ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ସମ୍ମାନ ବଢାଇଲେ ସୁଚିସ୍ମିତା । ମିସ ପ୍ରି-ଟିନ ଗ୍ଲୋବାଲ ମେନ ଆଣ୍ଡ ଓମେନ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା 2024ରେ ମିସ ପ୍ରି-ଟିନ ଭାବେ ସୁବର୍ଣ୍ଣପୁରର କୁନି ଝିଅ ସୁଚିସ୍ମିତା ବିଜୟୀ ହୋଇଛନ୍ତି । ଏହି ଟାଇଟଲ ହାସଲ କରିବା ପରେ ସହରର ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି । ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି ।
ନେପାଳର କାଠମାଣ୍ଡୁଠାରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସହରର ମାଣିକେଶ୍ୱରୀ ପଡାର ମୋନୋରଞ୍ଜନ ବେହେରା ଓ ପୂଜା ବେହେରାଙ୍କ କୁନି ଝିଅ ସୁଚିସ୍ମିତା ନିଜ ପ୍ରୟାସ ଜାରି ରଖିଥିଲେ । ମହାରାଷ୍ଟ୍ରର ପୁନେ ସହରରେ ଆୟୋଜିତ ହୋଇଥିବା ମିସ ପ୍ରି-ଟିନ ଇଣ୍ଟରନେସନାଲ ପ୍ରତିଯୋଗିତାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବା ପରେ ନେପାଳରେ ହେବାକୁ ଥିବା ମିସ ପ୍ରି-ଟିନ ଓ୍ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ବେଶ ଅଭ୍ୟାସ କରୁଥିଲେ ସୁଚିସ୍ମିତା । ମିସ ପ୍ରି-ଟିନ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଇଣ୍ଡିଆରେ ସିଲେକ୍ସନ ପାଇଁ ରାଜଧାନୀ ଭୁବନେଶ୍ବରରେ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ପରେ ଜାତୀୟ ସ୍ତରରେ ମହାରାଷ୍ଟ୍ରର ସାଂଗଲେଠାରେ ହୋଇଥିବା ଚାରି ଦିନିଆ ପ୍ରତିଯୋଗିତାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ସାଂଗଲେଠାରେ ହୋଇଥିବା ପ୍ରତିଯୋଗିତାରେ ଟ୍ୟାଲେଣ୍ଟ, ୱାକିଂ ଓ ପ୍ରଶ୍ନୋତ୍ତର ବିଭାଗରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇ ମିସ ପ୍ରି-ଟିନ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଟାଇଟଲ ଜିଣିବାରେ ସକ୍ଷମ ହୋଇଥିଲେ । ସାଂଗଲେଠାରେ ହୋଇଥିବା ପ୍ରତିଯୋଗିତା ତାଙ୍କୁ ଆଗକୁ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇଥିଲା ।
ଏହାମଧ୍ୟ ପଢନ୍ତୁ.. ମିସ୍ ଟିନ ଇଣ୍ଡିଆ ବିଜୟିନୀ, ବିଦେଶରେ ନାଁ କରିବା ପାଇଁ ଜାରି ରଖିଛନ୍ତି ପ୍ରୟାସ
ସୁଚିସ୍ମିତା ଅଳ୍ପ ବୟସରୁ ନୃତ୍ୟ ଶିକ୍ଷା କରୁଥିବା ବେଳେ ଜଣେ ମଡେଲ ହେବା ପାଇଁ ତାଙ୍କ ନୃତ୍ୟ ଗୁରୁ ଗୋବିନ୍ଦ ଦାସ ତାଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ସେହିପରି ସହରର ସେଣ୍ଟ ଆନି ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ବି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ପୁରସ୍କୃତ ହୋଇଛନ୍ତି । ସହରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ବି ସେ ସଫଳ ହୋଇ ସମ୍ମାନିତ ହୋଇଛନ୍ତି ।
ସୁଚିସ୍ମିତା ଭବିଷ୍ୟତରେ ଜଣେ ସଫଳ ମଡେଲ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସୁଚିସ୍ମିତାଙ୍କ ବାପା ମାଆ ତାଙ୍କ ଏହି ଦକ୍ଷତା ପାଇଁ ନିଜକୁ ଗର୍ବ ଅନୁଭବ କରୁଥିବା ବେଳେ ତାଙ୍କୁ ବେଶ ସମର୍ଥନ କରୁଥିବା ସୁଚିସ୍ମିତା କହିଛନ୍ତି । ତେବେ ସାଂଗଲିଠାରେ ହୋଇଥିବା ପ୍ରତିଯୋଗିତାରେ ଜାତୀୟ ସ୍ତରର ଶହ ଶହ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେମାନଙ୍କୁ ପଛରେ ପକାଇ ସୁଚିସ୍ମିତା ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ସଫଳତା ହାସଲ କରି ମିସ ପ୍ରି-ଟିନ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଟାଇଟଲ ହାସଲ କରିଛନ୍ତି ।
ବିଦେଶ ମାଟିରେ ନିଜର ଦକ୍ଷତା ଦେଖାଇ ସୁବର୍ଣ୍ଣପୁର ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ସୁଚିସ୍ମିତା । ତାଙ୍କର ଏହି ସଫଳତା ପାଇଁ ନିଜର ନୃତ୍ୟ ଗୁରୁ, ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ତଥା ଗୁରୁଜନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ସହପାଠୀମାନେ ତାଙ୍କର ଏହି ସଫଳତା ପାଇଁ ବେଶ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର