ଭୁବନେଶ୍ବର: ଓଡି଼ଶା ବିକାଶର ସାଥୀ ହେବ ସିଙ୍ଗାପୁର । ମେକ ଇନ ଓଡି଼ଶା-2025ର ପ୍ରଥମ କଣ୍ଟ୍ରି ପାର୍ଟନର ହେବ ସିଙ୍ଗାପୁର । ତେଣୁ ଆସନ୍ତା ଜାନୁଆରୀ ମାସରେ ଓଡି଼ଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥରମନ ଶାନମୁଗରଟନମ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ରାଷ୍ଟ୍ରଦୂତ ସିମନ ୱଙ୍ଗ ୱାଇ କୌନ ।
ଜାନୁଆରୀରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା :
ଜାନୁଆରୀରେ ମେକ ଇନ ଓଡ଼ିଶା-2025 । ଏହା ପୂର୍ବରୁ ଦେଶ ତଥା ବିଦେଶ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଓଡି଼ଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଦିଲ୍ଲୀ ଓ ମୁମ୍ବାଇ ପରେ ଗତମାସରେ ସିଙ୍ଗାପୁର ଗସ୍ତରେ ଯାଇଥିଲା ଓଡ଼ିଶା ଟିମ । ଓଡି଼ଶା ପ୍ରତିନିଧି ଦଳ ସିଙ୍ଗାପୁର ସରକାରଙ୍କ ମନ୍ତ୍ରୀ ଓ ବିଭିନ୍ନ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତର ମାସକ ମଧ୍ୟରେ ଏକ ସକରାତ୍ମକ ଖବର ସାମ୍ନାକୁ ଆସିଛି । ସିଙ୍ଗାପୁର 'ମେକ ଇନ ଓଡିଶା 2025'ର ପ୍ରଥମ କଣ୍ଟ୍ରି ପାର୍ଟନର ହେବ ବୋଲି ସୂଚନା ମିଳିଛି । ଓଡି଼ଶାରେ ନିବେଶ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ସିଙ୍ଗାପୁର ଇଚ୍ଛା ପ୍ରକାଶ କରିଛି । ଏହି କ୍ରମରେ ଜାନୁଆରୀରେ ଭାରତ ଗସ୍ତରେ ଆସୁଥିବା ସିଙ୍ଗାପୁର ରାଷ୍ଟ୍ରପତି ଥରମନ ଶାନମୁଗରଟନମ ଓଡି଼ଶା ଆସିବେ ।

ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି:
ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାକୁ ସିଙ୍ଗାପୁର ରାଷ୍ଟ୍ରପତି ଜାନୁଆରୀରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଓଡି଼ଶା ଗସ୍ତରେ ଆସିବାକୁ ମୁଖ୍ୟମନ୍ତ୍ରୀ ଗତ ମାସରେ ସିଙ୍ଗାପୁର ଗସ୍ତରେ ଥିବାବେଳେ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ସିଙ୍ଗାପୁର ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିବାକୁ ସହମତି ପ୍ରକାଶ କରିଥିବା ଭାରତରେ ଅବସ୍ଥାପିତ ସିଙ୍ଗାପୁର ରାଷ୍ଟ୍ରଦୂତ ସିମନ ୱଙ୍ଗ ୱାଇ କୌନ ସୂଚନା ଦେଇଛନ୍ତି । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାବେଳେ ସିମନ ଓଡି଼ଶା ସରକାରଙ୍କୁ ଏନେଇ ଅବଗତ କରିଛନ୍ତି ।

ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ:
ସିଙ୍ଗାପୁରର ରାଷ୍ଟ୍ରଦୂତଙ୍କୁ ସ୍ୱାଗତ କରିବା ସହ ଓଡି଼ଶା ଗସ୍ତରେ ଆସିବାକୁ ସହମତି ପ୍ରକାଶ କରିଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ବ୍ୟବସାୟିକ ଓ ସାଂସ୍କୃତିକ ବନ୍ଧୁତା ବୃଦ୍ଧି ଲାଗି ଓଡିଶାରେ ବଡ଼ ସୁଯୋଗ ରହିଛି । ସିଙ୍ଗାପୁର ଓ ଓଡି଼ଶା ମଧ୍ୟରେ ସହଭାଗିତା ଲାଗି ଅପାର ସମ୍ଭାବନା ରହିଛି । ପେଟ୍ରୋକେମିକାଲ, ସହରୀ ଯୋଜନା, ପର୍ଯ୍ୟଟନ, ଶକ୍ତି କ୍ଷେତ୍ରରେ ଉଭୟ କାର୍ଯ୍ୟ କରିବା କ୍ଷେତ୍ରରେ ସୁଯୋଗ ରହିଛି ।"

