ଭୁବନେଶ୍ବର: ଦେଶର ବେସାମରିକ ବିମାନ ସେବା କ୍ଷେତ୍ରକୁ ବାରମ୍ବାର ମିଳିବାରେ ଲାଗିଛି ଧମକ । ପ୍ରଭାବିତ ହେଉଛି ଯାତ୍ରୀସେବା । ବିମାନ ଚଳାଚଳରେ ସୃଷ୍ଟି ହେଉଛି ସାମୟିକ ଅଚଳାବସ୍ଥା । ନିକଟ ଅତୀତରେ ଏହି ସମ୍ପର୍କିତ ମାମଲା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଏହି ଉଦବେଗରୁ ଭୁବନେଶ୍ବରର ସ୍ଥିତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ଦୂରରେ ନାହିଁ । ଏପରି କିଛି ସ୍ଥିତି କାରଣରୁ ଗତ ଗୁରୁବାର ଦିନ ଭୁବନେଶ୍ବର ବିମାନ ବନ୍ଦର ପାଇଁ ଥିଲା ବେଶ୍ ଚ୍ୟାଲେଞ୍ଜର ଦିନ ।
- ବାତ୍ୟା ସଟଡାଉନ ପୂର୍ବରୁ ଆସିଲା ଧମକ:-
ବାତ୍ୟା ପାଇଁ ବିମାନ ସେବା ବନ୍ଦକୁ ଅଳ୍ପ ସମୟ ଥିବା ବେଳେ ଆସିଥିଲା ବୋମା ଆତଙ୍କ ମେସେଜ । ହେଲେ ନିଜ କଣ୍ଟିଜେନସି ପ୍ଲାନକୁ କାର୍ଯ୍ୟକାରୀ କରି ବମ୍ ଥ୍ରେଟ୍ ଆସେସମେଣ୍ଟ କମିଟି ଜରିଆରେ ଏହାର ଯାଞ୍ଚ କରାଯାଇଥିଲା । ପରେ ହୁଏତ ଏହା ମିଛ ମେସେଜ ଭାବେ ଜଣାପଡ଼ିଲା । ଯାହା ବର୍ତ୍ତମାନ ସମୟରେ ମୁଣ୍ଡବ୍ୟଥା ପାଲଟିଛି ଫୋନ୍ କଲ୍ ବଦଳରେ ଏକ୍ସ ଓ ଅନ୍ୟ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ । ଯାହାର ସୋର୍ସ ଟ୍ରାକ୍ କରିବା କାଠିକର ପାଠ ପାଲଟୁଛି ।
- ହୋକ୍ସ କଲ ବା ମେସେଜ କଣ :-
ହୋକ୍ସ କଲ ବା ମେସେଜ ଅର୍ଥ ‘ଫେକ କଲ’ । ଯାହା ଏକ କିଛି ଘଟଣା ଘଟାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହି କଲ ସିଧାସଳଖ ମୋବାଇଲ ମାଧ୍ୟମରେ ନଆସି ବିଶେଷ ଭାବରେ ଇ-ମେଲ କଲ ଏବଂ ସୋସିଆଲ ମିଡ଼ିଆରେ ମାଧ୍ୟମରେ ଆସିଥାଏ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ।
- ସୋସିଆଲ ମିଡିଆକୁ ଅପଣାଉଛନ୍ତି ଦୁର୍ବୃତ୍ତ :-
ଦାନା ବାତ୍ୟା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାର ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଥିବା ବେଳେ ବିମାନ ବନ୍ଦର ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ଆସିଥିଲା । ଅପରାହ୍ନ ୩ଟି ପାଖାପାଖି ହଠାତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଆସିଲା ବୋମା ଆତଙ୍କ ମେସେଜ । ଗୋଟାଏ ପଟେ ବାତ୍ୟା ରହିଥିବା ବେଳେ ଅନ୍ୟପଟେ ଥ୍ରେଟ୍ ମେସେଜ । ଯେଉଁ ଫ୍ଲାଇଟକୁ ଏହି ଧମକ ଆସିଥିଲା, ତାହା ବାତ୍ୟା ପାଇଁ ବିମାନ ସେବା ବନ୍ଦ ପୂର୍ବର ଶେଷ ବିମାନ ଥିଲା । ଯାହା ଅପରାହ୍ନ ୪.୩୦ରେ ଭୁବନେଶ୍ବରରୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଭରିବାର ଥିଲା ।
ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି," ବାତ୍ୟା ପୂର୍ବରୁ ଏହି ବିମାନ ନଉଡ଼ିଲେ, ଯାତ୍ରୀଙ୍କ ସମେତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଅସୁବିଧାରେ ପଡ଼ିଥାନ୍ତା । ହେଲେ ଏହାକୁ ଚ୍ୟାଲେଞ୍ଜ ପରି ନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଥିବା ବମ୍ ଥ୍ରେଟ୍ ଆସେସମେଣ୍ଟ କମିଟି ଯାଞ୍ଚ ଆରମ୍ଭ କରିଥିଲା । ଏଥିପାଇଁ ବିମାନ ବନ୍ଦରର ସମସ୍ତ ଅଂଶୀଦାରଙ୍କୁ ନେଇ ଯୁଦ୍ଧକାଳୀନ କାମ ଚାଲିଥିଲା । କାଳେ ମେସେଜରେ ସତ୍ୟତା ଥିବ, ସେଥିପାଇଁ ତତକ୍ଷଣାତ୍ ପହଞ୍ଚିଥିଲେ ସୁରକ୍ଷା ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ । ସେଫଟି ପ୍ରୋଟୋକଲ ଅନୁସାରେ ବିମାନ ଓ ବିମାନ ବନ୍ଦରରେ ଥିବା ବ୍ୟାଗ ପରି ଆସବାବପତ୍ରକୁ ପୁଣି ସ୍କାନିଂ କରାଗଲା । ବିମାନ ବନ୍ଦରରେ ପ୍ରତିବନ୍ଧକ ଯୋଗୁ ଯେପରି ଯାତ୍ରୀ ହଇରାଣ ନହୁଅନ୍ତୁ, ତାକୁ ଦୃଷ୍ଟିରେ ରଖି ଠିକ୍ ସମୟରେ କାମ ସରିଲା ଓ ନିର୍ଦ୍ଧାରିତ ସମୟରେ ବିମାନ ଉଡ଼ିଥିଲା ।’’
- ସେହିଦିନ ଝାରସୁଗୁଡ଼ା ବିମାନ ବନ୍ଦରକୁ ମଧ୍ୟ ଆସିଥିଲା ମେସେଜ:-
ତେବେ ଦେଶରେ ବିଭିନ୍ନ ସ୍ଥାନକୁ କଲ ଏଵଂ ମେସେଜ ଆସିଥିଲେ ମଧ୍ୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରକୁ ପ୍ରଥମ ଥର ପାଇଁ କଲ ଏବଂ ମେସେଜ ଆସିଥିଲା । ତେବେ କଥା ଏତିକିରେ ଅଟକି ନଥିଲା । ଭୁବନେଶ୍ବର ପରି ସେହି ସମୟରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ମଧ୍ୟ ଆସିଥିଲା ଏପରି ହୋକ୍ସ କଲ୍ ଏବଂ ମେସେଜ । ହେଲେ ସେଠାରେ ବି ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ବୋଲି କହିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ।
- ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ପ୍ରଥମ ଧମକପୂର୍ଣ୍ଣ କଲ:-
ଉଭୟ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଏହା ଥିଲା ପ୍ରଥମ ହୋକ୍ସ କଲ୍ ଏବଂ ମେସେଜ। ହେଲେ ଗତ ଏକ ସପ୍ତାହ ମଧ୍ୟରେ ସାରା ଦେଶରେ ବିମାନ ବନ୍ଦରକୁ ଏପରି ୭୦ରୁ ଅଧିକ ଧମକପୂର୍ଣ୍ଣ ଫୋନକଲ ଓ ମେସେଜ ଆସିଛି । ଏହି ହୋକ୍ସ କଲ୍ ଯୋଗୁଁ ବିମାନ ସେବା ସହ ଯାତ୍ରୀମାନେ ମଧ୍ୟ ବହୁ କ୍ଷତି ସହିଛନ୍ତି ।
- ସୋସିଆଲ ମିଡିଆରେ ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ମାର୍ଗଦର୍ଶିକା ଜାରି:-
ଭାରତରେ କାର୍ଯ୍ୟରତ ବିଭିନ୍ନ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ମିଳୁଥିବା ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ‘ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ’ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ପ୍ଲାଟଫର୍ମ ସମେତ ବିଭିନ୍ନ ସଂସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି । ଠିକ୍ ସମୟରେ ମିଥ୍ୟା ଧମକକୁ ଅପସାରଣ କରିବା, ଧମକ ସମ୍ପର୍କରେ ରିପୋର୍ଟ କରିବା । କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଏଥିରେ ଦିଆଯାଇଛି ନିର୍ଦେଶ । ‘ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ-୨୦୦୦’ ଏବଂ ‘ଆଇଟି ଆକ୍ଟ-୨୦୨୧’ ଅଧୀନରେ ପ୍ରୋଟୋକଲ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଉପଯୁକ୍ତ ଅନୁଧ୍ୟାନ ଆବଶ୍ୟକତାକୁ ଅନୁପାଳନ ନକଲେ ଧାରା-୭୯ ଅଧୀନରେ ସୁରକ୍ଷା ପ୍ରତ୍ୟାହାର କରାଯିବ। କୌଣସି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ‘ଆଇଟି ନିୟମ-୨୦୨୧’ ଅନୁଯାୟୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ଅନୁସନ୍ଧାନ ଏବଂ ସାଇବର ସୁରକ୍ଷାରେ ଅଧିକାରପ୍ରାପ୍ତ ସରକାରୀ ଏଜେନ୍ସିଗୁଡ଼ିକୁ ୭୨ଘଣ୍ଟା ପରେ ନୁହେଁ ବରଂ ଠିକ ସମୟରେ ସହାୟତା କରିବାକୁ ବାଧ୍ୟ ।
