ଭୁବନେଶ୍ୱର: ଅଦିନିଆ ଲଘୁଚାପ ବର୍ଷା ଚାଷକୁ ପ୍ରଭାବିତ କରିଥିବା ବେଳେ ଏନେଇ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ୩ ଦିନରେ ଆସିବ ଏବଂ ୫ ଦିନରେ ଚାଷୀମାନଙ୍କୁ କ୍ଷତିପୂରଣ ରାଶି ମିଳିବ । ଆଜି(ସୋମବାର) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ବୟାନ ରଖିଛନ୍ତି ।
୩ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ
ଧାନ ଅମଳ ସମୟରେ ଅଦିନିଆ ଲଘୁଚାପ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଛି ଚାଷୀ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅଦିନିଆ ବର୍ଷାରେ ଚାଷୀ କ୍ଷତି ସହିଛନ୍ତି । ବର୍ଷା ଛାଡିବା ଦିନଠୁ ତାର ଆକଳନ ଚାଲିଛି । ଯେଉଁ ଜିଲ୍ଲାରେ ଅଧିକ କ୍ଷତି ହେଇଛି ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଆକଳନ ପାଇଁ । ୩ ଦିନ ଭିତରେ ଏହି କ୍ଷୟକ୍ଷତି ରିପୋର୍ଟ ଆସିବ । ୫ ଦିନରେ ଚାଷୀମାନଙ୍କୁ କ୍ଷତିପୂରଣ ରାଶି ମିଳିବ ।
ଗଞ୍ଜାମରେ ସର୍ବାଧିକ କ୍ଷୟକ୍ଷତି
ମନ୍ତ୍ରୀ ସୁରେଶ ପୂଜାରୀ ଆଉ ମଧ୍ୟ କହିଛନ୍ତି, " ରାଜସ୍ବ ବିଭାଗର ଅଧିକାରୀ ମାନେ କାମରେ ଲାଗିଛନ୍ତି । ଯେଉଁ ଜିଲ୍ଲାରେ ବର୍ଷା ହୋଇନାହିଁ ରାଜସ୍ବ ଅଧିକାରୀମାନେ ସେଠାରୁ ଆସି କ୍ଷତିଗ୍ରସ୍ତ ଜିଲ୍ଲାରେ କାମ କରି ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି । ଆଉ ଯେଉଁ ଯେଉଁ ଜିଲ୍ଲାରେ କ୍ଷତି ହୋଇଛି ତାହାର ଆକଳନ ଚାଲିଛି ।"
ଧାନ ବିକ୍ରୟ ବେଳେ ଚାଷୀଙ୍କ ପ୍ରତି କୋହଳ ମନୋଭାବ
ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, "ଯେଉଁ ଚାଷୀମାନଙ୍କର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ତାର କ୍ଷତିପୂରଣ ରିପୋର୍ଟ ଆସିବା ମାତ୍ରେ ତୁରନ୍ତ କ୍ଷତିପୂରଣ ରାଶି ଦିଆଯିବ । ଯେଉଁମାନଙ୍କର ଅଳ୍ପ ନଷ୍ଟ ହୋଇଛି ଜିଲ୍ଲା ପ୍ରଶାସନ ତାଙ୍କ ପ୍ରତି କୋହଳ ମନୋଭାବ ରଖି ସେହି ଧାନ କିଭଳି ବିକ୍ରି ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାର କହିଛନ୍ତି । ଚାଷୀମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ସରକାର ଉଚିତ ପଦକ୍ଷେପ ନେବେ ।"
ଏହାମଧ୍ୟ ପଢନ୍ତୁ... ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଲା ଅଦିନିଆ ବର୍ଷା, ପାଣିରେ ଭାସୁଛି ବର୍ଷକର ଦାନା IMD Alert: ପୁଣି ୨୪ରୁ ବର୍ଷା, ୨ ଦିନ ଧରି ବର୍ଷିବ ଅଦିନିଆ ବର୍ଷା ଉଜାଡିଲା ଧାନ, କ୍ଷେତରେ ମନ୍ତ୍ରୀ ବିଭୂତି ଜେନାଙ୍କ ସ୍ଥିତି ଅନୁଧ୍ୟାନ |
ଇନପୁଟ ସବସିଡି ଆକାରରେ କ୍ଷତିପୂରଣ ଭରଣା
ଇନପୁଟ ସବସିଡି ଆକାରରେ କ୍ଷତିପୂରଣ ଭରଣା କରିଥାଉ । ଯେଉଁମାନେ ଇନସୁରାନ୍ସ କରିଥିବେ ସେମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେବେ । ରାଜସ୍ୱ ବିଭାଗ, ସମବାୟ ବିଭାଗ, କୃଷି ବିଭାଗ, ଯୋଗାଣ ବିଭାଗ ଏବଂ ଇନସୁରାନ୍ସ କମ୍ପାନୀର ପ୍ରତିନିଧିମାନଙ୍କ ଉପସ୍ଥିତିରେ କ୍ରପ କଟିଙ୍ଗ ରିପୋର୍ଟ ପ୍ରସ୍ତୁତ ହେବ । କେତେ ପ୍ରତିଶତ ଧାନ କ୍ଷତି ହୋଇଛି ତାହାର ଆକଳନ ହେବ । ଆକଳନ ପରେ ଇନପୁଟ ସବସିଡି ଆକାରରେ ସରକାର କ୍ଷତିପୂରଣ ଦେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ୱର