ଏହା ବି ପଢନ୍ତୁ...ଦିଲ୍ଲୀରେ ନିବେଶକ ସମ୍ମିଳନୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ପୁଞ୍ଜି ନିବେଶ ଯୋଜନା, ୩୪ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା - Utkarsh Odisha Conclave
ଏହା ବି ପଢନ୍ତୁ...ଓଡ଼ିଶାର ଅଭିବୃଦ୍ଧି ଯାତ୍ରାକୁ ସମୃଦ୍ଧ କରିବାକୁ ସିଙ୍ଗାପୁର ଗସ୍ତ ବଡ଼ ସୁଯୋଗ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭାରତ-ସିଙ୍ଗାପୁର ସମ୍ପର୍କ:
ଭାରତ ଓ ସିଙ୍ଗାପୁର ମଧ୍ୟରେ ରହିଛି 60 ବର୍ଷର କୂଟନୈତିକ ସମ୍ପର୍କ । ଉଭୟ ଦେଶ ମଧ୍ୟରେ ରହିଛି ଐତିହାସିକ, ସାଂସ୍କୃତିକ ଓ ଅର୍ଥନୈତିକ କ୍ଷେତ୍ର ସମ୍ପର୍କ । ଏହି ସମ୍ପର୍କ ଏବେ ରଣନୈତିକ ସମ୍ପର୍କରେ ପରିଣତ ହୋଇଛି । ଏଥିରେ ଟ୍ରେଡ୍, ସାମରିକ, ବୈଷୟିକ ଓ ସାଂସ୍କୃତିକ କ୍ଷେତ୍ର ଅନ୍ତର୍ଭୁକ୍ତ । ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଭାରତର ଅନ୍ୟତମ ବଡ଼ ସହଯୋଗୀ ହେଉଛି ସିଙ୍ଗାପୁର । ସିଙ୍ଗାପୁରରେ ଆଇଟି, ବ୍ୟାଙ୍କିଙ୍ଗ ଓ ଉତ୍ପାଦନ କ୍ଷେତ୍ରରେ ଭାରତୀୟ କମ୍ପାନୀର ଉପସ୍ଥିତି ରହିଛି । ଗଣତନ୍ତ୍ର, ନବସୃଜନ ଏବଂ ନିରନ୍ତର ବିକାଶର ସହଭାଗୀ ମୂଲ୍ୟ ସହିତ ଉଭୟ ଦେଶ ପାରସ୍ପରିକ ଅଭିବୃଦ୍ଧି ଏବଂ ଆଞ୍ଚଳିକ ସ୍ଥିରତା ପାଇଁ ସମ୍ପର୍କକୁ ମଜବୁତ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ଯୋଜନା: ଶିଳ୍ପମନ୍ତ୍ରୀ
କେଉଁମାନେ ଉପସ୍ଥିତ ଥିଲେ:
ପେଟ୍ରୋକେମିକାଲ କମ୍ପ୍ଲେକ୍ସ, ଶିଳ୍ପ ପାର୍କର ଉନ୍ନତିକରଣ, ଶକ୍ତି, ଆଇଟି, ଆଇଟି କ୍ଷେତ୍ରରେ ଦକ୍ଷତା ବିକାଶ, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନପ୍ରଦାନ ବାବଦରେ ବିଶେଷ ଭାବେ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଦକ୍ଷତା ବିକାଶ ଏବଂ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ । ସେହିପରି ସିଙ୍ଗାପୁରର ହାଇ କମିଶନର ସହ ଡେପୁଟି ହାଇକମିଶନର ଆଲିସା ଚେଙ୍ଗ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର