ଭଦ୍ରକ: ଜିଲ୍ଲାରେ ଚାଞ୍ଚଲ୍ୟ । ଭଦ୍ରକ ପୌରାଞ୍ଚଳ 17 ୱାର୍ଡର ବଜାର କମିଟି କମ୍ପଲେକ୍ସ ନିକଟରେ ଥିବା ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି । କିଛି ଲୋକେ ଜଙ୍ଗଲ ସଫା କରୁଥିବା ସମୟରେ ଏହି ନରକଙ୍କାଳକୁ ଦେଖିବାକୁ ପାଇଥିଲେ । ଏନେଇ ପୁରୁଣା ବଜାର ପୋଲିସ ଷ୍ଟେସନକୁୁ ଖବର ଦେବା ପରେ ପୋଲିସ ଓ ସାଇଣ୍ଟିଫିକ ଘଟଣାସ୍ଥଳରେ ପହଞ୍ଚି କଙ୍କାଳଟିକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି । ନରକଙ୍କାଳ ନିକଟରୁ ଏକ ବ୍ୟାଗ୍, ପ୍ୟାଣ୍ଟ୍, ସାର୍ଟ୍ ଓ ଚପଲ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ କଙ୍କାଳଟି ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟର ହେବ ବୋଲି ଅନୁମାନ କରାଯାଉଛି ।
ଏହାମଧ୍ୟ ପଢନ୍ତୁ.. ମହୁଲପଲ୍ଲୀ ଗାଁ ପଡ଼ିଆରୁ ନର କଙ୍କାଳ ଠାବ, ହତ୍ୟା ସନ୍ଦେହ
ଖବର ଅନୁଯାୟୀ, ଗୁରୁବାର ଦିନ ଭଦ୍ରକ ପୌରାଞ୍ଚଳ 17 ୱାର୍ଡରେ ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟିର କମ୍ପଲେକ୍ସ ନିକଟରେ ଥିବା ଜଙ୍ଗଲ ସଫା କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଜଙ୍ଗଲରେ ଏକ ନରକଙ୍କାଳ ଦେଖିବାକୁ ପାଇଥିଲେ ସଫେଇ କାର୍ଯ୍ୟ କରୁଥିବା ଲୋକମାନେ । ଏନେଇ ତୁରନ୍ତ ଜିଲ୍ଲାର ପୁରୁଣା ବଜାର ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ।
ଏହାମଧ୍ୟ ପଢନ୍ତୁ.. ଗଞ୍ଜାମରେ ଚାଞ୍ଚଲ୍ୟ: ଜଙ୍ଗଲରୁ ନରକଙ୍କାଳ ଠାବ, ହତ୍ୟା ସନ୍ଦେହ
ଅନ୍ୟପଟେ ନର କଙ୍କାଳ ସହ ସେଠାରେ ଗୋଟିଏ ବ୍ୟାଗ, ପ୍ୟାଣ୍ଟ ସାର୍ଟ ଏବଂ ଚପଲ ସହ ଅନ୍ୟାନ୍ୟ କିଛି ଦ୍ରବ୍ୟ ପଡିଥିବା ବେଳେ ନିକଟରେ ଥିବା ଏକ ଗଛରେ ଏକ ଦୌଡି ଲାଗିଥିବା ଦେଖିବାକୁ ପାଇଛି ପୋଲିସ । ସେଗୁଡିକୁ ଉଦ୍ଧାର କରି ତଦନ୍ତ ପରିସରଭୂକ୍ତ କରିଛି ପୋଲିସ । ପ୍ୟାଣ୍ଟ୍, ସାର୍ଟ, ଚପଲକୁ ଦେଖିଲେ କଙ୍କାଳଟି ଏକ ପୁରୁଷର ହୋଇଥିବା ଅନୁମାନ କରାଯାଉଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହା ଏକ ହତ୍ୟାକାଣ୍ଡ କି ଆତ୍ମହତ୍ୟା ଜନିତ ଘଟଣା ସେନେଇ କୌଣସି ଏବେସୁଦ୍ଧା ସ୍ପଷ୍ଟ ହୋଇନଥିଲା ବେଳେ ଏହି ନର କଙ୍କାଳଟି ପାଖାପାଖି ଏକ ବର୍ଷରୁ ଊର୍ଦ୍ଧ୍ବ ସମୟର ହେବ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।
ଇଟିଭି ଭାରତ, ଭଦ୍ରକ