ଭୁବନେଶ୍ବର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପସଭାପତି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେହିପରି ଚନ୍ଦ୍ରଶେଖର ବିଜୁ ଜନତା ଦଳର ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ଦଳର ସଭାପତି ଯାହା ନିର୍ଦ୍ଦେଶ ଦେବେ ତାହାକୁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ପାଳନ କରିବି ବୋଲି ନିଜ ପ୍ରାଥମିକ ପ୍ରତିକ୍ରିୟା ରଖି କହିଛନ୍ତି ଚନ୍ଦ୍ରଶେଖର
ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, "ନୂଆ ଦାଇତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ସେହିପରି ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମଧ୍ୟ ଧନ୍ୟବାଦ । ମୋ ଉପରେ ବିଶ୍ବାସ କରି ମୁଖ୍ୟମନ୍ତ୍ରୀ ମୋତେ ପୁନର୍ବାର ଦଳର ଉପସଭାପତି କରିଛନ୍ତି । ଏହା ସହିତ ଇସ୍ତାହାର କମିଟିର ଅଧ୍ୟକ୍ଷ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଭାପତି ଭାବେ ଯାହା ନିର୍ଦ୍ଦେଶ ଦେବେ ତାହା ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ପାଳନ କରିବି ।"
ସେ ଆହୁରି ମଧ୍ୟ କହିଛନ୍ତି, "ବିଜେଡି କୌଣସି କଥାରେ ଭୟଭୀତ ନାହିଁ । ଯେଉଁଦିନ ଠାରୁ ବିଜେଡି ଗଠନ ହୋଇଛି ସେବେଠାରୁ ଦଳର ଭୋଟ ହାର ବଢିଛି । ଏଥର ଲୋକସଭା ଓ ବିଧାନସଭାରେ ସର୍ବାଧିକ ଆସନରେ ବିଜେଡି ଜିତିବ । ଭୟଭୀତ ହେବା ବିଜେଡି ଶିଖିନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜନୀତି ହେଉଛି ଲୋକଙ୍କ ସେବା କରିବାର ଏକ ମାଧ୍ୟମ । କଥା କମ ଓ କାମ ବେଶୀରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି । ସେହି ପ୍ରକାର କାର୍ଯ୍ୟ କରି ଆସିଛନ୍ତି ।"
ବଦଳୁଥିବା ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚନ୍ଦ୍ରଶେଖର ସାହୁଙ୍କୁ ଆଜି ସକାଳେ ଏହି ନିଯୁକ୍ତି ଦେଇଛି ଦଳ । ଅନ୍ୟପକ୍ଷେ ଭୃଗୁ ବକ୍ସିପାତ୍ର ଆଜି ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେପଟେ ଆଜି ସନ୍ଧ୍ୟାରେ ବିଜେଡିର ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଆସିଥିବା ବେଳେ ଭୃଗୁ ବିଜେଡିରେ ସାମିଲ ହେବା କ୍ଷଣି ଦଳ ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବରେ ତାଙ୍କ ନାମ ଘୋଷଣା କରିଛି ।
ଇଟିଭି ଭାରତ, ଭୁବନେଶ୍ବର