ରାଇରଙ୍ଗପୁର: ଆଜି ଖୁସିରେ ନାଚି ଉଠୁଛି ମୟୂରଭଞ୍ଜ ଜିଲ୍ଲା । କାରଣ ଗାଁକୁ ଆସିଛନ୍ତି ରାଷ୍ଟ୍ରପତି ଝିଅ । ରାଷ୍ଟ୍ରପତି ହେବା ଅନେକ ଥର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଆଜି ପ୍ରଥମ ଥର ପୈତୃକ ଗାଁ ଉପରବେଡା ଆସିଥିଲେ ଗାଁର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ କିଛି ସମୟ ବିତାଇବା ପରେ ସ୍ବତନ୍ତ୍ର କାରଡେକରେ ଆସିଥିଲେ ରାଇରଙ୍ଗପୁର । ଏହି ଗସ୍ତ ସମୟରେ ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତରଖାନାକୁ ପ୍ରଦାନ କରିଥିଲେ । ଏଥିସହ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟକୁ ଆସି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଛାତ୍ରୀଙ୍କ ସହ କରିଛନ୍ତି ଭାବବିନିମୟ । ରାଷ୍ଟ୍ରପତିଙ୍କୁ ପାଖରେ ପାଇ ଛାତ୍ରୀ ବି ବେଶ ଖୁସି ।
ରାଇଙ୍ଗପୁର ଉପଖଣ୍ଡକୁ ପ୍ରଦାନ କଲେ ଆମ୍ବୁଲାନ୍ସ:
ଆଜି(ଶୁକ୍ରବାର) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଗସ୍ତରେ ଆସି ସର୍ବପ୍ରଥମେ ପୈତୃକ ଗ୍ରାମ ଉପରବେଡା ଗ୍ରାମରେ ପାଦ ପକାଇଥିଲେ । ସେଠାରେ ସମସ୍ତ କାର୍ଯ୍ୟକ୍ରମ ସାରି ମହାମହିମ ସ୍ବତନ୍ତ୍ର କାରକେଡ ଯୋଗେ ସଡ଼କ ପଥରେ ରାଇରଙ୍ଗପୁର ଆସିଥିଲେ । ଦିନ ପ୍ରାୟ ୧.୦୫ ସମୟରେ ଉପରବେଡା ଗ୍ରାମରୁ ବାହାରି ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନ ଆସିଥିଲେ ମହାମହିମ । ସେଠାରେ ମଧ୍ୟାହ୍ନ ଭୋଜନ ଓ ଅଳ୍ପ ବିଶ୍ରାମ ପରେ ମହାମହିମ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ସେଠାରେ ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତରଖାନାକୁ ପ୍ରଦାନ କରିଥିଲେ । ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ଚଳାଚଳର ଶୁଭ ଉଦଘାଟନ କରିଥିଲେ ରାଷ୍ଟ୍ରପତି ।
କଣ ଉପଦେଶ ଦେଲେ ମହାମହିମ ?
- ମହିଳାଙ୍କୁ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଆଗକୁ ବଢିବାକୁ ହେବ
- ଶିକ୍ଷାକୁ କେବଳ ଅର୍ଥ ଉପାର୍ଜନର ମାଧ୍ୟମ ଭାବନ୍ତୁ ନାହିଁ
- ସୁନାଗରିକ ଭାବେ ପ୍ରତିଷ୍ଠିତ କରିବା ପାଇଁ ଶିକ୍ଷା ଆବଶ୍ୟକତାକୁ ଉପଲବ୍ଧି କର
- ଆଗକୁ ଯିବାକୁ ହେବ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ
- ରାଇରଙ୍ଗପୁରକୁ ଲୋକେ ପଛୁଆ ଅଞ୍ଚଳ ଭାବନ୍ତି, ଏହାକୁ ଭୁଲ ପ୍ରତିପାଦନ କରିବାକୁ ହେବ
ରାଷ୍ଟ୍ରପତିଙ୍କୁ ପାଖରେ ପାଇ ସମସ୍ତେ ବେଶ ଖୁସି:
ପରେ ମହାମହିମ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଆସି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହାମହିମଙ୍କୁ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଭବ୍ୟ ସ୍ଵାଗତ କରା ଯାଇଥିଲା । ରାଷ୍ଟ୍ରପତିଙ୍କୁ ଉତ୍ତରୀୟ ଓ ଉପହାର ସ୍ଵରୂପ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପ୍ରଦାନ କରାଯାଇଥିଲା । ମହାମହିମ ସେଠାରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ ।
ଏନେଇ ଜଣେ ଛାତ୍ରୀ କହିଛନ୍ତି, ‘ରାଷ୍ଟ୍ରପତିଙ୍କୁ ପାଖରେ ପାଇ ଆମେ ବେଶ ଖୁସି’ ।
ଶିକ୍ଷା କେବଳ ଅର୍ଥ ଉପାର୍ଜନର ମାଧ୍ୟମ ନୁହେଁ:
ଏହି ଅବସରରେ ନିଜ ଅଭିଭାଷଣରେ ମହିଳାଙ୍କୁ ସଫଳତାର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତ ବାଧା ବିଘ୍ନକୁ ଏଡାଇ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢିବାର ଉପଦେଶ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶିକ୍ଷାକୁ କେବଳ ଅର୍ଥ ଉପାର୍ଜନର ମାଧ୍ୟମ ନ ଭାବି ନିଜକୁ ଜଣେ ସୁନାଗରିକ ଭାବେ ପ୍ରତିଷ୍ଠିତ କରିବା ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରିବା । ଏହାସହ କୌଣସି ପରିସ୍ଥିତିରେ ସଂଘର୍ଷରୁ କେବେ ଓହରି ଯିବ ନାହିଁ ବୋଲି ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଆଗକୁ ଯିବାକୁ ହେବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେବ ବୋଲି କହିଥିଲେ ।
କଲେଜର ଅସୁବିଧା ଶୁଣିଲେ, ଆବଶ୍ୟକତା ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ:
ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ, ରାଇରଙ୍ଗପୁର ଉପଖଣ୍ଡକୁ ସମସ୍ତେ ପଛୁଆ ଅଞ୍ଚଳ ବୋଲି ଭାବନ୍ତି । ସେହି କଥାକୁ ଭୁଲ ପ୍ରତିପାଦନ କରିବାକୁ ହେବ । ସେପଟେ ମହିଳା ମହାବିଦ୍ୟାଳୟର କିଛି ଅସୁବିଧା ସମ୍ପର୍କରେ ଛାତ୍ରୀଙ୍କ ଠାରୁ ମହାମହିମ ଶୁଣିବା ପରେ ସରକାରଙ୍କ ସହିତ କଥାବାର୍ତ୍ତା ହୋଇ ଯାହାବି କଲେଜର ଆବଶ୍ୟକତା ରହିଛି ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ମହାମହିମ । ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ମହାମହିମ ସ୍ବତନ୍ତ୍ର କାରକେଡ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମହାଦେବ ମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର