ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଦେଶବ୍ୟାପୀ ପାଳନ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ । ଏ ନେଇ ରାଜଧାନୀ ଭୁବନେଶ୍ବରରେ ପାଳନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀମାର୍ଗରେ ପ୍ରତିବର୍ଷ ପାଳନ ହେଉଥିବା ଏହି ଜାତୀୟ ଉତ୍ସବ କାର୍ଯ୍ୟକ୍ରମର ସୁରକ୍ଷା ପାଇଁ କାର୍ଯ୍ୟକାରୀ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ କରିଛନ୍ତି ସମୀକ୍ଷା । ଡିଜିପି କହିଛନ୍ତି, ଗାନ୍ଧୀମାର୍ଗରେ ଜାନୁଆରୀ ୨୬ ପାଇଁ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଆଜି ଫୁଲ ଡ୍ରେସ ରିହର୍ସାଲ ହୋଇଛି ।
ଏହି ଦିବସ ପାଇଁ ବିଭିନ୍ନ ରାଙ୍କ୍ ର ୧୬୦ ଜଣ ଅଫିସରଙ୍କ ସହ ୩୦୦ ଜଣ ଟ୍ରାଫିକ ଓ ଓଡିଶା ରିଜର୍ଭ ଫୋର୍ସର କନେଷ୍ଟବଳ , ୯୦ ଜଣ ସେକ୍ସନ ଫୋର୍ସ ଓ ୧୫୦ ଜଣ ହୋମଗାର୍ଡ ମୁତୟନ ହେବେ । ଗାନ୍ଧୀମାର୍ଗ ଓ ତତସଂଲଗ୍ନ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରେ ଆଉଟର ସିକ୍ୟୁରିଟି, ଇନର ସିକ୍ୟୁରିଟି ଓ ଆଇସୋଲେସନ ସିକ୍ୟୁରିଟି ଅନ୍ତର୍ଭୁକ୍ତ । ଏତଦ ବ୍ୟତୀତ ଷ୍ଟ୍ରାଇକିଂ ଫୋର୍ସ, ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍, ବମ୍ ଡିସପୋଜାଲ ସ୍କ୍ବାଡ୍, ଡଗସ୍କ୍ବାଡ୍, ସହିତ ଏନଆଇଏ ସ୍କ୍ବାଡ୍ ମଧ୍ୟ ମୁତୟନ ରହିବେ ।
ଏହା ମଧ୍ୟ ପଢନ୍ତୁ ... ଜୁନିଅର ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ୍, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର
ଏ ସମସ୍ତ ସୁରକ୍ଷା ପ୍ରସ୍ତୁତି ପୋଲିସ କମିଶନରଙ୍କ ନେତୃତ୍ବରେ ହେବା ସହ ଭୁବନେଶ୍ବର ଡିସିପି ଏ ନେଇ ତାଙ୍କୁ ସହଯୋଗ କରିବେ। ସେହିପରି ଜିଲ୍ଲା ସ୍ତରରେ ତଥା ସବଡିଭିଜନ ସ୍ତରରେ ହେଉଥିବା ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି । ମାଓ ପ୍ରଭାବିତ ଜିଲ୍ଲା ତଥା ଅଞ୍ଚଳରେ ସୁରକ୍ଷାବଳ ହାଇ ଆଲର୍ଟରେ ରହିବା ସହ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ରାଜ୍ୟ ସ୍ତରୀୟ ପରେ୍ଡରେ ବିଭିନ୍ନ ଜିଲ୍ଲାରୁ ପ୍ରଜ୍ଞାପନ ମେଢ଼ ଓ ସାଂସ୍କୃତିକ ଦଳ ନିଜ ନିଜର କଳା ପ୍ରଦର୍ଶନ କରିବେ ।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ହୋଟେଲ ଭଳି ଜନଗହଳି ସ୍ଥାନ ଉପରେ ରହିବ ପୋଲିସର କଡା ନଜର । ମାଓ ଉପଦ୍ରବ ବା କୌଣସି ଆତଙ୍କୀ ବା ଆତତାୟୀ ଘଟଣା ନଘଟେ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଜିଲ୍ଲାରେ ହେବାକୁ ଥିବା କାର୍ଯକ୍ରମ ପାଇଁ ଜିଲ୍ଲା ପୋଲିସ ଜରିଆରେ ସୁରକ୍ଷା କଡାକଡି କରିବା ସହ ଭିଆଇପି ଓ ଭିଭିଆଇପିଙ୍କ ପତାକା ଉତ୍ତୋଳନ କାର୍ଯକ୍ରମ ଉପରେ ଗୁଇନ୍ଦା ବିଭାଗ ନଜର ରଖିବ ।
ଇଟିଭି ଭାରତ, ଭୁବନେଶ୍ବର