ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ପଞ୍ଚସୂତ୍ରୀ କାର୍ଯ୍ୟାବଳୀ । ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ।
କ'ଣ ଏହି ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ?
- ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଓ ଅଧିକାରୀମାନେ ଡ୍ୟୁଟି ସମୟରେ କୌଣସି ମାଦକ ଦ୍ରବ୍ୟ ସହ ପାନ, ଗୁଟଖାର ବ୍ୟବହାର କରିବେ ନାହିଁ ।
- ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ଆଦୌ ବ୍ୟବହାର କରିପାରିବେ ନାହିଁ ।
- ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜର ସବୁ ସମ୍ପତ୍ତି ତାଲିକା ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା ବାଧ୍ୟତାମୂଳକ ଭାବେ ଦାଖଲ କରିବେ । ଏହା ନକଲେ ସେମାନଙ୍କର ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ । ଆବଶ୍ୟକ ପଡିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
- ପ୍ରତ୍ୟେକ ଶୁକ୍ରବାର ସମସ୍ତ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ । ପ୍ରତ୍ୟେକ ମାସ ତୃତୀୟ ସପ୍ତାହ ଶୁକ୍ରବାର ଦିନ ବରିଷ୍ଠ ଅଧିକାରୀମାନେ ଏହାର ସମୀକ୍ଷା କରିବେ ।
- ଦୁର୍ନୀତି ଅଭିଯୋଗ ଆସିଲେ ତଦନ୍ତ କରାଯାଇ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।
ବସିଲା ଶ୍ରୀମନ୍ଦିର ପ୍ରଶାସନ ବୈଠକ:
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ରାଜସ୍ୱ, ଭୂସମ୍ପତ୍ତି ଓ ମହାପ୍ରଭୁଙ୍କ ଜମିଜମା ସମସ୍ୟା, ଭକ୍ତଙ୍କ ଦାନ, ଖଣିଖାଦନରୁ ରାଜସ୍ୱ ବୃଦ୍ଧି ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ସ୍ୱଚ୍ଛତା ରକ୍ଷା ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି କହିଥିଲେ ମୁଖ୍ୟପ୍ରଶାସକ । ଦୁର୍ନୀତିରେ କିଏ ସମ୍ପୃକ୍ତ ରହିଥିବା ପ୍ରମାଣ ମିଳିଲେ ତଦନ୍ତ କରାଯିବ । ତଦନ୍ତରୁ ସତ ସାମ୍ନାକୁ ଆସିଲେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡିଲେ ଚାକିରିରୁ ବରଖାସ୍ତ କରାଯିବ ବୋଲି ଚରମବାଣୀ ଶୁଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
'ମହାପ୍ରଭୁଙ୍କ ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ ':
ସେ ଆହୁରି ମଧ୍ୟ କହିଛନ୍ତି," ମହାପ୍ରଭୁଙ୍କ ସମସ୍ତ ଭୂସମ୍ପତ୍ତିର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ ବିଭାଗର କାର୍ଯ୍ୟ କମ୍ପୁଟରୀକରଣ କରାଯିବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ମହାପ୍ରଭୁଙ୍କ ଖଣିଖାଦନରୁ ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି । ଚଳିତବର୍ଷ ପାଇଁ ରାଜସ୍ୱ ଟାର୍ଗେଟକୁ ଶ୍ରୀମନ୍ଦିର ପ୍ରଶାସନ ଅତିକ୍ରମ କରିଛି । ମହାପ୍ରଭୁଙ୍କ ଭୂସମ୍ପତ୍ତିର ଜମିଜମା ସମସ୍ୟା ଓ ଜନ ଅଭିଯୋଗ ଶୁଣାଣି ପାଇଁ SHREE SAMPATI.COM ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଅନଲାଇନ୍ ଡୋନେସନ୍ ବ୍ୟବସ୍ଥାକୁ ସୁଦୃଢ କରାଯିବ । ଶ୍ରୀମନ୍ଦିର ପ୍ରଶାସନର ସେଣ୍ଟ୍ରାଲ୍ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକ ତଥା ଗ୍ରନ୍ଥର ଡିଜିଟାଇଜେସନ କରାଯିବ ।"
'ମାର୍ଚ୍ଚ ୧୬ ସୁଦ୍ଧା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ':
