ମାଲକାନଗିରି: ଅଦିନିଆ ବର୍ଷା ଉଜାଡ଼ି ଦେଲା ଏକର ଏକର ଧାନ ଫସଲ । ଜମିରେ ଭିଜିଲା ଅମଳ ଅପେକ୍ଷାରେ ଥିବା ଧାନ । ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଛି । ଏପରିକି ଅପରାହ୍ନରୁ ବର୍ଷା ଆରମ୍ଭ ହୋଇ ରାତି ତମାମ୍ ଜାରି ରହୁଛି । ଫଳରେ ଏକର ଏକର ଜମିରେ ପାଣି ଭର୍ତ୍ତି ହେବା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ଫସଲ ଉଜାଡ଼ି ଦେଇଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।
ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଅଦିନିଆ ବର୍ଷା:
ବିଶେଷ କରି ମାଥିଲି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଚାଷୀମାନେ ନିଜ ନିଜର ଜମିରେ ଧାନ ଗଛ କାଟି ରଖିଥିବା ବେଳେ ବର୍ଷା ଯୋଗୁଁ ଖଳାକୁ ଆଣିପାରି ନାହାନ୍ତି । ଯାହାଫଳରେ ଜମିରେ ବର୍ଷା ପାଣି ଭର୍ତ୍ତି ହୋଇ ଧାନ ଫସଲ ନଷ୍ଟ ହୋଇଛି । ଏହାସହ ଯେଉଁ ଚାଷୀ ଧାନ କାଟି ନିଜ ଖଳାରେ ରଖିଥିଲେ ସେହି ସବୁ ଧାନ ଅଦିନିଆ ବର୍ଷାରେ ଓଦା ହୋଇ ଗଜା ହେବାକୁ ବସିଲାଣି । ଅଦିନିଆ ବର୍ଷା ଜିଲ୍ଲାର ଚାଷୀମାନଙ୍କର ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ଦେଇଛି ।
ଫସଲ ନଷ୍ଟ ହୋଇଥିବା ସ୍ଵୀକାର କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ:
ଆସନ୍ତା ୧୬ ତାରିଖରୁ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବାକୁ ଥିବାବେଳେ ଫସଲ ନଷ୍ଟ ହେଲେ ମଣ୍ଡିରେ ଧାନ ବିକ୍ରି ନହେବା ଆଶଙ୍କା ଦେଖା ଦେଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ ରଞ୍ଜନ ମହାଲିକଙ୍କୁ ପଚାରିବାରୁ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବା ସେ ସ୍ଵୀକାର କରିଛନ୍ତି । ବିଭାଗୀୟ କ୍ଷେତ୍ର କର୍ମଚାରୀ ରାଜସ୍ବ ନୀରିକ୍ଷକଙ୍କ ସହ ମିଶି କେତେ ଜଣ ଚାଷୀଙ୍କର ଫସଲ ନଷ୍ଟ ହୋଇଛି, ତାହାର ଆକଳନ କରାଯିବ ।ଏହାପରେ ଚାଷୀ ପାଇଁ କ୍ଷତି ପୂରଣ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ୩୩ ପ୍ରତିଶତରୁ ଅଧିକା ଫସଲ ନଷ୍ଟ ହେଲେ ହିଁ କ୍ଷତି ପୂରଣ ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ ।
ସରକାରୀ ସହାୟତା ଦାବି:
କେବଳ ଧାନ ଚାଷ ନୁହେଁ, ଆଳୁ, ବାଦାମ ସହ ଡାଲିଜାତୀୟ ଏବଂ ପନିପରିବା ମଧ୍ୟ ଲଗାଇଛନ୍ତି ଚାଷୀ । ଏହି ଫସଲ ମଧ୍ୟ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଫସଲ ନଷ୍ଟ ହେଉଥିବା ଦେଖି କି ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଏପଟେ ଋଣ ବୋଝ ଅନ୍ୟପଟେ ପରିବାର ପ୍ରତିପୋଷଣ ଯାହା ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ କରିଛି । ସରକାର ସହଯୋଗ ନକଲେ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ବୋଲି କୃଷକ ସଂଘ କହିଛି ।
ଇଟିଭି ଭାରତ, ମାଲକାନଗିରି