ପୁରୀ: ପୁରୀରେ ନିର୍ବାଚନ ମାହୋଲ ସରଗରମ ହୋଇ ସାରିଥିବା ବେଳେ ବିଜେଡ଼ିର ପ୍ରାର୍ଥୀ ସୁନିଲ ମହାନ୍ତିଙ୍କୁ ଟାର୍ଗେଟ କରିଛି ବିଜେପି । ତେବେ ବିଜେପି କହିଛି ବିଜେଡି ନେତା କେବଳ ନିର୍ବାଚନ ସିଜିନରେ ଦେଖା ଯାଆନ୍ତି ଏବଂ ନିର୍ବାଚନ ସରିଲେ ଲୋକଙ୍କ ଠାରୁ ଦୂରେଇ ଯାଆନ୍ତି । ପୁଣି ପୁରୀରେ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ବିଜୟୀ ହେବା ନେଇ ସେ ଦୃଢକ୍ତି ପ୍ରକାଶ କରିଛନ୍ତି ।
ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ, ବିଜେଡି ନେତା କେବଳ ନିର୍ବାଚନ ସିଜିନରେ ଦେଖା ଯାଆନ୍ତି ଏବଂ ନିର୍ବାଚନ ସରିଲେ ଲୋକଙ୍କ ଠାରୁ ଦୂରେଇ ଯାଆନ୍ତି । ଆମ ସବୁବେଳେ ଲୋକଙ୍କ ସହ ଅଛୁ । ଲୋକଙ୍କ ସୁଖ ଦୁଃଖରେ ଆମେ ରହିଛୁ । ପ୍ରତିପକ୍ଷ ପ୍ରାର୍ଥୀ ସୁନିଲ ମହାନ୍ତିଙ୍କ ପ୍ରଚାର ଲୋକଙ୍କ ଉପରେ ପଡ଼ିବ ନାହିଁ । ବିଜେଡ଼ିର ସୁପ୍ରିମୋ ନିଜେ ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ସର୍ବ ସମ୍ମୁଖରେ ମତେ ଧନ୍ୟବାଦ ଦେଇଥିଲେ । କାରଣ ଆମେ ସବୁବେଳେ ବିକାଶ ସହିତ ଅଛୁ ଓ ଲୋକଙ୍କ ସେବାରେ ରହିଛୁ । ଏଣୁ ମୋ ବିଷୟରେ ମୋ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ଦରକାର ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ବାଚନ ତାଙ୍କୁ ସବୁ ଦଳରୁ ଭୋଟ ମିଳିବ । ବିଜେଡି,ବିଜେପି ଏବଂ କଂଗ୍ରେସର ଲୋକମାନେ ତାଙ୍କୁ ଭଲ ପାଆନ୍ତି । ସୁନିଲ ମହାନ୍ତି ଜଣେ ବ୍ୟବସାୟୀ ଲୋକ । ସେ ଜନ ସେବା ପାଇଁ ଜମା ବି ଫିଟ ନୁହନ୍ତି । ଜନସେବା ବହୁତ୍ କଷ୍ଟ କାର୍ଯ୍ୟ । ତାହା ପାଇଁ ଅନେକ ଧର୍ଯ୍ୟ ଦରକାର । ଏଣୁ ସେ ରାଜନୀତି ପାଇଁ ଠିକ୍ ନୁହନ୍ତି ।ଏଣୁ ମୁଁ ତାଙ୍କୁ ଗୁରୁତ୍ଵ ଦେଉନାହିଁ । ଖୁବ ଶୀଘ୍ର ବିଜେପି ତାର ପ୍ରଚାର କାର୍ଯ୍ୟକ୍ରମ କରିବ । ଲୋକ ସହ ରହି ବିଜେପି ନିର୍ବାଚନ ଲଢିବା ସହ ପୁରୀ ବିଧାନସଭା ଆସନରେ ବିପୁଳ ବିଜୟ ହାସଲ କରିବ ।
ତେବେ ଗତ 2019 ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଜୟନ୍ତୀ ଷଡ଼ଙ୍ଗୀ ବିଜୟ ଲାଭ କରିଥିଲେ । ତାଙ୍କ ପ୍ରତିପକ୍ଷ ତଥା ଭେଟେରାନ ଲିଡର ମହେଶ୍ଵର ମହାନ୍ତିଙ୍କୁ ପରାସ୍ତ କରିଥିଲେ । ତେବେ ମହେଶ୍ବରଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁନିଲ ମହାନ୍ତିଙ୍କୁ ବିଜେଡି ସୁପ୍ରିମୋ ଟିକଟ ଦେଇଛନ୍ତି । ତେବେ ସୁନିଲ ନବାଗତ ହୋଇଥିବା ବେଳେ ରାଜନୀତିରେ ପୋଖୋତ ନୁହନ୍ତି । ସେପଟେ ପୁର୍ବ ନିର୍ବାଚନରେ ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ମହେଶ୍ବର ମହାନ୍ତି ନିର୍ବାଚନରେ ପରାସ୍ତ ହେଇଥିଲେ । ତେବେ ସୁନିଲ ମହାନ୍ତି ଟିକେଟ ପାଇବା ପରେ ଏକ ଗୋଷ୍ଠୀ ଚୁପ୍ ଥିବାବେଳେ ଆଗାମୀ ନିର୍ବାଚନରେ ସେମାନେ ସହଯୋଗ ନ କରିବା ଆଶଙ୍କା ରହିଛି । ଏଣୁ ସୁନିଲଙ୍କ ପାଇଁ ନିର୍ବାଚନ ଜିତିବା ଏତେ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ପୁରୀ