ଅନୁଗୋଳ: ଅତିଷ୍ଠ କରୁଛି ସ୍ପଞ୍ଜ ଆଇରନର ପ୍ରଦ୍ୟୁଷଣ । ‘ଗଣେଶ ସ୍ପଞ୍ଜ ଆଇରନ’ କାରଖାନାର ପ୍ରଦୂଷଣ ଯୋଗୁଁ ଅତିଷ୍ଠ ହୋଇ ପଡିଛନ୍ତି ପ୍ରାୟ ୫ଟି ପଞ୍ଚାୟତର ଲୋକେ । କାରଖାନାରୁ କଳା ଗୁଣ୍ଡ ଉଡି ଘର, ଅଗଣା, ଜଳାଶୟ, ଗଛପତ୍ର ଉପରେ ପଡୁଛି । ଚାରିଆଡେ କଳା ଧୂଆଁ । କେବଳ ମଣିଷ କାହିଁକି ଗାଈଗୋରୁ ମଧ୍ୟ ରୋଗରେ ପଡୁଛନ୍ତି । ଏହାର ପ୍ରତିବାଦରେ ବେନାଗାଡ଼ିଆ ଗ୍ରାମବାସୀ ପ୍ରଦୂଷଣ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ । ସେହି ଆଧାରରେ ପ୍ରଦୂଷଣ ବିଭାଗ ଘଟଣାର ତଦନ୍ତ କରି କାରଖାନା କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛି ।
- 5 ଖଣ୍ଡ ଗାଁ କଲବଲ
ଅନୁଗୋଳ ଜିଲ୍ଲାର ପରଙ୍ଗ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁରଠାରେ ଅଛି ଗଣେଶ ସ୍ପଞ୍ଜ ଆଇରନ କାରଖାନା । କାରଖାନା ଚତୁପାର୍ଶ୍ବରେ ରହିଛି ବେଣାଗାଡ଼ିଆ, କରଡାଗାଡ଼ିଆ, ଜରାସିଂହା, ପରଙ୍ଗ ଓ ସାନକେରଜାଙ୍ଗ ଏହି ୫ଟି ପଞ୍ଚାୟତ । ତେଣୁ କାରଖାନାରୁ ନିର୍ଗତ କଳା ଧୂଆଁ ଓ କୋଇଲା ଗୁଣ୍ଡ ଯୋଗୁଁ ୫ଟି ଯାକ ପଞ୍ଚାୟତର ଲୋକ ଅତିଷ୍ଠ ହୋଇ ଗଲେଣି । କାରଖାନା କର୍ତ୍ତୃପକ୍ଷ ପ୍ରଦୂଷଣ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଆସୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନାହିଁ । ତେବେ ଏହି କାରଖାନା ବ୍ୟାପକ ପ୍ରଦୂଷଣ କରୁଥିବା ନେଇ ବେନାଗାଡ଼ିଆ ପଞ୍ଚାୟତବାସୀ ପ୍ରଦୂଷଣ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ।
- ଅଭିଯୋଗ ପରେ ତଦନ୍ତ ଆରମ୍ଭ
ଅଭିଯୋଗ ପାଇ ପ୍ରଦୂଷଣ ବିଭାଗ ଗତ ୨୦୨୪ ନଭେମ୍ବର ମାସରେ କାରଖାନାକୁ ତଦନ୍ତ କରିବାକୁ ଯାଇଥିଲେ । ତଦନ୍ତ ରିପୋର୍ଟ ଅନୁସାରେ କାରଖାନାରେ ଧୂଆଁ ରୋକିବାକୁ ଲଗାଯାଉଥିବା ଯନ୍ତ୍ର ବ୍ୟବହାର ହେଉ ନାହିଁ । ଏହାଛଡା କାରଖାନା ଭିତରେ ଓ ବାହାରେ ପ୍ରଦୂଷଣ ରୋକିବା ପାଇଁ କର୍ତ୍ତୃପକ୍ଷ ଯାହା ପଦକ୍ଷେପ ନେବା କଥା ତାହା ନେଇନାହାନ୍ତି । କାରଖାନାକୁ ସଂଯୋଗ କରୁଥିବା ପ୍ରାୟ ୨ କି.ମି ରାସ୍ତାକୁ ନିୟମ ଅନୁସାରେ କଂକ୍ରିଟ କିମ୍ବା ପିଚୁ କରିବା କଥା । କିନ୍ତୁ ରାସ୍ତାଟି ଆଦୌ ନିର୍ମାଣ କରାଯାଉନାହିଁ । ରାସ୍ତା ସାରା ବଡ଼ ବଡ଼ ଖାଲ ଓ ପଥର । ପ୍ରତିଦିନ ଶହ ଶହ ମାଲ ବୋଝେଇ ଟ୍ରକ କାରଖାନାକୁ ଯାତାୟାତ କରୁଥିବାରୁ ଧୂଳି ଉଡି ପ୍ରଦୂଷଣକୁ ବଢ଼ାଉଛି । ଏହିପରି ପ୍ରାୟ ୨୦ଟି ଦିଗ ଉପରେ ତଦନ୍ତ କରି ନିୟମ ଅନୁସାରେ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି । ତଥାପି କାରଖାନା କର୍ତ୍ତୃପକ୍ଷ ଏହାକୁ ଆଦୌ ଭ୍ରୁକ୍ଷେପ ନକରି କାରଖାନା ଚାଲୁ ରଖିଛନ୍ତି ।
- ଦୈନିକ ଜଳୁଛି 3ଶହ ଟନ୍, ଉଡୁଛି ପାଉଁସ
ସ୍ପଞ୍ଜ ଆଇରନ କାରଖାନା ସବୁଠାରୁ ଅଧିକ ପ୍ରଦୂଷଣ କରେ । ତେଣୁ ଏହି କାରଖାନା ଚଳାଇବା ପାଇଁ କଠୋର ନିୟମ ରହିଛି । କିନ୍ତୁ ସବୁ ନିୟମକୁ ଫୁ’ କରି ଦେଇଛନ୍ତି କାରଖାନା କର୍ତ୍ତୃପକ୍ଷ । ଏହି କାରଖାନାରେ ଦୈନିକ ପ୍ରାୟ ୨୫୦ଟନ ସ୍ପଞ୍ଜ ଆଇରନ ଉତ୍ପାଦନ ହୁଏ । ଏଥିପାଇଁ ଦୈନିକ ୩୦୦ଟନ କୋଇଲା ଦହନ ହୁଏ । ସେଥିରୁ ଯେଉଁ ପାଉଁଶ ବାହାରେ ସେହି ସଠିକ ପରିଚାଳନା କରାଯିବା କଥା। କିନ୍ତୁ କର୍ତ୍ତୃପକ୍ଷ ଖୋଲା ଜାଗାରେ କୋଇଲା ପାଉଁଶ ପକାଉଛନ୍ତି। ଫଳରେ ପାହାଡ଼ ପରି ଗଦା ହୋଇ ରହିଛି। ପବନରେ ଉଡି ଚାରିଆଡେ ପଡୁଛି। ଆଖପାଖ ଗାଁରେ ଗଛପତ୍ର ସବୁ କଳା ରଙ୍ଗ ଦେଖା ଯାଉଛି। ପତ୍ର ଉପରେ କଳା ପାଉଁଶ ଆସ୍ତରଣ । ପୋଖରୀ ଓ ନାଳ ପାଣିରେ ଆସ୍ତରଣ । ନିକଟରେ ଥିବା ଡେରଜାଙ୍ଗ ଜଳ ସେଚନ ପ୍ରକଳ୍ପରୁ ଅନୁଗୁଳ ସହରକୁ ପାନୀୟ ଜଳ ଯୋଗାଣ ହେଉଛି ।
ଶହ ଶହ ହେକ୍ଟର ଚାଷ ଜମିରେ ଜଳ ସେଚନ କରାଯାଉଛି । କିନ୍ତୁ କାରଖାନାରୁ କୋଇଲା ଗୁଣ୍ଡ ପଡି ସେହି ପାଣି ମଧ୍ୟ ଦୂଷିତ ହେଉଛି । ଗାଁ ଗଣ୍ଡାର ପୋଖରୀରେ ମାଛ ମରିଯାଉଛନ୍ତି । ପ୍ରଦୂଷଣ ନିୟମ ଅନୁସାରେ ଦୈନିକ ୧୦୦ଟନ କୋଇଲା ଦହନ ହେଉଥିଲେ କୋଇଲା ପାଉଁଶ ପରିଚାଳନା ନିମନ୍ତେ ୧୦ ବର୍ଷ ପାଇଁ ୧୦ ଏକର ଜାଗା ଆବଶ୍ୟକ । ସେହି ହିସାବରେ ଏହି କାରଖାନାରେ ୩୦୦ ଟନ କୋଇଲା ଦହନ ହେଉଥିବାରୁ ୩୦ ଏକର ସ୍ଥାନ ଆବଶ୍ୟକ । କିନ୍ତୁ କାରଖାନା ଓ କୋଇଲା ଡ଼ମ୍ପିଙ୍ଗ ୟାଡ଼କୁ ମିଶାଇ ମାତ୍ର ୨୪ ଏକର ଜାଗା ଅଛି। ଖୋଲାରେ କୋଇଲା ପାଉଁଶ ରଖା ଯାଉଥିବା ବେଳେ ନା ଅଛି ପାଚେରୀ ନା ବର୍ଷା ଦିନେ କଳା ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା। ତଥାପି ଦୀର୍ଘ ୧୯ବର୍ଷ ହେଲା କେମିତି ଚାଲିଛି କାରଖାନା ତାହାକୁ ନେଇ ଉଠିଛି ପ୍ରଶ୍ନ ।
ଇଟିଭି ଭାରତ, ଅନୁଗୋଳ