ଭୁବନେଶ୍ବର: ପ୍ରବଳ ଖରା ଓ ହିଟୱେଭ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ ସଜାଗ ସ୍ବାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲା ହସ୍ପିଟାଲରେ ୬ଟି ବେଡ ଓ ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡ୍ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ଏସି କିମ୍ବା ୱାଟର କୁଲରର ବ୍ୟବସ୍ଥା ରହିବ । ପର୍ଯ୍ୟାପ୍ତ ପରିମାଣର ପାଣି, ଓଆରଏସ ରହିବ । ଏହାସହିତ ଡାକ୍ତରମାନେ 24 ଘଣ୍ଟା ରୋଟେସନ ଡ୍ୟୁଟିରେ ଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ଅଂଶୁଘାତ ମୁକାବିଲା ପାଇଁ ଯାହା ଆବଶ୍ୟକ ଔଷଧଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା । ଡାକ୍ତରମାନେ ୨୪ ଘଣ୍ଟା କିଭଳି ରୋଟେସନରେ ଡ୍ୟୁଟି କରିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଡାକ୍ତରମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ପ୍ରତିଦିନ ତଥ୍ୟ ସ୍ବାସ୍ଥ୍ୟ ବିଭାଗକୁ ହସ୍ତଗତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ କୌଣସି କେସ ଆସିନାହିଁ । ଏନେଇ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଏହା ବି ପଢନ୍ତୁ- ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର, ୪ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ସୂଚନା ଅନୁଯାୟୀ, ଦିନ ୧୧ଟାରୁ ୩ଟା ମଧ୍ୟରେ ଖରାର ତାତି ସବୁଠାରୁ ଅଧିକ ଥାଏ । ଏଣୁ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଆବଶ୍ୟକ ସ୍ଥଳେ ବାହାରକୁ ଯିବାକୁ ହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡାନ୍ତୁ । ଛତା, ଯୋତା ଓ କଳା ଚଷମା ବ୍ୟବହାର କରନ୍ତୁ । ସାଥିରେ ଥଣ୍ଡାପାଣି ନିଅନ୍ତୁ । ବାହାରକୁ ଯିବା ଆଗରୁ ଓ ପହଞ୍ଚିବା ପରେ ସୁରେଇ, ମାଠିଆ ଆଦିରେ ଥିବା ପାଣି, ଲେମ୍ବୁ ସରବତ, ଘୋଳଦହି, ଲୁଣ ମିଶା ତୋରାଣି ପିଅନ୍ତୁ। ଶରୀରରେ ବାୟୁ ଚଳାଚଳ ପାଇଁ ସୂତା ଲୁଗା ବ୍ୟବହାର କରନ୍ତୁ । ହାଲିଆ ଲାଗିଲେ ଛାଇ ସ୍ଥାନ ଓ ପବନ ଚଳାଚଳ ସ୍ଥାନରେ ବିଶ୍ରାମ ନିଅନ୍ତୁ ।
ସେହିପରି ଘରେ ଟିଣ ଓ ଆଜବେଷ୍ଟସ ଛାତ ଥିଲେ ତା’ ଉପରେ ନଡ଼ା ବିଛାନ୍ତୁ । ଦେହରୁ ଅଧିକ ଝାଳ ବୋହିଲେ କିମ୍ବା ପାଟି ଶୁଖିଲା ଶୁଖିଲା ଲାଗିଲେ ପ୍ରଚୁର ମାତ୍ରାରେ ପିଇବା ପାଣି, ଓ.ଆର.ଏସ ଓ ପଣା ପିଇବା ଆବଶ୍ୟକ । ଟାଣ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ । ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ ଓ ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ । ଅଂଶୁଘାତ ରୋଗୀ ଦେହରେ ବରଫ ଘଷନ୍ତୁ ନାହିଁ । କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁ ନାହିଁ । ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । ଓ.ଆର.ଏସ ପ୍ୟାକେଟ୍ ସମସ୍ତ ଆଶା, ଅଙ୍ଗନୱାଡି କେନ୍ଦ୍ର, ସ୍ବାସ୍ଥ୍ୟ ଉପକେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ଓ ସରକାରୀ ଡାକ୍ତରଖାନାଗୁଡିକରେ ସମ୍ପୂର୍ଣ୍ଣ ଭାବରେ ମାଗଣାରେ ଦିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର