ପୁରୀ: ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଗୁରୁବାର ୧୮ ତାରିଖରେ ପୁଣିଥରେ ଖୋଲାଯିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଏନେଇ ଶୁଭବେଳା ମଧ୍ୟ ଧାର୍ଯ୍ୟ କରାଯାଇଛି । ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଶୁଭବେଳା ରହିଥିବାବେଳେ ଏହି ସମୟ ଭିତରେ ଖୋଲାଯିବ ଭିତର ରତ୍ନଭଣ୍ଡାର । ପୂର୍ବରୁ ଯେଉଁ ଏସ୍ଓପି ରହିଛି, ସେହି ଏସ୍ଓପି ଆଧାରରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସେହିପରି ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ କମିଟି ଗଠନ କରାଯାଇଛି, ସେମାନେ କୌଣସି ସ୍ବର୍ଣ୍ଣ ଅଳଙ୍କାର କିମ୍ବା ପଦାର୍ଥ ପରିଧାନ କରି ସେହିଦିନ ଶ୍ରୀମନ୍ଦିର ଭିତରକୁ ଯିବେନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଗତ ୧୪ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତାଲା ଭଙ୍ଗା ଯାଇ ନୂତନ ତାଲା ପକାଯାଇଥିଲା । ରତ୍ନଭଣ୍ଡାରରେ ପକାଯାଇଥିବା ଦୁଇଟି ନୂତନ ଚାବି ଟ୍ରେଜେରୀରେ ରହିଥିବାବେଳେ ୧୮ ତାରିଖରେ ଟ୍ରେଜେରୀରୁ ଏହି ଚାବି ଆସି ଖୋଲାଯିବ । ସେହିପରି ୧୮ ତାରିଖରେ ତିନି ରଥ ଉପରେ ମହାପ୍ରଭୁଙ୍କର ଅଧରପଣା ନୀତି ଥିବାବେଳେ ସେହିଦିନ ରତ୍ନଭଣ୍ଡାର ଖୋଲାଯିବାକୁ ଥିବାରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ନାହିଁ । ସକାଳ ୮ଟାରୁ ଏହି କଟକଣା ଲଗାଯିବ ବୋଲି ବୈଠକ ଶେଷ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।
ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗଠିତ 11 ଜଣିଆ କମିଟିର ଏକ ଜରୁରୀ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା 18 ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ପୁଣିଥରେ ଖୋଲାଯାଇ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ । ଖଟସେଜ ଘରେ ହୋଇଥିବା ଅସ୍ଥାୟୀ ଭିତର ଭଣ୍ଡାର (ଷ୍ଟ୍ରଙ୍ଗରୁମ୍)କୁ ଏହା ସ୍ଥାନାନ୍ତରିତ ହେବ । ଏହି ସମସ୍ତ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ କରାଯିବ । ଗତ 14 ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା 3ଟି ଯାକ ତାଲା ଟ୍ରେଜେରୀରୁ ଆସିଥିବା ଦୁଇଟି ଚାବିରେ ନଖୋଲିବାରୁ ତାଲାଗୁଡିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ । କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରିନଥିଲା । ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା 3ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି । ଏହାସହ 2ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରୀରେ ଜମା କରାଯାଇଛି । ସେହି ଚାବି ଆଣି 18 ତାରିଖରେ, ସେଦିନ ଲାଗିଥିବା ନୂଆ ତାଲା ଖୋଲାଯିବ ।
ପ୍ରକାଶ ଥାଉ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଗତ 14 ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ମାର୍ଗଦର୍ଶିକା ଅନୁସାରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନଭଣ୍ଡାରରେ 3ଟି ଚାବି ରହିଥାଏ । ଗୋଟିଏ ଚାବି ଶ୍ରୀମନ୍ଦିର ପ୍ରଶାସନ ନିକଟରେ, ଗୋଟିଏ ଚାବି ଭଣ୍ଡାର ମେକାପ ଏବଂ ଶେଷ ଚାବି ଗଜପତି ମହାରାଜଙ୍କ ପ୍ରତିନିଧିଙ୍କ ନିକଟରେ ଥାଏ । ଏହି ତିନୋଟି ଚାବି ବ୍ୟବହାର କରି ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଭାବେ ଚାଙ୍ଗଡା ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ପରମ୍ପରାଗତ ବ୍ୟବସ୍ଥା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ବନ୍ଦ କରାଯାଇଥିଲା ।
ଏହାପରେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ପ୍ରସ୍ତୁତି ହୋଇଥିଲା । ଭିତର ରତ୍ନଭଣ୍ଡାରରେ 3ଟି ତାଲା ଲାଗିଥିଲା । ଏହା ମଧ୍ୟରୁ ଗୋଟିଏ ଜଉମୁଦ ସିଲ୍ ହୋଇଥିଲା ଏବଂ ଅନ୍ୟ ଦୁଇଟି ସିଲ୍ ନହୋଇ ବନ୍ଦ ଥିଲା । ଜିଲ୍ଲା ଟ୍ରେଜେରୀରୁ ଆସିଥିବା ଦୁଇଟି ଚାବିରେ ସମସ୍ତ ତାଲା ଖୋଲିବା ଉଦ୍ୟମ କରାଗଲା । କିନ୍ତୁ କୌଣସି ବି ତାଲା ଖୋଲିନଥିଲା । ତେଣୁ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ, ସମସ୍ତ ତାଲାକୁ ଭଙ୍ଗାଯାଇଥିଲା । ଭଙ୍ଗା 3ଟି ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରୀରେ ଜମା ଦିଆଯାଇଛି । ଭିତର ରତ୍ନଭଣ୍ଡାରରେ ଥିବା ଜିନିଷ ସ୍ଥାନାନ୍ତର କରିବା ସମୟ ସାପେକ୍ଷ ହୋଇଥିବା କମିଟି ଅନୁଭବ କରିଥିଲେ, ତେଣୁ ଆଉ ଗୋଟିଏ ଦିନରେ ଭିତର ରତ୍ନଭଣ୍ଡାର ଜିନିଷ ସ୍ଥାନାନ୍ତର କରିବାକୁ ସ୍ଥିର ହୋଇଥିଲା । ଶେଷରେ ଭିତର ରତ୍ନଭଣ୍ଡାରରେ 2ଟି ନୂଆ ତାଲା ଲଗାଯାଇ ଏହାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା ଏବଂ ଚାବି ଗୁଡିକୁ ଟ୍ରେଜେରୀରେ ଜମା କରାଯାଇଛି ।
ଇଟିଭି ଭାରତ, ପୁରୀ