ନିମାପଡା : ସରକାରୀ ଅର୍ଥରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ଗୃହ ପାଲଟିଲାଣି ଭୂତକୋଠି । ଅନ୍ୟପଟେ ରାସ୍ତା ସଂପ୍ରସାରଣ ନାଁରେ ଚାଲିଛି ଦୋକାନ ଗୃହ ଉଛେଦ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ଜିଲ୍ଲାର ନିମାପଡା ଏନ.ଏ.ଏସି ଅଞ୍ଚଳରେ । ପୁରୀ ଜିଲ୍ଲା ନିମାପଡ଼ା ଏନ. ଏ .ସି. ପକ୍ଷରୁ ଗରିବ ବେକାରୀ ଯୁବକ ଓ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଏନ. ଏ. ସି. ପକ୍ଷରୁ ନିମାପଡ଼ା ନୂତନ ବସ୍ଷ୍ଟାଣ୍ଡଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରାଯାଇଛି । ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ନୂତନ ମାର୍କେଟ୍ କମ୍ପ୍ଲେକ୍ସ ଗୃହର ନିର୍ମାଣ ହୋଇଥିଲା । ଏଥିରେ ୧୬ ବଖରା ବିଶିଷ୍ଟ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ୩୧ ଅଗଷ୍ଟ ୨୦୨୨ ରେ ସ୍ବାୟତ୍ତଶାସନ ଦିବସ ଅବସରରେ ପୂର୍ବତନ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ସମୀର ରଞ୍ଜନ ଦାସ ଏହାକୁ ଉଦ୍ଘାଟନ କରିଥିଲେ । ବସ୍ଷ୍ଟାଣ୍ଡ ଠାରେ ନବନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସ ଗୃହ ଉଦ୍ଘାଟନର ୧୬ ମାସ ବିତିଯାଇଥିଲେ ମଧ୍ୟ ବ୍ୟବସାୟୀଙ୍କୁ ଆଜି ପର୍ଯ୍ୟନ୍ତ ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଆବଣ୍ଟନ କରାଯାଇନାହିଁ ।
ସେହିପରି ଏନ.ଏ.ସି ପକ୍ଷରୁ ପୂର୍ତ୍ତ ବିଭାଗ ଅଫିସ ଛକ, ଡେଲ୍ଟା ଛକଠାରେ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ୧୮ ବଖରା ବିଶିଷ୍ଟ ନୂତନ ଭେଣ୍ଡିଂ ଜୋନ୍ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇ ୩୧ ଅଗଷ୍ଟ ୨୦୨୩ ରେ ସ୍ବାୟତ୍ତ ଶାସନ ଦିବସରେ ଏହାର ଉଦ୍ଘାଟନ କରାଯାଇଥିଲା । କିନ୍ତୁ ଏହାର ଆବଣ୍ଟନ କରାଯାଇନାହିଁ । ଦୁଇ ଦୁଇଟି ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଙ୍ଗ ଜୋନ ଉଦ୍ଘାଟିତ ହୋଇଥିଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସିପାରି ନାହିଁ । ଏହି ଦୋକାନ ଗୃହ ଗୁଡିକର ବଣ୍ଟନ କରାଯିବାରେ କାହିଁକି ଅହେତୁକ ବିଳମ୍ବ ଘଟୁଛି, କେବେ ଏହି ଗୃହ ବଣ୍ଟନ ହେବ, ବ୍ୟବସାୟୀ ଏହାର ସୁଫଳ କେବେ ପାଇବେ ତାହା ପୌରବାସୀଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ନିମାପଡା ତଳ ଅଣ୍ଟିଆ ଛକ ଠାରୁ କୁଶଭଦ୍ରା ନଦୀ ବ୍ରିଜ ପର୍ଯ୍ୟନ୍ତ ୪ ଲାଇନ ରାସ୍ତା ସଂପ୍ରସାରଣ ପାଇଁ ଦୁଇ ପାର୍ଶ୍ଵରେ ଥୁବା କୋଠାଘର, କ୍ୟାବିନ, ଆଜବେଷ୍ଟସ ଘର ଭଙ୍ଗା ଜାରି ରହିଛି । ଶହ ଶହ ବ୍ୟବସାୟୀ ଦୀର୍ଘଦିନ ଧରି କ୍ୟାବିନ, ଉଠାଦୋକାନ କରି ନିଜ ନିଜର ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଏନ୍ଏସି ପ୍ରଶାସନ ସେମାନଙ୍କ ପାଇଁ ଆଗୁଆ ଥଇଥାନର ବ୍ୟବସ୍ଥା ନ କରି ଉଚ୍ଛେଦ କରିବାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।
ଏହା ମଧ୍ୟ ପଢନ୍ତୁ ... ପୂର୍ବ ଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ରଣକ୍ଷେତ୍ର ପାଲଟିଲା ଖଣ୍ଡଗିରି ନୂଆ ରୋଡ
ଏପରିକି ଏନଏସି ଗଠନ କୁ ୫୦ ବର୍ଷ ପୂରିଥିଲେ ସୁଦ୍ଧା ଆଜି ବି ନିମାପଡା ପୌରବାସୀମାନେ ସେମାନଙ୍କ ମୌଳିକ ସୁଵିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି । ବିଶେଷ କରି ଅଣ୍ଡିଆ,ପାଟପୁର ମୌଜା ଜମି ଚକବନ୍ଦୀରେ ଜମିଜମା ମାମଲାର ଫଇସଲା ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ । ଫଳରେ ଏହି 2 ମୌଜା ବାସିନ୍ଦା ନିଜ ନିଜର ଜମି ପଟା ପାଇବାରୁ ବଞ୍ଚିତ ହୋଇଥିବାରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଆବଶ୍ୟକ ପ୍ରମାଣ ପତ୍ର ପାଇପାରୁନଥିବା ବେଳେ ଗରିବ ପରିବାର ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ କହିଛନ୍ତି ଯେ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଙ୍ଗ ଜୋନ୍ ଦୋକାନ ଗୃହଗୁଡ଼ିକ ଆଲଟମେଣ୍ଟ୍ ପ୍ରକ୍ରିୟା ଜାରି ରହିଛି । ଖୁବ୍ଶୀଘ୍ର ମାର୍କେଟ୍ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ ଗୃହ ବଣ୍ଟନ କରାଯିବ ।
ଇଟିଭି ଭାରତ, ନିମାପଡା