ଭୁବନେଶ୍ୱର: ଆନ୍ତର୍ଜାତିକ ସ୍ତରରେ ଚମକିଲେ ଓଡ଼ିଆ ଝିଅ ସାଇନା ସାଲୋନିକା । ଫିସୁ ୱାର୍ଲ୍ଡ ବିଶ୍ୱ ବିଶ୍ୱବିଦ୍ୟାଳୟ ମାଇଣ୍ଡ ସ୍ପୋର୍ଟ୍ସ ଚାମ୍ପିଅନସିପରେ ସାଇନା ରୌପ୍ୟ ପଦକ ଜିତିଛନ୍ତି । ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲୁଆଇଏମ୍) ବର୍ଗରେ ଖେଳି ବିଶ୍ୱବିଦ୍ୟାଳୟ ମାଇଣ୍ଡ ସ୍ପୋର୍ଟସ ଚେସ ଗେମ୍ସରେ ବ୍ୟକ୍ତିଗତ ସିଲଭର ବା ରୌପ୍ୟ ପଦକ ଜିତିଛନ୍ତି । ବ୍ୟକ୍ତିଗତ ପଦର୍ଶନ କ୍ଷେତ୍ରରେ ସାଇନା ସାଲୋନିକା ରୌପ୍ୟ ପଦକ ହାତେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ଏହି ସଫଳତା ହାସଲ କରି ସେ ବର୍ତ୍ତମାନ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିସହ ସମସ୍ତେ ତାଙ୍କୁ ଏହି ସଫଳତା ପାଇଁ ଶୁଭକାମନା ମଧ୍ୟ ଜଣାଇଥିଲେ । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରତିଯୋଗିତା ଭାଗ ନେଇ ବେଶ ଖୁସି ଥିବା କହିଛନ୍ତି ।
ସାଇନା କହିଛନ୍ତି, ''ଭାରତରୁ ପ୍ରତିନିଧିତ୍ବ କରୁଥିବା ବେଳେ ଅନେକ ଚ୍ୟାଲେଞ୍ଜକୁ ନେଇ ରୌପ୍ୟ ପଦକ ଜିତିଥିବା ବେଳେ ଆଗକୁ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିଯୋଗିତା ଖେଳିବା ସହ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶାର ନାଁକୁ ବିକଶିତ କରିବାର ଯୋଜନା ରହିଛି । ଆଉ ଆଜିର ଏହି ପୁରସ୍କାର ତାଙ୍କୁ ଆଗକୁ ବଢ଼ିବାରେ ଅଧିକ ଉତ୍ସାହିତ କରିବା ବୋଲି ସେ କହିଛନ୍ତି । ଚେସ ପ୍ରତିଯୋଗିତା ସହ ସେ ରାଜନୀତି ବିଭାଗରେ ସ୍ନାତକ ପାସ କରିଛନ୍ତି । ତେଣୁ ଉଭୟକୁ ସମାନ୍ତରାଳ ଭାବରେ ନେଇ ଆଗକୁ କ୍ରୀଡା କ୍ଷେତରେ ଥିବା ନିଜର ପ୍ରତିଭା ପଦର୍ଶନ କରିବେ ବୋଲି କହିଛନ୍ତି । କହିରଖୁଛୁ କି, ୨୦୧୩ ମସିହାରୁ ସାଇନା ଚେସ ଖେଳୁଥିବା ବେଳେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଖେଳିଛନ୍ତି । ଏହା ହେଉଛି ତାଙ୍କର ୨୨ ତମ ଅନ୍ତର୍ଜାତୀୟ ମେଡାଲ ଅଟେ ।
ଏହା ମଧ୍ୟ ପଢନ୍ତୁ: କରାଟେରେ କୋରାପୁଟର କମାଲ, ହାତେଇଲେ 3 ମେଡ଼ାଲ
ସୂଚନା ଥାଉ କି, ୨୫ ଜୁନ୍ ରୁ ୩୦ ଜୁନ୍ ମଧ୍ୟରେ ଉଗାଣ୍ଡାରେ ଏଣ୍ଟେବେ ଠାରେ ଆୟୋଜିତ ଫିସୁ ୱାର୍ଲ୍ଡ ବିଶ୍ୱ ବିଶ୍ୱବିଦ୍ୟାଳୟ ମାଇଣ୍ଡ ସ୍ପୋର୍ଟ୍ସ ଚମ୍ପିଆନସିପ ଆୟୋଜିତ ହୋଇଥିଲା । ଏହି ଗେମ୍ସରେ ଭାରତ ପକ୍ଷରୁ ସାଇନା, ଆକାଂକ୍ଷା ହାଗୱାନେ, ମୋକ୍ଷଡା ମୋହନ ଏବଂ ଜୁନୁ ବିରୁଆଙ୍କ ସହ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳ ପ୍ରତିନିଧିତ୍ୱ କରିଥିବା ବେଳେ ଆକାଂକ୍ଷା ହାଗୱାନେ ଏହି ଚେସ ଗେମ୍ସରେ ଚାମ୍ପିଅନ ହୋଇଛନ୍ତି । ଓଡିଶାରୁ ଦୁଇ ଝିଅ ଜୁନୁ ବୀରୁଆ ଓ ସେ ଯାଇଥିବା ବେଳେ ବିଶ୍ୱସ୍ତରରେ ଅନ୍ୟ ଦେଶ ସହ ଗେମ ଖେଳିବାର ଅନୁଭୁତି ବେଶ ଭଲ ଥିବା ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର