ବାଲେଶ୍ବର: ଶିକାରୀ ଏବଂ ବନକର୍ମଚାରୀ ମୁହାଁମୁହିଁ । ବାଲେଶ୍ବର ଜିଲ୍ଲା ନୀଳଗିରି ସ୍ଥିତ କୁଲହିଡା ସଂରକ୍ଷିତ ଜଙ୍ଗଲରେ ଗତ ଦୁଇଦିନ ତଳେ ଶିକାରୀମାନେ ବନକର୍ମଚାରୀଙ୍କୁ ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ତିନି ଜଣ ବନକର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଏକ ବନ୍ଧୁକ ତିଆରି କାରଖାନା ମଧ୍ୟ ଠାବ କରାଯାଇଛି । ଏହାକୁ ନେଇ ବାଲେଶ୍ବର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଧିକ ସୂଚନା ପ୍ରଦାନ କରିଛନ୍ତି ।
ଏସପିଙ୍କ ସୂଚନା ଅନୁସାରେ, ବନକର୍ମଚାରୀଙ୍କୁ ଗୁଳିମାଡ଼ ଘଟଣାରେ ନୀଳଗିରି ଥାନାରେ ୮୭/୨୪ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ପୋଲିସ ଯେଉଁ ଶିକାରୀମାନଙ୍କୁ ଅଟକ ରଖିଥିଲା ଏବଂ ଯେଉଁ ବନ୍ଧୁକ ବ୍ୟବହୃତ ହୋଇଥିଲା ସେସବୁ ମଧ୍ୟ ଜବତ କରାଯାଇଛି । ଦୁଇ ଜଣ ଶିକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସେମାନେ ଶିଆଳୀବନ୍ଧ ଏବଂ ଶ୍ୟାମସୁନ୍ଦରପୁର ଅଞ୍ଚଳର ବୋଲି ଏସପି କହିଛନ୍ତି । ଏହା ସହିତ ପୋଲିସ ଏବଂ ବନ ବିଭାଗର ମିଳିତ ଉଦ୍ୟମରେ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଏକ ବେଆଇନ ବନ୍ଧୁକ କାରଖାନା ଚାଲୁଥିବା ଜଣାପଡ଼ିଥିଲା। ଏନେଇ ନୀଳଗିରି ଥାନାରେ ୮୮/୨୪ନମ୍ବରରେ ଏକ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରାଯାଇଛି। ଏହାଛଡା ତା ନିକଟରୁ ୪ଟି ବନ୍ଧୁକର ବିଭିନ୍ନ ସାମଗ୍ରୀ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ବିରୋଧରେ ପ୍ରମାଣ ରହିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ କ୍ଷେତ୍ରରେ ତଦନ୍ତ ଚାଲିଛି। ଏମାନେ ସବୁ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନିକଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ବନ୍ଧୁକ ସହିତ ବନ୍ଧୁକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... କୁଳଡ଼ିହା ଅଭୟାରଣ୍ୟରେ ରାତି ଅଧିଆ ଚଢ଼ାଉ, ୬ ଶିକାରୀ ଗିରଫ
ଆଗକୁ ଏଭଳି ଚଢ଼ାଉ ଜାରି ରହିବା ସହ ଯେଉଁମାନଙ୍କ ପାଖରେ ଏଭଳି ବେଆଇନ ବନ୍ଧୁକ ରହିଛି ତାହାକୁ ନେଇ ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରି ଦିଅନ୍ତୁ ବୋଲି ଏସପି ଆହ୍ବାନ ଦେଇଛନ୍ତି। ଜଙ୍ଗଲ ମଧ୍ୟରେ କୌଣସି ବେଆଇନ କାର୍ଯ୍ୟ ପାଇଁ ଅନୁମତି ନଥିବା ବେଳେ ଯଦି କେହି ଜଙ୍ଗଲ ମଧ୍ୟରେ ହେଉଥିବା ବେଆଇନ କାର୍ଯ୍ୟକଳାପ ଉପରେ ପୋଲିସକୁ ଖବର ଦେଏ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି। ଏହି ଘଟଣାରେ ପୋଲିସ ସହିତ ବନ ବିଭାଗର ଅଧିକାରୀମାନେ ସାମିଲ ରହିଛନ୍ତି । ଏହାସହ ନୀଳଗିରି ପୋଲିସକୁ ଜିଲ୍ଲା ମୁଖ୍ୟାଳୟରୁ ଏକ ସ୍ବତନ୍ତ୍ର ଫୋର୍ସ ଦିଆଯାଇଛି ଏବଂ ମିଳିତ ଉଦ୍ୟମରେ ସେମାନେ ଏହି ଚଢ଼ାଉ ଜାରି ରଖିବେ ବୋଲି ଏସପି କହିଛନ୍ତି । ବିଶେଷ କରି ବନ୍ଧୁକ କାରଖାନାରୁ ତିଆରି ହେଉଥିବା ବନ୍ଧୁକଗୁଡିକ ସ୍ଥାନୀୟ ଅଞ୍ଚଳରେ ଶିକାର କରିବା ପାଇଁ ବ୍ୟବହାର କରାଯାଉଥିବା ଏସପି କହିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର