ବଲାଙ୍ଗୀର: ମହିଳାଙ୍କୁ ଦୁଷ୍କର୍ମ ସହ ଆପତ୍ତିଜନକ ଭିଡିଓ ଭାଇରାଲ କରିବା ମାମଲାରେ ଗିରଫ ହେଲେ ଯୋଗାଣ ସହାୟକ । ଚାଉଳ ଦେବା ଆଳରେ ବଲାଙ୍ଗୀର ଆଗଲପୁର ବ୍ଲକ ଅଞ୍ଚଳର ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ ଦୁଷ୍କର୍ମ କରିଥିବା ଓ ପରେ ଭିଡିଓ ଭାଇରାଲ କରିଥିବା ନେଇ ସମ୍ପୃକ୍ତ ପୀଡିତା ଆଗଲପୁର ଥାନାରେ ଏକ ଏତଲା ଦେଇଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ଅଭିଯୁକ୍ତ ଯୋଗାଣ ସହାୟକ ଫେରାର ମାରିଥିଲେ । ଗତକାଲି (ସୋମବାର) ଅଭିଯୁକ୍ତକୁ ବଲାଙ୍ଗୀର ପୋଲିସର ଏକ ଟିମ୍ ଛତିଶଗଡରୁ ଗିରଫ କରିବାରେ ସଫଳ ହୋଇଛି । ପ୍ରାଥମିକ ଜେରା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ବଲାଙ୍ଗୀର ଏସଡିପିଓ ସୂଚନା ଦେଇଛନ୍ତି ।
- ଏତଲା ପରଠୁ ଫେରାର ଥିଲେ, ଛତିଶଗଡରୁ ବାନ୍ଧିଲା ପୋଲିସ
ବଲାଙ୍ଗୀର ‘ଏସଡିପିଓ’ ପ୍ରଦୀପ ସାହୁ କହିଛନ୍ତି,‘‘ପୀଡିତା ଜଣକ ଗତ 4 ତାରିଖରେ ଆଗଲପୁର ଥାନାରେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କ ନାମରେ ଏତଲା ଦେଇଥିଲେ । ଥାନାରେ ମାମଲା ପହଞ୍ଚିବା କଥା ଜାଣି ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଏତଲା ଆଧାରରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ରେ 186/24 ରେ ଦୁଷ୍କର୍ମ ଓ ଭିଡିଓ ଭାଇରାଲ କରିବା ନେଇ ଏକ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ଛତିଶଗଡ ଯାଇଥିଲା । ସେଠାରୁ ସେମାନେ ଅଭିଯୁକ୍ତ ଗିରିଶଙ୍କୁ ଗିରଫ କରିଛନ୍ତି । ପ୍ରାଥମିକ ଜେରା ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ଓ ଆଇନଗତ ପ୍ରକ୍ରିୟା ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’
ଅନ୍ୟପଟେ ଗତ 4 ତାରିଖରେ ପୀଡିତା ଜଣକ ଯୋଗାଣ ସହାୟକଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ମାଡ ମାରିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ସେଠାରୁ ଫେରି ମହିଳାଜଣକ ଆଗଲପୁର ଥାନାରେ ଏତଲା ଦେଇଥିଲେ । ଏହି ଘଟଣା ପରଠାରୁ ଯୋଗାଣ ସହାୟକ ବଲାଙ୍ଗୀରରୁ ଫେରାର ଥିଲେ ।
ଇଟିଭି ଭାରତ, ବଲାଙ୍ଗୀର