- ମିଥ୍ୟା ବୋମା ଧମକ ପାଇଁ ଦେଶର ଜନଶୃଙ୍ଖଳା ଓ ନିରାପତ୍ତା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି:-
କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶାବଳୀ କୁ ନେଇ କହିଛନ୍ତି ଯେ, ଏଭଳି ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ମିଥ୍ୟା ବୋମା ଧମକ ଦିଆଯିବା ଭଳି ମନ୍ଦ ଉଦ୍ଦେଶ୍ୟପୂର୍ଣ କାର୍ଯ୍ୟ ଯୋଗୁ ଦେଶର ଜନଶୃଙ୍ଖଳା ଓ ନିରାପତ୍ତା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି ହେଉଛି। ଏଭଳି ମିଥ୍ୟା ବୋମା ଧମକ ବହୁ ସଂଖ୍ୟକ ନାଗରିକଙ୍କୁ ପ୍ରଭାବିତ କରୁଥିବା ବେଳେ ଦେଶର ଆର୍ଥିକ ନିରାପତ୍ତାକୁ ମଧ୍ୟ ବିପନ୍ନ କରିଥାଏ। ଏହାବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଫରୱାର୍ଡ/ରି-ସେୟାରିଂ/ରି-ପୋଷ୍ଟି/ରି-ଟୁଇଟ୍ ବିକଳ୍ପ ଉପଲବ୍ଧ ଥିବାରୁ ଏଭଳି ମିଥ୍ୟା ବୋମା ଧମକ ଅତ୍ୟନ୍ତ ଅନିୟନ୍ତ୍ରିତ ଭାବେ ବ୍ୟାପୁଥିବା ଦେଖିବାକୁ ମିଳିଛି । ଏଭଳି ମିଥ୍ୟା ବୋମା ଧମକ ମୁଖ୍ୟତଃ ଭୁଲ ସୂଚନା ହୋଇଥିବା ବେଳେ ଏହା ଜନଶୃଙ୍ଖଳା, ବିମାନ ଚଳାଚଳ ଏବଂ ବିମାନ ଯାତ୍ରୀଙ୍କ ସୁରକ୍ଷାରେ ବ୍ୟାପକ ବାଧା ସୃଷ୍ଟି କରୁଛି ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।
- ଭୁଲ ସୂଚନାକୁ ତୁରନ୍ତ ହଟାଇବା:-
ମାର୍ଗଦର୍ଶିକା ଅନୁଯାୟୀ, ସୋସିଆଲ ମିଡିଆ ମଧ୍ୟସ୍ଥଙ୍କ ସମେତ ମଧ୍ୟସ୍ଥମାନେ ସେମାନଙ୍କର ଯଥେଷ୍ଟ ଦାୟିତ୍ବ ପାଳନ କରିବା ଉଚିତ । କଠୋର ସମୟସୀମା ମଧ୍ୟରେ ବୋମା ଧମକ ସମେତ ବେଆଇନ ସୂଚନାକୁ ଅକ୍ଷମ କିମ୍ବା ହଟାଇବା ଉଚିତ ବୋଲି ସ୍ପଷ୍ଟ କରିଛି ବିଭାଗ । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଅଧୀନରେ ଅପରାଧର ରିପୋଟିଂ, ଭାରତର ଏକତା, ଅଖଣ୍ଡତା, ସାର୍ବଭୌମତ୍ବ , ନିରାପତ୍ତା କିମ୍ବା ଆର୍ଥିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପ କିମ୍ବା କାର୍ଯ୍ୟ ବିଷୟରେ ରିପୋର୍ଟ କରିବା ଆବଶ୍ୟକ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।
- ସରକାରୀ ଏଜେନ୍ସିମାନଙ୍କ ସହିତ ସହଯୋଗ:-
ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ଅନୁସନ୍ଧାନ କିମ୍ବା ସାଇବର ସୁରକ୍ଷା ପ୍ରୟାସରେ ସାହାଯ୍ୟ କରିବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ଯରେ (ଯଥାସମ୍ଭବ, କିନ୍ତୁ ୭୨ ଘଣ୍ଟାରୁ ଅଧିକ ନୁହେଁ) କ୍ଷମତାପ୍ରାପ୍ତ ସରକାରୀ ଏଜେନ୍ସିଗୁଡ଼ିକୁ ପ୍ରାସଙ୍ଗିକ ସୂଚନା ଏବଂ ସହାୟତା ପ୍ରଦାନ କରିବା ଆବଶ୍ୟକ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର