ଭୁବନେଶ୍ବର: ରାଜ୍ୟ ନଗର ଉନ୍ନୟନ ସଂସ୍ଥା (SUDA)ର ୨୩ତମ ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୫୫.୪୬ ଲକ୍ଷ ଟଙ୍କାର ବଜେଟ ଅନୁମୋଦନ ହୋଇଛି । ଏହାସହ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଗଭର୍ଣ୍ଣିଂ ବଡି ବୈଠକରେ ସୁଡା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଛି । ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଗୁରୁତ୍ବ ଉପରେ ଆଲୋକପାତ କରାଯାଇଛି । ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଏକ ଦୃଢ଼ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ମୁକ୍ତା ଯୋଜନା ଅଧୀନରେ ପ୍ରକଳ୍ପ କାର୍ଯ୍ୟକାରିତାରେ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ଉପରେ ଆଲୋଚନା ହୋଇଛି । ୩୦ ଜିଲ୍ଲାରେ ୧୨ଟି ଟିମ ୧୯,୭୨୦ ଗୋଷ୍ଠୀର ପ୍ରତିନିଧିତ୍ବ କରୁଥିବା ଏମଏସଜିର ୫୯,୧୬୦ ଜଣ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଓଡିଶା ସହରାଞ୍ଚଳର ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏମଏସଜି ଗୋଷ୍ଠୀ ସହଯୋଗୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ବ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗ୍ରହଣ ଉପରେ ବୈଠକରେ ଆଲୋଚନା ହୋଇଛି ।
ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ଅଛନ୍ତି ମୋଟ ୫,୧୬,୩୩୦ ଭିନ୍ନକ୍ଷମ ଭୋଟର, ଭୋଟିଂ ପାଇଁ ରହିବ ସ୍ଵତନ୍ତ୍ର ବ୍ୟବସ୍ଥା
ମୁଖ୍ୟମନ୍ତ୍ରୀଙ୍କ 5T ଆଧାର ଅନୁଯାୟୀ ଓଡ଼ିଶାରେ ସହରାଞ୍ଚଳ ରୂପାନ୍ତରରଣ ନେତୃତ୍ବ ନେବାପାଇଁ ଦାୟିତ୍ବରେ ଥିବା ସୁଡା ପ୍ରଶଂସନୀୟ ପ୍ରଦର୍ଶନ ଜାରି ରଖିଛି । ଅଂଶୀଦାରଙ୍କୁ ଏହି ଉଦ୍ଦେଶ୍ୟ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ଜାରି ରଖିଛି । ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସ୍ବତନ୍ତ୍ର ସଚିବ ଶୁଭେନ୍ଦୁ କାନୁନଗୋ, ଓଏସଡି ତଥା ସ୍ବତନ୍ତ୍ର ସଚିବ ସଞ୍ଜୟ ପରମାଣିକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଅତିରିକ୍ତ ସଚିବ ତଥା ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡାଙ୍କ ଦ୍ବାରା ସଂସ୍ଥାର ତଥ୍ୟ ଉପସ୍ଥାପିତ ହୋଇଛି । ଏହି ବୈଠକରେ ବୁଝାମଣାମୂଳକ ଏବଂ ରଣନୈତିକ ଆଲୋଚନା ହୋଇଛି । ଓଡ଼ିଶାରେ ଅଧିକ ସ୍ଥାୟୀ ଓ ଅନ୍ତର୍ଭୁକ୍ତୀ ସହରାଞ୍ଚଳ ଦିଗରେ ଅଗ୍ରସର ହେବା ସହ ସହରାଞ୍ଚଳ ବିକାଶର ଆହ୍ବାନକୁ ମୁକାବିଲା କରିବା ପାଇଁ ଏକ ସାମୂହିକ ସଂକଳ୍ପ ଉପରେ ଗୁରୁତ୍ବ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର