ଫୁଲବାଣୀ (କନ୍ଧମାଳ): ରାଜ୍ୟରେ ଆଗକୁ ଆହୁରି ବ୍ୟାପକ ହେବ ନକ୍ସଲ ବିରୋଧୀ ଅପରେସନ । ଉଭୟ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମାଓ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ବ୍ୟାପକ ଅପରେସନ କରିବେ । ମାଓବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ମୂଳପୋଛ କରିବା ନେଇ ପୋଲିସ ଓ ବରିଷ୍ଠ ପଦାଧିକାରୀଙ୍କ ମିଳିତ ସମନ୍ୱୟ ବୈଠକ ପରେ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆ ଏହି ସୂଚନା ଦେଇଛନ୍ତି ।
- ଟାର୍ଗେଟ ପୂରଣ ଲକ୍ଷ୍ୟରେ କାମ କରିବ ପୋଲିସ: DGP
କନ୍ଧମାଳ ଜିଲ୍ଲା ସଦର ମହକୁମ୍ମା ଫୁଲବାଣୀରେ ପୋଲିସ ମୁଖ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଫୁଲବାଣୀ ଗସ୍ତ କରି ଏହି ମାଓ ମୁକାବିଲା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଆଗାମୀ ଦିନରେ ଏହି ଅପରେସନ ଅଧିକ ଗତିଶୀଳ ହେବା ସହ ଦିଆଯାଇଥିବା ଟାର୍ଗେଟ ପୂରଣ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିଜିପି ।
- ପୋଲିସ ସହ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରୀୟ ଫୋର୍ସ ଅଧିକାରୀ ସାମିଲ:-
ବୈଠକରେ କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ସମେତ, ସି.ଆର୍.ପି.ଏଫ୍ , ବି.ଏସ୍.ଏଫ୍ , ଆଇ.ବି ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଫୁଲବାଣୀ ଓ ବୌଦ୍ଧର ଜିଲ୍ଲାର ଡି.ଏଫ୍.ଓ , ବୌଦ୍ଧ ଉପଜିଲ୍ଲାପାଳ ଓ ବାଲିଗୁଡାର ଉପଜିଲ୍ଲାପାଳ ମାନେ ମଧ୍ୟ ଯୋଗଦେଇଥିଲେ ।
- ୨୦୨୬ ସୁଦ୍ଧା ମାଓମୁକ୍ତ ଭାରତ ଲକ୍ଷ୍ୟ
ବାମ ଉଗ୍ରବାଦ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟାର୍ଗେଟ ପ୍ଲାନ ପ୍ରସ୍ତୁତ କରିଛି । ୨୦୨୬ ମସିହା ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରୁ ନକ୍ସଲ ସମସ୍ୟାକୁ ସମାପ୍ତ କରିବାକୁ ସମୟ ସୀମା ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ଯୋରଦାର ଅଭିଯାନ ଆରମ୍ଭ ହୋଇଛି । ଏହି ସମୟ ସୀମା ମଧ୍ୟରେ ରାଜ୍ୟରୁ ନକ୍ସଲ ବିରୋଧୀ କାର୍ଯ୍ୟକଳାପକୁ ସମାପ୍ତ କରାଯିବା ଉପରେ ଡିଜିପି ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି ।
ଅତୀତରେ ମାଓବାଦୀ ମୁକାବିଲା କ୍ଷେତ୍ରରେ ରାଜ୍ୟ ପୋଲିସ ସକ୍ରିୟ ଭୁମିକା ଗ୍ରହଣ କରି ଆସିଛି । ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି । ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀ, କନ୍ଧମାଳ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ, କେନ୍ଦ୍ରୀୟ ଫୋର୍ସର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରଣ କରିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର