ଭୁବନେଶ୍ବର: ରାଜ୍ୟରେ ଭୂତ ଖାଉଥିଲେ ହିତାଧିକାରୀଙ୍କ ରାସନ । ସବୁ ଜିଲ୍ଲାରେ ଅଛନ୍ତି ଭୂତ ହିତାଧିକାରୀ । E-KYC ବେଳେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଏକ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି ।
ରାଜ୍ୟରେ ଏକ ଲକ୍ଷ 77 ହଜାର 68 ଭୂତ ହିତାଧିକାରୀ:
ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ରାଜ୍ୟରେ 3 କୋଟି 36 ଲକ୍ଷ 35 ହଜାର 918ଙ୍କ ମଧ୍ୟରୁ ଆଜି ଯାଏଁ 2 କୋଟି 69 ଲକ୍ଷ 23 ହଜାର 830 ହିତାଧିକାରୀଙ୍କ କେୱାଇସି(KYC) ଯାଞ୍ଚ ସାରିଲାଣି । ଏବେବି 6 ଲକ୍ଷ 19 ହଜାର 836 ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଗୋଟିଏ ଜିଲ୍ଲାରୁ ଆସିଛି ଲକ୍ଷେ 54 ହଜାର । ସବୁ ଜିଲ୍ଲା ମିଶାଇଲେ 20 ଲକ୍ଷ ଟପିଯିବ । ଇ-କେୱାଇସି ସରିଲା ପରେ ପୂରା ତଥ୍ୟ ଆସିବ । ଇ-କେୱାଇସି ପାଇଁ ସମୟ ସୀମା ନାହିଁ । ସମସ୍ତଙ୍କର ଇ-କେୱାଇସି ହେବ ।
ବିଜେଡି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରାସନ କାର୍ଡ ସହିତ ଆଧାର ଲିଙ୍କ କରାଯାଇଛି । ଆଧାର କେନ୍ଦ୍ର ସରକାର କଣ୍ଟ୍ରୋଲ କରୁଛନ୍ତି । ତାହାଲେ ଆଧାର କଣ ଭୂତ ବୋଲି ପ୍ରଶ୍ନ କରିଛନ୍ତି । ଆମ ସରକାର ବେଳେ କୌଣସି ଭୂତ ହିତାଧିକାରୀକୁ ଚାଉଳ ଦିଆଯାଇନାହିଁ ବୋଲି ପ୍ରମିଳା କହିଛନ୍ତି ।
ସରକାର ଖସିଯିବାକୁ ବସିଛନ୍ତି: କଂଗ୍ରେସ
ସେପଟେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, "ଲକ୍ଷେ 77 ଆପଣ କଥାରେ ଶୁଣିଛନ୍ତି । ସରକାର E-KYC ନାଁରେ ଖସି ଯିବାକୁ ବସିଛନ୍ତି । ଯେଉଁମାନେ ଶ୍ରମିକ ବାହାରେ ଅଛନ୍ତି ସେମାନଙ୍କ ପାଇଁ ସମୟସୀମା ଦେବା କଥା । ଯେଉଁମାନେ E-KYC କରି ଯାଇଥିଲେ ସେମାନଙ୍କ ଆଖି ମିଶୁ ନାହିଁ ଏହି କଥା କହି ବହୁତ ନାଁ କାଟିବାକୁ ସରକାର ଚାହୁଁଛନ୍ତି । ରାଜ୍ୟବାସୀଙ୍କୁ ଜଣାନ୍ତୁ ଭୂତ ହିତାଧିକାରୀ କିଏ । ଆମେ ଦାବି କରୁଛୁ ବାହାରେ ଥିବା ହିତାଧିକାରୀଙ୍କ ପାଇଁ ସମୟ ଘୋଷଣା କରନ୍ତୁ ସରକାର ।’
ଇଟିଭି ଭାରତ, ଭୁବନେଶ୍ବର