ଚୀନ୍ ସମେତ ଅନେକ ଦେଶରେ ତୀବ୍ର ବେଗରେ ବଢ଼ିଚାଲିଛି ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ୍ (ଏଚଏମପିଭି)। ଏପରିକି ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବାରେ ଲାଗିଛି। ଦେଶର ବିଭିନ୍ନ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି। ଏଚଏମପିଭି ଭୂତାଣୁ ସାଧାରଣ ଭାବରେ ୧୪ ବର୍ଷରୁ କମ ପିଲାଙ୍କୁ ବେଶୀ ପ୍ରଭାବିତ କରୁଛି। ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏହି ଭାଇରସ୍ ସେମାନଙ୍କୁ ଶୀଘ୍ର ସଂକ୍ରମିତ କରୁଛି ।
ଏଚ୍ଏମ୍ପିଭି ଭାଇରସ କିଛି ନୂଆ ଭାଇରସ ନୁହେଁ ବରଂ ଗତ 25ରୁ 30 ବର୍ଷ ହେଲା ବିଶ୍ବର ବିଭିନ୍ନ ସ୍ଥାନରେ ଚିହ୍ନଟ ହୋଇସାରିଛି । ହେଲେ ଏହି ଭାଇରସ ଲଗାତାର ନିଜର ପ୍ରକାର ବଦଳାଇଥାଏ ଏବଂ ନୂଆ ପ୍ରକାରରେ ସାମ୍ନାକୁ ଆସିଥାଏ । ଯେପରି ନୂଆ ଟେକ୍ନୋଲୋଜି ପରେ କୌଣସି ଗ୍ୟାଜେଟ ଅପଡେଟ ହୋଇଥାଏ ଠିକ୍ ସେହିଭଳି ଏହି ଭାଇରସ ମଧ୍ୟ ନିଜକୁ ଅପଡେଟ କରିଥାଏ । ବେଳେବେଳେ ଏହି ଭାଇରସ ଅତି ଘାତକ ରୂପରେ ସାମ୍ନାକୁ ଆସିଥାଏ ଯାହା ପ୍ରାଣଘାତି ହୋଇଥାଏ ।
କେଉଁ ମାନେ ରହିବେ ସତର୍କ ?
‘‘ଏଚଏମପିଭି ଭାଇରସ୍ ୫ ବର୍ଷରୁ କମ୍ ବୟସ୍କ ପିଲା, ଶ୍ଵାସରୋଗୀ, ବ୍ରୋଙ୍କାଇଟିସ୍ ରୋଗୀ, ହୃଦ୍ରୋଗ ପୀଡ଼ିତ, ବିବିଧ ରୋଗକ୍ରାନ୍ତ ବ୍ୟକ୍ତି, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଓ ୬୫ ବର୍ଷରୁ ବୟସ୍କଙ୍କୁ ପାଇଁ ଖୁବ୍ ଶୀଘ୍ର ସଂକ୍ରମିତ କରିଥାଏ। ଏମାନେ ଯଥାସମ୍ଭବ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଦରକାର। ଯଦି ଯିବା ଜରୁରୀ ମାକ୍ସ ଲଗାଇବା ସହ ସାନିଟାଇଜର ବ୍ୟବହାର କରିବା ଉଚିତ । 7ରୁ 10 ଦିନ ପର୍ଯ୍ୟନ୍ତ ଏହି ସଂକ୍ରମଣ ରହିଥାଏ। ବୟସ୍କଙ୍କ ଠାରେ ଏହି ସଂକ୍ରମଣ ବହୁ କମ୍। ଏହି ଭାଇରସ୍ ନୂଆ ନୁହେଁ । ଯଦି କେସ୍ ବଢିଲା ତେବେ ଏହା ବଡ ରୂପ ନିଏ। ଯେହେତୁ 5 ବର୍ଷ ତଳେ ଚୀନରୁ ଏକ ଭାଇରାସର ଉତ୍ପତ୍ତି ହୋଇ ବିଶ୍ବକୁ କବଳିତ କରିଥିଲା ତେଣୁ ଚୀନରେ ନୂଆ ଭାଇରସ ଉତ୍ପତ୍ତି ହେଲେ ଡର ଲାଗିବା ସ୍ବାଭାବିକ । କୋଭିଡ 19 ଭଳି କିଛି ସର୍ତକତା ଅବଲମ୍ବନ କଲେ ବିଶେଷ କ୍ଷତିକାରକ ହେବ ନାହିଁ । ଏହି ଭାଇରସକୁ ମୁକାବିଲା କରିବା ପାଇଁ କୌଣସି ମେଡିସିନ୍ ବାହାରି ନାହିଁ। ପିଲାମାନଙ୍କ ଠାରେ ସଂକ୍ରମଣ ରହୁଥିବାରୁ ଏହା ବ୍ୟାପିବା କମ । ଶୀତଦିନେ ସାଧାରଣତଃ ବିଭିନ୍ନ ଦେଶରେ ଭାଇରାସ ଉତ୍ପତ୍ତି ହୋଇଥାଏ । କେବଳ ସତର୍କତା ଓ ସଚେତନତା ଅବଲମ୍ବନ କଲେ ଆମେ ଭାଇରସକୁ ମୁକାବିଲା କରିପାରିବା’’ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ପ୍ରକାଶ ମିଶ୍ର ।
କର୍ଣ୍ଣାଟକରେ HMPV:
କର୍ଣ୍ଣାଟକ 2 ଓ ଗୁଜୁରାଟରୁ ଜଣେ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ ଜଣେ ୩ ମାସର ଶିଶୁ କନ୍ୟା ଓ ୮ ମାସର ଶିଶୁପୁତ୍ର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଚିହ୍ନଟ କରିଛି । ଏହାପରେ ଅହମ୍ମଦାବାଦ ଜଣେ ଜଣେ ଶିଶୁ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୋଟିଏ ଦିନରେ ଭାରତରେ 3 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଚଏମପିଭିର ଲକ୍ଷଣ:-
ସାଧାରଣ ଭାବରେ ଏହା ହାଲୁକା ଥଣ୍ଡାରୁ ଆରମ୍ଭ କରି ନିମୋନିଆ ଏବଂ ବ୍ରୋଙ୍କାଇଟିସ୍ ପରି ଗୁରୁତର ଫୁସ୍ଫୁସ୍ ସଂକ୍ରମଣ ପର୍ଯ୍ୟନ୍ତ ରୋଗର କାରଣ ହୋଇଥାଏ। ଏହି ଭାଇରସ୍ ମୁଖ୍ୟତଃ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ପିଲା ଓ ବୟସ୍କଙ୍କୁ ବେଶୀ ପ୍ରଭାବିତ କରିଥାଏ। ଏହି ଭାଇରସ ବିଶେଷ ଭାବରେ ସଂକ୍ରମିତଙ୍କ ଠାରେ କାଶ, ଜ୍ଵର, ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା ଓ ଶ୍ଵାସ ପ୍ରଶ୍ବାସରେ ସମସ୍ୟା ହେବା ସହ ସାଧାରଣ ଫ୍ଲୁ'ର ଲକ୍ଷଣ ଦେଖା ଦେଇଥାଏ। ଏହାକୁ ଟିକେ ଅବମାନନା କଲେ ସ୍ଥିତି ଗମ୍ଭୀର ହୋଇଯାଇପାରେ।
କିପରି ବ୍ୟାପେ HMPV ଭାଇରସ୍ ?
- କାଶ, ଛିଙ୍କ, ଛେପ ଦ୍ବାରା ଏଚ୍ଏମ୍ପିଭି ବ୍ୟାପିଥାଏ
- ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପେ
- ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ କିମ୍ବା କୌଣସି ଜିନିଷ ବ୍ୟବହାର କଲେ
- ଆକ୍ରାନ୍ତଙ୍କୁ ଛୁଇଁବା କିମ୍ବା ହାତ ମିଶାଇବା ଦ୍ବାରା ବ୍ୟାପେ
ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ନାହିଁ HMPV ଭୟ, ଜରୁରୀ ହେଲେ ବଢ଼ାଯିବ ଟେଷ୍ଟିଂ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଏହା ମଧ୍ୟ ପଢନ୍ତୁ: କେତେ ବିପଜ୍ଜନକ ଏଚ୍ଏମ୍ପିଭି ଭାଇରସ ? ଜାଣନ୍ତୁ ଡାକ୍ତରଙ୍କଠାରୁ
କେମିତି ଏଚଏମପିଭିରୁ ବର୍ତ୍ତିବେ ?
ସମ୍ବେଦନଶୀଳ ଲୋକଙ୍କୁ ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରଖିବା ଆବଶ୍ୟକ। ଏହା ସହ ସମସ୍ତ କୋଭିଡ ଗାଇଡ୍ ଲାଇନ୍ ପାଳନ କରିବା ଆବଶ୍ୟକ। ତା' ସହିତ ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପ୍ରୟାସ କରିବା ଆବଶ୍ୟକ। ଯଦି କୌଣସି ପିଲାଠାରେ ଏହି ରୋଗର ଲକ୍ଷଣ ଦେଖାଦିଏ, ତାକୁ କ୍ବାରେଣ୍ଟାଇନ୍ରେ ରଖିବାକୁ ଚେଷ୍ଟା କରନ୍ତୁ। ଅଧିକ କିଛି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ ।