ପୁରୀ: ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା । ନାଟ ମଣ୍ଡପରେ ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ ।
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ବ୍ୟବସ୍ଥା:
ଜଗା ଦର୍ଶନ ଏବେ ସହଜ ହେବ। ଆଉ ଭିଡ ଭିତରେ ଭକ୍ତମାନେ ଠେଲାପେଲା ହେବେ ନାହିଁ। ଶୃଙ୍ଖଳିତ ଭାବେ ଭକ୍ତମାନେ ଧାଡିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିର ନାଟମଣ୍ଡପରେ ଅସ୍ଥାୟୀ ବ୍ୟାରିକେଡ୍ କରାଯାଇ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ଏକ ସ୍ବତନ୍ତ୍ର ଲାଇନରେ ଏବଂ ଅନ୍ୟ ଭକ୍ତମାନଙ୍କୁ ସ୍ବତନ୍ତ୍ର ଧାଡ଼ିରେ ଦର୍ଶନ ପାଇଁ ଛଡାଯିବ। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ତେବେ ଓବିସିସି ପକ୍ଷରୁ ଏହି ଦାୟିତ୍ବ ନିଆଯାଇଥିବାବେଳେ ଆସନ୍ତା ନବବର୍ଷରୁ ଏହି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏହାକୁ ଲାଗୁ କରାଯିବା ପରେ ଯାହା ତ୍ରୁଟି ବିଚ୍ୟୁତି ଆସିବ ତାହାକୁ ସମୀକ୍ଷା କରାଯାଇ ଆହୁରି ଶୃଙ୍ଖଳିତ କରାଯିବ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ନୂଆ ବର୍ଷରୁ ନୂଆ ଧାଡ଼ି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବାରୁ ଏହାକୁ ସ୍ବାଗତ କରିଛନ୍ତି ବରିଷ୍ଠ ସେବାୟତ।
ନୂଆ ବ୍ୟବସ୍ଥାକୁ ସେବାୟତଙ୍କ ସ୍ବାଗତ:
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାଶ ମହାପାତ୍ର କହିଛନ୍ତି, "ଶ୍ରୀମନ୍ଦିର ଭିତରେ ଭକ୍ତମାନେ ଠିକ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି । ନାଟ ମଣ୍ଡପ ଓ ଭିତର କାଠ ନିକଟରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଠେଲା ପେଲା ଯୋଗୁ ଭକ୍ତଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି । ଏହାର ଶୃଙ୍ଖଳା ଆଣିବା ପାଇଁ ଯେଉଁ ନୂଆ ଦର୍ଶନ ବ୍ୟବସ୍ଥା କରାଯାଉଛି ଏବଂ ମହିଳା, ପୁରୁଷଙ୍କ ପାଇଁ ସ୍ଵତନ୍ତ୍ର ଲାଇନ କରି ନୂଆବର୍ଷରେ ଯେଉଁ ନୂଆ ଦର୍ଶନ ବ୍ୟବସ୍ଥା ହେବାକୁ ଯାଉଛି ଏହା ପରୀକ୍ଷା ମୂଳକ ଭାବେ ଚାଲୁ । ଯଦି ପ୍ରକୃତରେ ସୁଫଳ ମିଳେ ତାହା ଚାଲୁ ରହିବା ଦରକାର । ନୂଆବର୍ଷରେ ନୂଆ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆସିବା ନେଇ ଆମର ଆଶା ରହିଛି ।"
ଭିଡ ପାଇଁ ଭକ୍ତ ଅସନ୍ତୋଷ:

ଏହା ବି ପଢନ୍ତୁ...ଭିତର ରତ୍ନଭଣ୍ଡାରରେ ସରିଲା ଭାରା ବନ୍ଧା, ଗୁପ୍ତନୀତି ପାଇଁ ଆଜି କାମ ବନ୍ଦ ଏହା ବି ପଢନ୍ତୁ...୧୭ରୁ ରତ୍ନଭଣ୍ଡାର ମରାମତି ପାଇଁ SOP, ରାତି ୨ଟାରୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି |
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା:

