ଭୁବନେଶ୍ବର: ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ନୂଆ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ । ନୂଆବର୍ଷରୁ ଶ୍ରୀମନ୍ଦିରରେ କରାଯାଉଛି ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା । ସେହିପରି ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ପରିକ୍ରମା ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ହେବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
କିପରି ରହିବ ନୂଆ ଦର୍ଶନ ବ୍ୟବସ୍ଥା?
ଶ୍ରୀମନ୍ଦିର ଚାରିଦ୍ଵାରରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ସୁଗମ ହୋଇଥିଲେ ମଧ୍ୟ ନାଟ ମଣ୍ଡପ ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ । ପ୍ରତିଦିନ ଠେଲାପେଲା ହୋଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଯେଉଁମାନେ ଭିଡ଼ରେ ପଶି ପାରୁନାହାନ୍ତି, ସେମାନେ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ବରୁ ନାଟମଣ୍ଡପରେ କାଠ ରାମ୍ପ ଦ୍ବାରା ଦର୍ଶନକୁ ବ୍ୟବସ୍ଥିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ନୂଆ ଦର୍ଶନ ବ୍ୟବସ୍ଥାରେ ନାଟମଣ୍ଡପ ଭିତରୁ ଏବଂ ଗରୁଡ଼ସ୍ତମ୍ଭ ପରଠାରୁ ଭକ୍ତଙ୍କ ଧାଡ଼ି ଆରମ୍ଭ କରିବାକୁ ଯୋଜନା କରାଯାଇଛି । ଭକ୍ତମାନେ ସାତ ପାହାଚ ଦେଇ ପ୍ରବେଶ ପରେ ଗରୁଡ଼ ସ୍ତମ୍ଭକୁ ପ୍ରଣାମ କରିବେ । ପରେ ନାଟମଣ୍ଡପ ହୁଣ୍ଡିର ଗୋଟିଏ ପାର୍ଶ୍ଵରେ ୩ ଟି ଧାଡ଼ିରେ ମହିଳା, ଶିଶୁ, ବରିଷ୍ଠଙ୍କୁ ଅଲଗା କରି ଛଡ଼ାଯିବ ।
ଧାଡ଼ି ଦର୍ଶନ ବ୍ୟବସ୍ଥା:
ନାଟ ମଣ୍ଡପ ହୁଣ୍ଡି ଡାହାଣ ପାର୍ଶ୍ଵରେ ୩ଟି ଧାଡ଼ିରେ ପୁରୁଷ ଭକ୍ତଙ୍କୁ ଛଡ଼ାଯିବ । ଧାଡ଼ିରେ ଯିବା ପରେ ବାହାର କାଠ ନିକଟରେ ପଡ଼ିଥିବା କାଠରାମ୍ପ ଉପରେ ଭକ୍ତମାନେ ଦର୍ଶନ କରି ଘଣ୍ଟିଦ୍ଵାର ଅବା ଗାରଦ ଦ୍ବାର ଦେଇ ବାହାରିବେ । ପ୍ରସ୍ଥାନ ପାଇଁ ଦୁଇ ଦ୍ଵାର ଖୋଲା ରହିବ । ଏହି ରାମ୍ପ ଧାଡ଼ି ଅନୁଯାୟୀ ଉଚ୍ଚା କରାଯିବ । ପ୍ରଥମ ଧାଡ଼ିରେ ଯେଉଁ ଭକ୍ତମାନେ ରହିବେ, ସେମାନେ ସବୁଠୁ ତଳେ ରହିବେ । ଦ୍ବିତୀୟ ଧାଡ଼ି ପ୍ରଥମ ଧାଡ଼ିଠାରୁ ପ୍ରାୟ ୪ ଇଞ୍ଚ ଉଚ୍ଚା ରହିବ । ତୃତୀୟ ଧାଡ଼ି ବି ସେଭଳି ୪ ଇଞ୍ଚ ଉଚ୍ଚା ରହିବ । ଫଳରେ ଭକ୍ତମାନେ ମହାପ୍ରଭୁଙ୍କୁ ସ୍ପଷ୍ଟ ଦର୍ଶନ କରିପାରିବେ । ଏହି କାଠରାମ୍ପ ତଳେ ଚକା ଲଗାଯିବ । ଦୁଇପାର୍ଶ୍ଵରେ ଭିଡ଼ିବା ପାଇଁ ଦଉଡ଼ି ଲାଗିବ । ନୀତି ପାଇଁ ଦର୍ଶନ ବନ୍ଦ ବେଳେ କାଠ ରାମ୍ପକୁ ମଝିରୁ ଅଲଗା କରି ଦୁଇପାର୍ଶ୍ଵରୁ ଟାଣି ବାହାର କରିବା ବ୍ୟବସ୍ଥା ରହିବ । ସାତପାହାଚରୁ ଧାଡ଼ି କଲେ ଗରୁଡ଼ ସ୍ତମ୍ଭକୁ ଛୁଇଁ ମୁଣ୍ଡିଆ ମାରିବାରେ ଅଡୁଆ ସ୍ଥିତି ଉପୁଜିବା ସମ୍ଭାବନା ଥିବାରୁ ଗରୁଡ଼ସ୍ତମ୍ଭ ସ୍ପର୍ଶ ପରେ ଧାଡ଼ି ଦର୍ଶନ ଡିଜାଇନ କରାଯାଇଛି । ନାଟମଣ୍ଡପ ଧାଡ଼ି ଦର୍ଶନର ସମସ୍ତ ବ୍ୟବସ୍ଥା ପାଇଁ ଓବିସିସି ଡିଜାଇନ ପ୍ରସ୍ତୁତ କରିଛି । ଆବଶ୍ୟକ ପଡିଲେ ଏହାର ପରିବର୍ତ୍ତନ ମଧ୍ୟ କରାଯିବ । ନୂଆ ସରକାରରେ ଏ ସମ୍ପର୍କରେ ବହୁବାର ସମୀକ୍ଷା କରାଯାଇ ଚୂଡ଼ାନ୍ତ ପଦକ୍ଷେପ ନିଆଯାଇଥିବା ଆଇନମନ୍ତ୍ରୀ ସୂଚନା ଦିଆଯାଇଛି ।
ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା:
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା । ପ୍ଲାଟଫର୍ମ ଅନୁଯାୟୀ ଏହି ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ସୂଚାରୁ ରୂପରେ କରିବା ଲାଗି ବ୍ୟବସ୍ଥା କରାଯାଉଛି । ନାଟ ମଣ୍ଡପରେ ଗରୁଡ ସ୍ତମ୍ଭରୁ ଆରମ୍ଭ କରି ବାହାର କାଠ ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ଠିଆ ହେଲେ ବି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ଶୃଙ୍ଖଳିତ କରିବା ନେଇ ବ୍ୟବସ୍ଥା କରାଯାଇଛି । ବାହାର କାଠ ବାହାରେ ଭକ୍ତ ଆଉ ଠେଲାପେଲା ହେବେ ନାହିଁ, ଏଭଳି ଏକ ଶୃଙ୍ଖଳିତ ବ୍ୟବସ୍ଥା ହେଉଛି । ମହାପ୍ରଭୁଙ୍କ ଭକ୍ତ, ଜଗନ୍ନାଥ ପ୍ରେମୀ ଓ ଜନତା ଆମକୁ ସହଯୋଗ କରିବାକୁ ଅନୁରୋଧ କରୁଛୁ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଲେ ଭକ୍ତ ଭଲ ମନରେ ମହାପ୍ରଭୁଙ୍କୁ ଦେଖି ଘରକୁ ଫେରିବେ । ନୂଆବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରିବୁ । ଆଗାମୀ ଦିନରେ ଭଗବାନଙ୍କ ଦର୍ଶନକୁ ନେଇ କୌଣସି ଅସୁବିଧା ହେବନାହିଁ, ତାହା ଉପରେ ଆମେ ନଜର ରଖିଛୁ ।"
ଏହା ବି ପଢନ୍ତୁ...ଜଗା ଦର୍ଶନ ହେବ ସହଜ, ନୂଆବର୍ଷରୁ ନୂଆ ବ୍ୟବସ୍ଥା ଏହା ବି ପଢନ୍ତୁ...ଭିତର ରତ୍ନଭଣ୍ଡାରରେ ସରିଲା ଭାରା ବନ୍ଧା, ଗୁପ୍ତନୀତି ପାଇଁ ଆଜି କାମ ବନ୍ଦ |
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଭକ୍ତ ମାନେ ଗୋଟେ ପଟେ ପଶିବେ, ଅପରପାର୍ଶ୍ଵରେ ବାହାରିବେ । ତାହା ଭିତରେ ମହାପ୍ରଭୁଙ୍କ ଦର୍ଶନ କରି ଯିବେ । ଆଗରୁ ଯେମିତି ଠେଲା ପେଲା ହେଉଥିଲା, ବହୁ ଭକ୍ତ ଦର୍ଶନ କରିନପାରି ଫେରୁଥିଲେ । ସେଭଳି କୌଣସି ଭକ୍ତ ଫେରିବେନାହିଁ । ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନାହିଁ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଚିନ୍ତା କରାଯାଉଛି । ବହୁତ ଶୀଘ୍ର ସେନେଇ ପଦକ୍ଷେପ ନିଆଯିବ । ପରିକ୍ରମା ପ୍ରକଳ୍ପ ହେବା ପରେ ଖରା ଦିନେ ଆମେ କାର୍ପେଟ ବ୍ୟବସ୍ଥା କରିଥିଲୁ । ତାତିରୁ ବଞ୍ଚିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା । ଆଗାମୀ ଦିନରେ ଭକ୍ତଙ୍କ ପାଦ ତାତିବାରୁ ରକ୍ଷା କରିବା ଲାଗି ଚିନ୍ତା କରାଯାଇଛି । ଯଥା ସମୟରେ ଏହା କରାଯିବ ।"
ପରିବର୍ତ୍ତନ ହେବ ପରିକ୍ରମା ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ :
ଆଇନ ମନ୍ତ୍ରୀ କହିଛନ୍ତି, "ପରିକ୍ରମା ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ ହେବ । ପୁରୁଣା ଡିଜାଇନରେ କିଛି ମିଶାଯାଇ ନୂଆ ଡିଜାଇନ ପ୍ରସ୍ତୁତ ହେବ । ଏନେଇ ଆହୁରି ଅଧିକ ଚର୍ଚ୍ଚା ଆଲୋଚନା ହେବାର ଅଛି । ଏହା ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ହୋଇ ରହିଛି । ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ କରିବା ପାଇଁ ଚିନ୍ତା କରାଯାଇଛି । ଏହା ଉପରେ ନିୟମିତ ଆଲୋଚନା ଚାଲିଛି । ଖୁବଶୀଘ୍ର ସଠିକ ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ । ଦୁଇ ତିନି ମାସ ମଧ୍ୟରେ ଏହା ଉପରେ ଆମେ ନିଷ୍ପତ୍ତି ନେବୁ ।"
ଡିଜାଇନ ପରିବର୍ତ୍ତନକୁ ବିରୋଧୀଙ୍କ ସ୍ବାଗତ:
ଆବଶ୍ୟକତା ଅନୁସାରେ ପରିକ୍ରମା ପ୍ରକଳ୍ପର ଡିଜାଇନ ପରିବର୍ତ୍ତନକୁ ବିରୋଧୀ ବିଜେଡି ଓ କଂଗ୍ରେସ ସ୍ୱାଗତ କରିଛନ୍ତି । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ନୂଆ ସରକାର ପରିକ୍ରମା ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରିପାରିବେ । ଡିଜାଇନ ପରିବର୍ତ୍ତନ ଦ୍ୱାରା ଅଧିକ ଲାଭଦାୟକ ହେବ ବୋଲି ଅନୁଭବ କରନ୍ତି, ତେବେ ସେମାନେ କରିପାରିବେ । ଭକ୍ତଙ୍କ ଦର୍ଶନ ଓ ମନ୍ଦିରର ସୁରକ୍ଷା ଦୃଷ୍ଟିରେ ରଖି ବୈଷୟିକ ପରାମର୍ଶ ନେଇ ପରିବର୍ତ୍ତନ କରିବେ ।"
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ପରିକ୍ରମା ପ୍ରକଳ୍ପକୁ ସଠିକ ଢ଼ଙ୍ଗରେ କରିବାକୁ ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି । ମୁଁ ସ୍ୱାଗତ କରିବି । ଜଗନ୍ନାଥଙ୍କୁ ନେଇ ରାଜନୀତି ନାହିଁ । ମହାପ୍ରଭୁଙ୍କ ସୁରକ୍ଷା ଓ ଭକ୍ତଙ୍କ ସ୍ୱାର୍ଥ ଲାଗି ଆଇନ ବିଭାଗର ନିଷ୍ପତ୍ତିକୁ ସ୍ୱାଗତ କରାଯିବ । ଜଗନ୍ନାଥର ପ୍ରକଳ୍ପକୁ ଆଉ ବିଳମ୍ବ ନକରି ତୁରନ୍ତ ଶେଷ କରାଯାଉ ।"
ଇଟିଭି ଭାରତ, ଭୁବନେଶ୍ବର