ସେ ଏହା ମଧ୍ୟ କହିଛନ୍ତି," ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ନାଟମଣ୍ଡପରେ ଆସନ୍ତା ୨୦ ତାରିଖରୁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ କି ନାହିଁ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି । କାରଣ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ହୁଣ୍ଡି ଥିବାରୁ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଏବଂ ପରିଚାଳନା କମିଟି ପୁନର୍ଗଠନ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନିଆଯିବ । ସେହିପରି ଆସନ୍ତା ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହେବ । ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବା ପାଇଁ ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଲାଗୁ ହୋଇଛି । "
ପଞ୍ଚସୂତ୍ରୀ କାର୍ଯ୍ୟାବଳୀକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ :
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି," ଏହି ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ କୌଣସି ଭୁଲ ଓ ତ୍ରୁଟିକୁ ଧରିବା ପାଇଁ ଲାଗୁ କରାଯାଇନାହିଁ । କ'ଣ ସମସ୍ୟା ରହୁଛି ତାହାର ନିରାକରଣ ଓ ପ୍ରତ୍ୟେକ କର୍ମଚାରୀ ଉତ୍ତରଦାୟୀ ହେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଆମ କର୍ମଚାରୀଙ୍କ ପାଇଁ କିଛି ନିର୍ଦ୍ଦେଶନାମା ଓ ଅନୁରୋଧ ଜାରି କରିଛୁ । ଡ୍ୟୁଟି ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଶ୍ରୀମନ୍ଦିର ଭିତରେ କୌଣସି ପାନ, ଗୁଟଖା, ନିଶା ଦ୍ରବ୍ୟ ସେବନ କରିବେ ନାହିଁ । ସମସ୍ତ କର୍ମଚାରୀ ନିଜର ସମ୍ପତି ତାଲିକା ପ୍ରଦାନ କରିବେ । ଶ୍ରୀମନ୍ଦିର ଭିତରେ କେହି ମୋବାଇଲ୍ ବ୍ୟବହାର କରିବେ ନାହିଁ । ପ୍ରତ୍ୟେକ ଶୁକ୍ରବାର କର୍ମଚାରୀମାନେ ହସ୍ତତନ୍ତ ବସ୍ତ୍ର ପିନ୍ଧି ଆସିବେ । ଦୁର୍ନୀତି ଅଭିଯୋଗ ଆସିଲେ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଚାକିରିରୁ ବହିସ୍କାର କରାଯିବ ।"
ପଞ୍ଚସୂତ୍ରୀ କାର୍ଯ୍ୟାବଳୀକୁ ସ୍ବାଗତ କଲେ ଆଇନଜୀବୀ:
ପୁରୀ ସହରର ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି," ଶ୍ରୀମନ୍ଦିର ପ୍ରଶାସନ ପାଇଁ ଯେଉଁ ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଲାଗୁ କରିଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗତ 2019 ମସିହାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ନିୟମ ଲାଗୁ ହେବାକୁ ଯାଉଛି । ତାହା ସ୍ବାଗତ ଯୋଗ୍ୟ । ତେବେ ପୂର୍ବରୁ ଶ୍ରୀମନ୍ଦିର ପାଇଁ ଅନେକ ନିୟମ ହୋଇଥିବାବେଳେ ଏହାର ପ୍ରକୃତ କାର୍ଯ୍ୟକାରିତା ନାହିଁ । ଫଳରେ ଅନେକ ନିୟମ ଥିଲେ ମଧ୍ଯ ତାହା ଖୋଲାଖୋଲି ତାହା ଉଲଘଂନ ହେଉଛି । ଏଣୁ ଏହାକୁ କେବେଠାରୁ ପ୍ରକୃତରେ କାର୍ଯ୍ୟକାରୀ କରାଯିବ । ଶ୍ରୀମନ୍ଦିରକୁ ଅବାଧରେ ମୋବାଇଲ୍ ପ୍ରବେଶ ହେଉଥିବା ବେଳେ ଉପରେ ଡ୍ରୋନ ମଧ୍ଯ ଉଡୁଛି । ଅନେକ ସମୟରେ ଫଟୋ ଭାଇରାଲ ହେଉଛି । ଏହା ସବୁ ପ୍ରଶାସନର ଛତ୍ରଛାୟା ତଳେ ଘଟୁଛି । ଶ୍ରୀମନ୍ଦିରକୁ ଶୃଙ୍ଖଳିତ କରିବା ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କୁ ତୁରନ୍ତ ସରକାର ନିଯୁକ୍ତି ଦିଅନ୍ତୁ ।"
ପଞ୍ଚସୂତ୍ରୀ କାର୍ଯ୍ୟାବଳୀକୁ 'ହାସ୍ୟସ୍ପଦ' କହିଲା କଂଗ୍ରେସ:
ପୁରୀ ଜିଲ୍ଲା କଂଗ୍ରେସ ମୁଖପାତ୍ର ସ୍ଵାଧୀନ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି,"ଶ୍ରୀମନ୍ଦିରକୁ କେହି ମୋବାଇଲ୍ ନେବେ ନାହିଁ କି ପାନ ଗୁଟଖା ବ୍ୟବହାର କରିବେ ନାହିଁ ଯେଉଁ ନିୟମ ଲାଗୁ ହୋଇଛି, ତାହା କେବଳ ଏକ ହାସ୍ୟସ୍ପଦ କଥା । ଏହି ନିୟମ ବହୁ ପୂର୍ବରୁ ଲାଗୁ ହୋଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନାହିଁ । ନୂଆ ପଞ୍ଚସୂତ୍ର କାର୍ଯ୍ୟାବଳୀ କେତେ ଦୂର୍ କାର୍ଯ୍ୟକାରୀ ହେଉଛି । ତାହା ସନ୍ଦେହ ସୃଷ୍ଟି କରିଛି । "
ଇଟିଭି ଭାରତ, ପୁରୀ