ରାଉରକେଲା: ଇନଷ୍ଟାଗ୍ରାମରୁ ଗଢି ଉଠିଲା ପ୍ରେମ । ଦେଖା କରିବାକୁ ଡାକି ସାଙ୍ଗମାନଙ୍କ ସହ ମିଶି ପ୍ରେମିକା ସହ ଗଣଦୁଷ୍କର୍ମ କଲା ପ୍ରେମିକ। ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ନୂଆଗାଁ ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା । ପ୍ରେମିକାଙ୍କ ମାଆଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି 4 ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ 2 ଜଣ ନାବାଳକ ରହିଛନ୍ତି ।
ସୂଚନା ଅନୁଯାୟୀ, ରାଜଗାଙ୍ଗପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ନୂଆଗାଁ ବ୍ଲକ ମଣ୍ଡପ ଗାଁର ଜଣେ ଯୁବକଙ୍କ ଇନଷ୍ଟାଗ୍ରାମରେ ପରିଚୟ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଫେବ୍ରୁଆରୀ 9 ତାରିଖ ଦିନ ଚକୋଲେଟ ଡେ ଅବସରରେ ପ୍ରେମିକା ଜଣକ ପ୍ରେମିକଙ୍କୁ ଭେଟିବା ପାଇଁ 90 କିଲୋମିଟର ବସରେ ଯାତ୍ରା କରି ପ୍ରେମିକର ଗାଁରେ ପହଞ୍ଚିଥିଲେ ।
ସେଠାରେ ପ୍ରେମିକଙ୍କ ସହ ଭେଟ ହେବା ପରେ ପ୍ରେମିକ ଜଣଙ୍କ ଯୁବତୀଙ୍କୁ ଗ୍ରାମ ନିକଟରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା । ସେଠାରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଫୋନ ଯୋଗେ ନିଜର 3 ଜଣ ସାଙ୍ଗକୁ ଡାକିଥିଲା । ସାଙ୍ଗମାନେ ମଧ୍ୟ ସେଠାରେ ପହଞ୍ଚି ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ହେଲେ ଯୁବତୀ ଜଣକ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମାରପିଟ କରିବା ସହ ଜୋରଦବରଦସ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏହାମଧ୍ୟ ପଢନ୍ତୁ.. ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାର୍ ଗିରଫ
ଏନେଇ ଯୁବତୀ ଜଣକ ନିଜ ସମ୍ପର୍କୀୟ ମାମୁଙ୍କୁ ଖବର ଦେଇଥିଲେ । ପରେ ମାମୁ ଯୁବତୀଙ୍କ ପାଖରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣି ଯୁବତୀଙ୍କ ମାଆଙ୍କୁୁ ଖବର ଦେଇଥିଲେ । ଯୁବତୀଙ୍କ ମାଆ ବିଶ୍ରାଠାରେ ପହଞ୍ଚିବା ପରେ ବିଶ୍ରା ଥାନାର ଦ୍ୱାରସ୍ଥ ହେଇଥିଲେ । ବିଶ୍ରା ପୋଲିସ ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟରେ 2 ଜଣ ନାବାଳକ ଥିବା ଜଣାପଡିଛି ।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ୱ ଦୈନଦିନ ଜୀବନର ଆବଶ୍ୟକତାରେ ପରିଣତ ହେଇ ଗଲାଣି । କିନ୍ତୁ ଏହି ସୋସିଆଲ ମିଡିଆରୁ ସମ୍ପର୍କ ସ୍ଥାପନ ଅନେକ ସମୟରେ ବିପଦ ଆଡକୁ ଟାଣି ନେଉଛି । ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଯୁବପିଢି ସଚେତନ ହେଉନଥିବା ଦେଖିବାକୁ ମିଳୁଛି । ଏନେଇ ଯୁବପିଢିଙ୍କ ମଧ୍ୟରେ ସଚେତନ ହେବାର ଆବଶ୍ୟକ ରହିଛି ।
ଇଟିଭି ଭାରତ, ରାଉରକେଲା