ରାଇରଙ୍ଗପୁର: ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡ଼ ଦ୍ୱାରା ଓମଫେଡକୁ ବିପଣନ ସହାୟତା ପ୍ରଦାନ । ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ । ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମୟୂରଭଞ୍ଜର ୩ ହଜାର ଚାଷୀଙ୍କୁ ଅଧିକ କ୍ଷୀର ଦେଉଥିବା ଗାଈ ପ୍ରଦାନ କରାଯାଇଛି । ଆଭାସୀ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
ଗୋ-ସମ୍ପଦର ଉନ୍ନତି:
ତେବେ ଏହି କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଉଦଘାଟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ଯେ, ଏହି ଯୋଜନାରେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଗୋ ଏବଂ ପିଲାମାନେ ଉଭୟ ଉପକୃତ ହେବେ । ଗ୍ରାମୀଣ ଗୋପାଳକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କୃଷି କାର୍ଯ୍ୟରେ ମଧ୍ୟ ଗୋପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଦେଶର ଗୋ-ସମ୍ପଦର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ସ୍ୱାଗତ କରିବା ସହିତ ରାଜ୍ୟ ସରକାରଙ୍କ ଏଥି ନିମିତ୍ତ ସହଯୋଗକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ।
ବୁଲା ଗାଈ ଗୋରୁଙ୍କ ପାଇଁ ଗୋଶାଳା:
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର କରିଥିବା କାମଧେନୁ ଯୋଜନା, ଅସହାୟ ଓ ବୁଲା ଗାଈ ଗୋରୁଙ୍କ ପାଇଁ ଗୋଶାଳା ଯୋଜନା ଇତ୍ୟାଦି ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରିଛନ୍ତି । ଏହା ସହିତ ଦୁଗ୍ଧ ହେଉଛି ଜୀବନୀ ଶକ୍ତିର ଉତ୍ସ ଏବଂ ଗୋ-ସେବା ଆମ ସଂସ୍କୃତିର ବହୁ ପୂରାତନ ପରମ୍ପରା, ଗୋମାତା ସେବା ଦ୍ୱାରା ଦୁଃଖରୁ ମୁକ୍ତି ମିଳେ ବୋଲି ଆଭାସୀ ମାଧ୍ୟମରେ ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପଞ୍ଚାୟତରେ କ୍ଷୀରଧାରା କେନ୍ଦ୍ର:
ଏହି ଅବସରରେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, "ଓଡ଼ିଶାର ସମସ୍ତ ପଞ୍ଚାୟତରେ କ୍ଷୀରଧାରା କେନ୍ଦ୍ର କରାଯିବ । ପ୍ରତି ବ୍ଲକରେ ଦୁଗ୍ଧ ଶୀତଳିକରଣ ଭଣ୍ଡାର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଦୁଗ୍ଧ ଉତ୍ପାଦନକୁ ଦ୍ବିଗୁଣିତ କରିବା ଓ କ୍ଷୀର ମିଶନ ଧାରାକୁ ଶ୍ବେତ ବିପ୍ଲବ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ଦିନରେ ନିଶ୍ଚିନ୍ତ ଭାବରେ ଏହା ସଫଳ ହେବ । ଗ୍ରାମାଞ୍ଚଳର ବିକାଶ ହେବ । ଗ୍ରାମାଞ୍ଚଳର ଲୋକ ଅର୍ଥନୈତିକ କ୍ଷେତ୍ରରେ ଲାଭବାନ ହୋଇପାରିବେ ।" ସେହିପରି ଗୋ ଚାଷୀ ମଞ୍ଜୁଲତା ଗିରି କହିଛନ୍ତି, "ମୁଁ ଆଜି ଗାଈ ପାଇ ବହୁତ ଖୁସି ଅଛି । ଏହା ମହିଳାଙ୍କ ପାଇଁ ଏକ ବଡ଼ ସୁଯୋଗ । ଘରେ ରହି ଗୋପାଳନ କରି ଆମେ ଆତ୍ମନିର୍ଭରଶୀଳ ହୋଇପାରିବୁ ।"
୩ ହଜାର ଗାଈ ପ୍ରଦାନ:
ତେବେ ଏନଡିଡିବି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକ୍ରମ ଅଧିନସ୍ଥ ପି.ଇ.ଏସ. ଯୋଜନା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକକୁ ସମୁଦାୟ ୩୦୦୦ଟି ଉନ୍ନତମାନର ଗାଈ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ରାଇରଙ୍ଗପୁର ସବ ଡିଭିଜନ ପାଇଁ ୧୦୦୦ ଜଣ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ ଗାଈ ଦିଆଯାଇଛି । ଉକ୍ତ ଗାଈ ଗୁଡିକ ଗୁଜୁରାଟରୁ ଅଣାଯାଇ ମୟୂରଭଞ୍ଜ ଜିଲ୍ଳାର ଦୁଗ୍ଧ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଗାଈ ପ୍ରଜାତିର ଆନୁବଂଶିକ ଉନ୍ନତି (ଜେନେଟିକ ଅପଗ୍ରେଡେସନ )କରିବା । ଯାହାଦ୍ୱାରା ଦୁଗ୍ଧ ଚାଷୀମାନେ ଉନ୍ନତମାନର କ୍ଷୀର ଉତ୍ପାଦକ ଗାଈ ଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହୋଇପାରିବେ । ଏହା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ଏବଂ ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଘଟିବ । ତେବେ ଗାଈ ଯୋଗାଇ ଦେବା ପରେ ଏହାର ଉପଯୁକ୍ତ ପାଳନ ଓ ଆନୁସଙ୍ଗିକ ବିଷୟରେ ଚାଷୀମାନଙ୍କୁ NDDB ତରଫରୁ ଆବଶ୍ୟକ ତାଲିମ ଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଫଳରେ ଚାଷୀମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସକ୍ଷମ ହୋଇ ପାରିବେ ।
ଏହା ମଧ୍ୟ ପଢ଼ନ୍ତୁ...ଦୁଗ୍ଧ ଉତ୍ପାଦନରେ ପଛରେ ପଡିଛି ଓଡ଼ିଶା ! ୫ ବର୍ଷରେ ୨ ଗୁଣ ବୃଦ୍ଧି କରିବେ ରାଜ୍ୟ ସରକାର ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଲାଗୁ ହେବ 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା', ଖର୍ଚ୍ଚ ହେବ ୧୪୨୪ କୋଟି - Kamadhenu Yojana |
ଏହା ବ୍ୟତୀତ ଗିଫ୍ଟ ମିଲ୍କ ଯୋଜନାରେ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୧୯ଟି ସରକାରୀ ବିଦ୍ୟାଳୟର ୧୧୮୪ ଜଣ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ପୋଷଣ ତଥା ମାନସିକ ଓ ଶାରୀରିକ ବିକାଶ ପାଇଁ ମଧ୍ୟାହ୍ନ ଭୋଜନରେ ୨୦୦ MLର ଭିଟାମିନ -A ଓ D ମିଶ୍ରିତ ପୁଷ୍ଟିଯୁକ୍ତ କ୍ଷୀର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ରାଇରଙ୍ଗପୁରର କିଛି ଚାଷୀ ଭାଇ ଭଉଣୀମାନଙ୍କୁ ବିଭାଗୀୟ ମନ୍ତ୍ରୀ ତଥା ଅତିଥିମାନେ ପ୍ରତୀକାତ୍ମକ ଭାବରେ ମଞ୍ଚରେ ଗୋ ପ୍ରଦାନ କରିଛନ୍ତି । କିଛି ଛାତ୍ରଛାତ୍ରୀଙ୍କୁ ଭିଟାମିନ A ଏବଂ D ଯୁକ୍ତ ୨୦୦ Mlର ପୁଷ୍ଟିକର ଦୁଗ୍ଧ ବୋତଲ ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, ମୟୂରଭଞ୍ଜ