁଥିବା ପାଟବସ୍ତ୍ର ପ୍ରସ୍ତୁତ କରିଥାନ୍ତି ରାଉତପଡାର 20ରୁ ଊର୍ଦ୍ଧ୍ବ ବୁଣାକାର ପରିବାର । ମହାପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରି ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ପ୍ରସ୍ତୁତିରେ ଲାଗି ପଡନ୍ତି ପରିବାରର ସମସ୍ତେ ।
ତେବେ ବଡ ଦେଉଳକୁ ଯାଉଥିବା ବସ୍ତ୍ର ଗୁଡିକ ହେଲା ବାରହାତି ଗଡ଼ା, ଷୋଳହାତି ଗଡ଼ା, ବୋଇରାଣୀ, ନେତଫୁଟା, ନେତଖଣ୍ଡୁଆ, ଗଦିପେଟା, ମଲମଲ, ଶ୍ରୀମୂଖଓତା,ଟଣାଠୋସା,ଅଧରଗାମୁଛା,ନିଉଛାଳି ଗାମୁଛା, ସୂତାଫୁଟା, ପତନି, ବାରହାତି ଗଦା ବୋଇରାଣୀ ଆଦି ଶ୍ରୀଅଙ୍ଗ ବସ୍ତ୍ର ।
ଏହା ମଧ୍ୟ ପଢ଼ନ୍ତୁ...ରଥଯାତ୍ରା ନୀତି ନିର୍ଘଣ୍ଟ; ଆସିଲା ଆଜ୍ଞାମାଳ, କେଉଁଠି କେଉଁ ଗାଡି ପାଇଁ ପାର୍କିଂ ପଏଣ୍ଟ - Ratha Yatra 2024 scheduled
ସେପଟେ ଆସନ୍ତାକାଲି ବିଶ୍ୱ ନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । 9 ଦିନ ଜାତି ଧର୍ମ ବର୍ଣ୍ଣ ଭୁଲି ନିଜ ଭକ୍ତଙ୍କ ପାଇଁ ରତ୍ନ ସିଂହାସନ ଛାଡି ବଡ଼ ଦାଣ୍ଡକୁ ଆସିବେ । ବଡ ଦେଉଳର ବଡ ଦିଅଁ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ରବିବାର ଦିନ ନାଲି ରଙ୍ଗର ପାଟ ପିନ୍ଧନ୍ତି ଭାଇ-ଭଉଣୀ । ସୋମବାର ଦିନ ଧଳା, ମଙ୍ଗଳବାର ଦିନ ବାରପାଟିଆ, ବୁଧବାର ଦିନ ନୀଳ, ଗୁରୁବାର ହଳଦୀ, ଶୁକ୍ରବାର ଧଳସୁତା ଓ ଶନିବାର ଦିନ କଳା ପାଟ ପରିଧାନ କରିଥାନ୍ତି ମହାପ୍ରଭୁ । ଏସବୁ ଭିତରେ ପ୍ରତିଦିନ ବଡ଼ ସିଂହାର ବେଶରେ ମହାପ୍ରଭୁ ପରିଧାନ କରନ୍ତି ତାଙ୍କ ପ୍ରିୟ ବସ୍ତ୍ର ଗୀତଗୋବିନ୍ଦ ପାଟ । ଏହି ପାଟରେ ଗୀତଗୋବିନ୍ଦ ପଦ ଲେଖା ହୋଇଥାଏ । ଆଉ ଏହି ପାଟକୁ ବୁଣାକାରମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଥାନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା