ନିଆଳି: ବାପା ସାଜିଲା ବଇରୀ, କେଇଟା ଟଙ୍କା ପାଇଁ ଅଢେଇ ବର୍ଷର ପୁଅକୁ ପର ହାତକୁ ଟେକିଦେଲା ବାପା । ମାତ୍ର 5 ହଜାର ଟଙ୍କାରେ ନିଜ ପୁଅକୁ ବାପା ବିକ୍ରି କରି ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ସେହି ଟଙ୍କାରେ ସେ ମାଆର ଶ୍ରାଦ୍ଧବାର୍ଷିକ କରିଥିଲା କହିଛନ୍ତି । ଏଭିଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଅର୍ନ୍ତଗତ ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ । ଖବର ସାମ୍ନାକୁ ଆସିବା ପରେ ଶିଶୁପୁତ୍ରକୁ ବିକ୍ରି କରିଥିବା ନେଇ ନିଜ ସ୍ବିକାର କରିଛି ଅବିବେକି ବାପା ସୁକାନ୍ତ ସିଂ । ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ । ସେପଟେ ତଦନ୍ତ ଆରମ୍ଭ କରିଛି କଟକ ଜିଲ୍ଲା ଶିଶୁ ସୁରକ୍ଷା ଏବଂ ଶିଶୁ କଲ୍ୟାଣ ବିଭାଗର ତିନି ଜଣିଆ ଟିମ୍ ।
ମିଳିଥିବା ସୂଚନା ଅନୁସାରେଗତ 3 ବର୍ଷ ହେବ ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ସୁକାନ୍ତ ସିଂ ରହି ଆସୁଛନ୍ତି । ତାଙ୍କର ୬ ଜଣ ପିଲା ମଧ୍ୟ ରହିଛନ୍ତି। ଗତ ଦୁଇ ବର୍ଷ ତଳେ ସୁକାନ୍ତ ସିଂଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ସୁକାନ୍ତ ସିଂଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଦୁର୍ଗା ଦେବୀ ଅଞ୍ଚଳର ବୋଲି ନିଜେ ସୁକାନ୍ତ କହିଛନ୍ତି । ୬ ଜଣ ପିଲାଙ୍କ ମଧ୍ୟରୁ ଜଣଙ୍କର ବିବାହ ହୋଇଥିବା ବେଳେ 5 ଜଣ ତାଙ୍କ ପାଖରେ ରୁହନ୍ତି । ସେମାନଙ୍କ ମଧ୍ୟରି ସେ ସାନ ପୁଅଙ୍କୁ ପାଞ୍ଚ ହଜାର ଟଙ୍କାରେ ବିକ୍ରି କରିଦେଛନ୍ତି । ଗତ ତିନି ଦିନ ତଳେ ତିନି ଜଣ ମହିଳା ଓ କିଛି ପୁରୁଷ ଲୋକଙ୍କ ମଧସ୍ତି ମାଧ୍ୟମରେ ଅଢେଇ ବର୍ଷର ଶିଶୁପୁତ୍ରକୁ ବିକିଥିବା ନେଇ ସୁକାନ୍ତ ସିଂ ଗଣମାଧ୍ୟମକ ସମ୍ମୁଖରେ ସ୍ବିକାର କରିଛନ୍ତି । ସେହି ପାଞ୍ଚ ହଜାର ଟଙ୍କାକୁ ନିଜ ମା' ଶ୍ରାଦ୍ଧବାର୍ଷିକୀରେ ଟଙ୍କା ଖର୍ଚ୍ଚ କରିଥିବା ନେଇ ସେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ମରିଗଲା ମମତା, ନବଜାତ ଶିଶୁକୁ ବିକ୍ରି କରିଦେଲା ମାଆ - mother sold newborn baby
ସୁକାନ୍ତ ସିଂ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ପିଲା ମାନେ ବଜାର ଘାଟରେ ମାଗି ଯାଚି ଯାହା ମିଳେ ସେଥିରେ ପେଟ ପୁରୁଥିବା ସୁକାନ୍ତଙ୍କ ପୁଅ କହିଛନ୍ତି । ସାନ ଭାଇକୁ ତା'ର ବାପା ବିକ୍ରି କରିଥିବା ନେଇ ମଧ୍ୟ ଗଣମାଧ୍ୟମକୁ ସେ କହିଛନ୍ତି ।ନିଆଳି ଥାନା ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନିନ୍ଦା କରିବା ସହିତ ଶିଶୁପୁତ୍ରକୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି । ଏତି ସହ ତାର ବାପା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଏହି ପିଲା ବିକ୍ରିରେ ବଡ ରାକେଟ କାମ କରୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।
ଏନେଇ ଶିଶୁ ଅଧିକାର କର୍ମୀ ବେଣୁଧର ସେନାପତି କହିଛନ୍ତି, ''ନିଆଳିରେ ଏକ ପିଲାଙ୍କୁ 5 ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଆମକୁ ଖବର ମିଳିଛି । ଏହା ପରେ ଓସିପିସିଆରଙ୍କୁ ଜଣାଇଥିଲି । ସେ ଆକ୍ସନ ପ୍ଲାନ କରୁଛନ୍ତି । କଟକର ସିଡବ୍ଲୁସୁ ଓ ଡିସିପିଓଙ୍କୁ ମଧ୍ୟ ଅବଗତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଛନ୍ତି । ପିଲାଟିକୁ ଖୁବଶୀଘ୍ର ଉଦ୍ଧାର କରାଯିବ । ଅଭିଯୁକ୍ତର ନାମରେ ଏତଲା ମଧ୍ୟ ଦିଆଯିବ ।''
ଶିଶୁ ବିକ୍ରି ଘଟଣାର ତଦନ୍ତ ଆରମ୍ଭ:
ଆଜି କଟକରୁ ତିନି ଜଣିଆ ତଦନ୍ତକାରୀ ଟିମ୍ ନିଆଳି ପୋଲିସ ସହାୟତାରେ ମୁଣ୍ଡାସାହି ବସ୍ତିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସିଡିପିଓ ଏବଂ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ଜିଲ୍ଲା ସୁରକ୍ଷା ଅଧିକାରୀ ଏବଂ ଶିଶୁ କଲ୍ୟାଣ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ର ବିକ୍ରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବାପା ସୁକାନ୍ତ ସିଂର ୭ଟି ପିଲା ଥିବା ଜଣାପଡ଼ିଛି । ଗତ ଦୁଇ ବର୍ଷ ତଳେ ସୁକାନ୍ତଙ୍କ ସ୍ତ୍ରୀ ମୃତ୍ୟୁ ଘଟିଛି । ତେବେ ସୁକାନ୍ତ ଅନୁପସ୍ଥିତି ଥିବାରୁ ଶିଶୁପୁତ୍ରଟି ଏବେ କେଉଁଠି ଅଛି, ତାହା ଜଣାପଡ଼ି ନାହିଁ । ଘଟଣାର ତଦନ୍ତ ଜାରି ରହିଛି ।
ନିଆଳି, ଇଟିଭି ଭାରତ