ପୁରୀ: ଆଜି ପୁରୀ ଟାଉନ ହଲ ଠାରେ ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ ସଭା ଅନୁଷ୍ଠିତ ହୋଇଯାଇଛି । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଛି । ବୈଠକରେ ୧୬ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ପଡୁଥିବାରୁ ନୀତିକାନ୍ତି କିଭଳି ଶୃଙ୍ଖଳିତ ଓ ସୂଚାରୁ ରୂପେ ହୋଇପାରିବ ସେନେଇ ସମସ୍ତଙ୍କ ସହଯୋଗ ଲୋଡ଼ା ଯାଇଛି ।
ତିନି ରଥର ନିର୍ମାଣ ପାଇଁ ସମସ୍ତ କାଠ ରଥ ଖଳାରେ ପହଞ୍ଚି ସାରିଛି । ତେବେ ରଥ ନିର୍ମାଣ ପାଇଁ ଅନେକ କାଠ ପୋଲା ଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସେବାୟତ । ଆଗାମୀ ଦିନରେ ରଥକାଠର ଅଭାବ ଯେଭଳି ଦେଖାନଯିବ ସେନେଇ ଡାଟା ବେସ୍ ପ୍ରସ୍ତୁତ କରାଯିବ ବୋଲି ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ଟଣା ଦଉଡି଼, ଇନର ଓ ଆଉଟଡୋର କର୍ଡନ ଦଉଡି ପହଞ୍ଚି ସାରିଛି ବୋଲି ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ । ଚଳିତ ବର୍ଷ ତିନି ରଥର ନିର୍ମାଣ କାର୍ଯ୍ୟ ବେଶ୍ ଆଗୁଆ ଚାଲିଛି ।
ଭକ୍ତ ମାନେ ଚଳିତ ବର୍ଷ ଦୁଇ ଦିନ ରଥ ଟାଣିବାର ସୁଯୋଗ ପାଇବେ । ତେଣୁ ସମସ୍ତ ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ । ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେହିପରି ସଡ଼କ ପଥରେ ପରିବହନ ବ୍ୟବସ୍ଥା, ଜାତୀୟ ରାଜପଥ ମରାମତି, ପରିମଳ ବ୍ୟବସ୍ଥା, ସ୍ବରେଜ, ଅଗ୍ନିଶମ ବିଭାଗର ପ୍ରସ୍ତୁତି, ପ୍ରଦର୍ଶନୀ ଓ ସ୍ବେଚ୍ଛାସେବୀ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଭିତରେ, ବାହାରେ, ରଥ କର୍ଡନ୍, ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ସହ ସମନ୍ଵିତ ପୋଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବଡ଼ଦାଣ୍ଡ ସହ ସମ୍ପୂର୍ଣ୍ଣ ପୁରୀ ସହରରେ ସିସିଟିଭି କ୍ୟାମେରା, ତଟ ସୁରକ୍ଷା ଉପରେ ମଧ୍ୟ ପୋଲିସ ପ୍ରଶାସନ ଗୁରୁତ୍ବ ଦେଇଛି ।
ଆଜିର ବୈଠକରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁପସ୍ଥିତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ରଥଯାତ୍ରା ସମୟରେ ଜଣେ ବରିଷ୍ଠ ଅଧିକାରୀ ଡେପୁଟେସନରେ ଆସି ଦାୟିତ୍ବରେ ରହିବେ । ତେବେ ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳି ହେବା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ ହସ୍ପିଟାଲରେ ଶହେ ଶଯ୍ୟା ବିଶିଷ୍ଠ ବେଡ୍ ସୁବିଧା ଉପଲବ୍ଧ ହେବ । ସେହିପରି ଅସ୍ଥାୟୀ ଭାବେ ବର୍ଣ୍ଣ ଓ୍ବାର୍ଡ ମଧ୍ୟ ଖୋଲାଯିବ । ସହରର ବିଭିନ୍ନ ସ୍ଥାନରେ ୧୨୦ଟି ଡ୍ରିଙ୍କ ଫର୍ମ ଟ୍ୟାପ୍ ଥିବାବେଳେ ଲୋକମାନେ ଯେଭଳି ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ସେନେଇ ମଧ୍ୟ ଓ୍ବାଟକୋ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି । ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ଗମନାଗମନ ସୁବିଧା ପାଇଁ ୧୮ଟି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ସେହିପରି ଚଳିତ ବର୍ଷ ରଥଯାତ୍ରାରେ ୩୦୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ଥିବାବେଳେ ୨୦ଟି ମୋବାଇଲ୍ ଟିକେଟ କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା ହେବ।
ରେଳ ବିଭାଗ ପକ୍ଷରୁ ହେବାକୁ ଥିବା ଆଶ୍ରୟ ସ୍ଥଳୀରେ ପଚିଶି ହଜାର ଲୋକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ପୌରସଂସ୍ଥା ପକ୍ଷରୁ ସମୁଦାୟ ୫୨୩ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ଓ ଭକ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ପୁରୀ ଟାଉନ ହଲ ଠାରେ ଆୟୋଜିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ସୂର୍ଯ୍ୟବଂଶୀ ସୂରଜ, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ବିଧାୟକ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଉପସ୍ଥିତ ଥିଲେ । ବିଭିନ୍ନ ସେବାୟତ ନିଯୋଗର ସଦସ୍ୟ, ପରିଚାଳନା କମିଟି ସଦସ୍ୟ, ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଇଟିଭି ଭାରତ, ପୁରୀ