ମାଲକାନଗିରି/ରାୟଗଡ଼ା: କାୟା ମେଲାଉଛି ଝାଡ଼ାବାନ୍ତି ରୋଗ । ଗତ ଏକ ସପ୍ତାହକ ମଧ୍ୟରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ 50ରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି । ସେଥିରୁ କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 25ରୁ ଊର୍ଦ୍ଧ୍ବ ଏବେବି ଚିକିତ୍ସାଧୀନ ଅଛନ୍ତି । ଗତ କିଛିଦିନ ତଳେ ମାଥିଲି ବ୍ଲକରେ ଝାଡ଼ାବାନ୍ତିରେ ଜଣେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିବାବେଳେ ବହୁ ଆକ୍ରାନ୍ତ ହୋଇଥିଲେ l ତେବେ ଜିଲ୍ଲାରେ ବର୍ଷା ଲାଗି ରହିଥିବାବେଳେ ଏବଂ ଦୂଷିତ ଜଳ ଏହାର କାରଣ କହିଛନ୍ତି ଡାକ୍ତର ।
ଚିନ୍ତା ବଢାଉଛି ଡାଇରିଆ:
ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଡାକ୍ତର ପ୍ରଫୁଲ୍ଲ କୁମାର ବେହେରାଙ୍କ କହିବା କଥା ଯେ, ଜିଲ୍ଲାରେ ଗତ ଦୁଇ ସପ୍ତାହ ହବ ବର୍ଷା ଲାଗି ରହିଛି । ଫଳରେ ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ୱାର୍ଡରେ ବହୁ ମାତ୍ରାରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିଛି । ଗତ ସପ୍ତାହରେ ୪୦ ରୁ ୫୦ ଡାଇରିଆ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ ପ୍ରାୟ ରୋଗୀ ଦିନେ ଦୁଇ ଦିନରେ ସୁସ୍ଥ ହେଇଛନ୍ତି । ହେଲେ ଅନ୍ୟ କିଛି ରୋଗୀଙ୍କ ଚାରି-ପାଞ୍ଚ ଦିନ ଯାଏଁ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ । ବର୍ତ୍ତମାନ ଯାଏଁ କୌଣସି ରୋଗୀର ମୃତ୍ୟୁ ହୋଇ ନଥିବା ଡାକ୍ତର କହିଛନ୍ତି ।
'ପାଣିକୁ ଫୁଟାଇ ପିଅନ୍ତୁ':
ସେ ଆହୁରି ମଧ୍ୟ କହିଛନ୍ତି,"ବର୍ଷା ଲାଗି ରହିଛି । ଯେହେତୁ ଡାଇରିଆ ଏକ ପାଣି ଜନିତ ରୋଗୋ ଏଣୁ ସଚେତନ ରହିବା ଦରକାର । ଦୂଷିତ ଜଳ ଏହାର କାରଣ । ଏହାସହ ପିଇବା ପାଣିକୁ ଫୁଟାଇ କି ବିସୁଧ କରି ପିଇବା ନିହାତି ଦରକାର । ଯଦି କାହାକୁ ଡାଇରିଆ ଜନିତ ସମସ୍ୟା ହୁଏ । ତେବେ ସେମାନେ ତୁରନ୍ତ ତାଙ୍କ ଗାଁରେ ଥିବା ଏନେମ୍ ଓ ଆଶା ଦିଦିଙ୍କ ନିକଟରେ ଥିବା ଔଷଧ ଖାଆନ୍ତୁ । ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଡାଇରିଆ ପେସେଣ୍ଟ ମାନେ ଆସିଛନ୍ତି । ଏଣୁ ଭୟ କରିବାର ନାହିଁ । ଏମାନେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସିନାହାନ୍ତି ।"
ପ୍ରକାଶ ଯୋଗ୍ୟ, ଗତ ସପ୍ତାହରେ ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ କପରା ଗ୍ରାମରେ ଝାଡାବାନ୍ତି ବ୍ୟାପିଥିଲା । 7 ଜଣ ଆକ୍ରାନ୍ତଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ 4ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାଙ୍କୁ ମାଲକାନଗିରି ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଥିଲା । ଏମାନଙ୍କ ମଧ୍ୟରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଗାଁରେ ଅନ୍ୟ ଲୋକମାନେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସୁଧା ଝାଡ଼ାବାନ୍ତିର କାରଣ ଜଣାପଡିନାହିଁ । କିନ୍ତୁ ଦୂଷିତ ପାଣି ପାଇଁ ଏପରି ଘଟିଥିବାର ସନ୍ଦେହ କରାଯାଉଛି । ଘଟଣା ଜଣାପଡ଼ିବା ପରେ ଏକ ଡାକ୍ତରୀ ଟିମ ଗାଁରେ ପହଞ୍ଚି ପାଣିକୁ ପରୀକ୍ଷା କରିଛନ୍ତି ।
ରାୟଗଡ଼ାରେ ଝାଡ଼ାବାନ୍ତି ଆତଙ୍କ:
ସେହିପରି ରାୟଗଡ଼ା ଜିଲ୍ଲାରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଛି । ଡିପ୍ଥେରିଆ ଓ ମ୍ୟାଲେରିଆ ପରେ କାଶୀପୁର ବ୍ଳକରେ ବ୍ୟାପିଲା ଝାଡ଼ାବାନ୍ତି । ଏହାରି ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ୧୦ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଗୋରଖପୁର ପଞ୍ଚାୟତର ଦୁର୍ଗମ ଲାମ୍ବେରୀ ଗାଁର ଧନ ମାଝୀଙ୍କ ସ୍ତ୍ରୀ ତିଲେଇ (୫୦) ବଳିଆ ମାଝୀଙ୍କ ପୁଅ ଆନନ୍ଦ ମାଝି (୨୫)। 5 ଦିନ ହେଲା ଏହି ଝାଡ଼ାବାନ୍ତି ଘଟଣା ପଦାକୁ ଆସିଛି । ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ପାଖରୁ ଖବର ପାଇବା ପରେ ବହୁ କଷ୍ଟରେ ଗାଁରେ ପହଞ୍ଚିଛି ସ୍ବାସ୍ଥ୍ୟ ବିଭାଗ ଟିମ୍ ।
ଗରଖପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଅନୀଲ କୁମାର ନାଏକଙ୍କ ସୂଚନା ଅନୁଯୟୀ, ସପ୍ତାହେ ପୂର୍ବରୁ ଲାମ୍ବେରୀରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ୨୨ ତାରିଖରେ ତିଲେଇଙ୍କ ମୃତ୍ୟୁ ହୋଇଥିଲା । ଗତ ଶୁକ୍ରବାର ଆନନ୍ଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନଥିଲା ।
ଇଟିଭି ଭାରତ, ମାଲକାନଗିରି/ରାୟଗଡ଼ା