ଆନନ୍ଦ ବଜାରରେ ଶୃଙ୍ଖଳା ବ୍ୟବସ୍ଥା:
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଆନନ୍ଦ ବଜାରରେ ମଧ୍ୟ ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ । ମହାପ୍ରସାଦ ବିକ୍ରି କରୁଥିବା ସୁଆର ମହାସୁଆରମାନଙ୍କ ସହାୟକମାନଙ୍କୁ ସ୍ବତନ୍ତ୍ର ଡ୍ରେସ୍ କୋଡ ଏବଂ ପରିଚୟପତ୍ର ପ୍ରଦାନ କରାଯିବ । ସେହିପରି ଶ୍ରୀମନ୍ଦିର ଭିତରେ ଯେଉଁ ସେବାୟତ ବିଶୃଙ୍ଖଳା କରିବେ ସେମାନଙ୍କ ବିରୋଧରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ଯେଉଁଠାରେ ବେଆଇନ ଭାବେ ଥାଳି ପକାଯାଇ ଦକ୍ଷିଣା ଆଦାୟ ହେଉଛି ତା'କୁ ମଧ୍ୟ ଖୁବଶୀଘ୍ର ବନ୍ଦ କରାଯିବ । ଆଗାମୀ ଦିନରେ ଭକ୍ତମାନେ ଯେଭଳି ଶାନ୍ତି ଶୃଙ୍ଖଳାରେ ଏକ ଭଲ ଅନୁଭୂତି ନେଇ ଶ୍ରୀମନ୍ଦିରରୁ ଫେରିବେ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ।
ମହାପ୍ରଭୁଙ୍କ ନୀତିକାନ୍ତିକୁ ଦୃଷ୍ଟିରେ ରଖାଯାଇ ରତ୍ନ ଭଣ୍ଡାରର ମରାମତି:

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରତ୍ନଭଣ୍ଡାର ଭିତରେ ଲୁହା ପାଇପ୍ ଦ୍ବାରା ଭାରା ବନ୍ଧା ଯିବା ପରେ ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏହାପରେ କାନ୍ଥର କେଉଁ କେଉଁ ସ୍ଥାନରେ ଫାଟ ରହିଛି ତାହାର ସ୍ଥିତି ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ମରାମତି କାର୍ଯ୍ୟ କରାଯିବ। ପରେ ଚଟାଣରେ ଥିବା ମୂଷା ଗାତର ମଧ୍ୟ ମରାମତି କରାଯିବ । ରତ୍ନଭଣ୍ଡାର ପାଇଁ ଆବଶ୍ୟକ ଥିବା ଖାଣ୍ଡେଲାଇଟ ପଥର ଅଣାଯାଇ ନଷ୍ଟ ହୋଇଯାଇଥିବା ପଥର ବଦଳରେ ନୂଆ ପଥର ଲଗାଯିବ। ମହାପ୍ରଭୁଙ୍କ ନୀତିକାନ୍ତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ । ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରିବା ପାଇଁ ତିନିମାସ ସମୟ ନେଇଛି ଏଏସଆଇ । ତେବେ ମହାପ୍ରଭୁଙ୍କର ପହିଲି ଭୋଗ ନୀତି ସହ ଅନ୍ୟାନ୍ୟ ନୀତିକାନ୍ତିକୁ ଦୃଷ୍ଟିରେ ରଖାଯାଇ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ମିଳୁଥିବା ତିନିରୁ ଚାରିଘଣ୍ଟା ସମୟ ଭିତରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରିବାକୁ ଏଏସଆଇକୁ କୁହାଯାଇଛି । ରତ୍ନଭଣ୍ଡାରର ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ। ତେବେ ମରାମତି କାର୍ଯ୍ୟ ଶେଷ ହେବା ପରେ ରତ୍ନଭଣ୍ଡାର ଭିତରେ ସମସ୍ତ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର