କୋରାପୁଟ: ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପାଳନ ହେଉଛି ପ୍ରବେଶ ଉତ୍ସବ । ନୂତନ ଭାବେ ନାମ ଲେଖାଉ ଥିବା ପିଲାମାନଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପୁରାତନ ଛାତ୍ରଛାତ୍ରୀମାନେ ଫୁଲ ତୋଡା ଦେଇ, ଚିତା ଚନ୍ଦନ ଦେଇ ବିଦ୍ୟାଳୟକୁ ସ୍ୱାଗତ କରିଛନ୍ତି । ଏପ୍ରିଲ 2 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରବେଶ ଉତ୍ସବ ପାଳନ ହେବ । ଅନ୍ୟପଟେ ନାମ ଲେଖା ବୟସକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ 5ରୁ 7 ବର୍ଷ ମଧ୍ୟରେ ପିଲାଙ୍କ ନାମ ପ୍ରଥମ ଶ୍ରେଣୀରେ ଲେଖାଯାଇପାରିବ । ହେଲେ କେନ୍ଦ୍ରୀୟ ତଥା ଆଦର୍ଶନ ବିଦ୍ୟାଳୟରେ ନାମ ଲେଖା ବୟସ 6 ହୋଇଥିବା ବେଳେ ଭବିଷ୍ୟତରେ ପିଲାମାନଙ୍କ ପାଇଁ ସମସ୍ୟା ଉପୁଜିପାରେ ।
ବିଦ୍ୟାଳୟ ଗୁଡିକରେ ଆରମ୍ଭ ହୋଇଯାଇଛି ନାମ ଲେଖା ପ୍ରକ୍ରିୟା । ନୂତନ ପୁସ୍ତକ ଆସି ପହଞ୍ଚି ସାରିଥିବା ଯୋଗୁଁ ପ୍ରବେଶ ହେବା ମାତ୍ରକେ ପିଲାଙ୍କୁ ନୂତନ ପୁସ୍ତକ ପ୍ରଦାନ କରାଯାଉଛି । ତେବେ ରାଜ୍ୟ ସରକାରଙ୍କ ଲିଖିତ ନିର୍ଦ୍ଦେଶ ଅଭାବରୁ ପ୍ରଥମ ଶ୍ରେଣୀରେ ନାମ ଲେଖା ବୟସକୁ ନେଇ ଦ୍ଵନ୍ଦ୍ୱ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଗି ରହିଛି । ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ 5 ବର୍ଷରୁ 7 ବର୍ଷର ପିଲାମାନଙ୍କ ନାଁ ପ୍ରଥମ ଶ୍ରେଣୀରେ ଲେଖାଯାଉଛି ।
ସରକାରଙ୍କ ନିର୍ଦ୍ଦେଶ ଅଭାବରୁ ପୁରାତନ ଚିଠିକୁ ଆଧାର କରି 5 ବର୍ଷରୁ 7 ବର୍ଷ ମଧ୍ୟରେ ହୋଇଥିବା ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଗ୍ରହଣ କରାଯାଉଥିବା କୋରାପୁଟ ମାଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାକର ସେଠି ଜଣାଇଛନ୍ତି । ଯଦି 5 ବର୍ଷ କିମ୍ବା 7 ବର୍ଷର ପିଲାଙ୍କ ନାଁରେ ପ୍ରଥମ ଶ୍ରେଣୀରେ ଲେଖାଯାଏ ତେବେ ସେମାନେ ପରବର୍ତ୍ତୀ ଶ୍ରେଣୀରେ ଯଦି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହିଁବେ ତେବେ ବୟସ ଯୋଗୁଁ ଏଥିରେ ସମସ୍ୟା ଦେଖାଯିବ । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଶିକ୍ଷକମାନେ ।
ତେବେ ଭବିଷ୍ୟତରେ ପିଲାମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିୟମକୁ ମାନି ଛଅ ବର୍ଷ ବୟସରେ ନାମ ଲେଖାଯାଉଥିବା କହିଛନ୍ତି ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ହରିହର ସାହୁ । ସେହିଭଳି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୋ ମଧ୍ୟ ସମାନ କଥା କହିଛନ୍ତି ।
ଅପରପକ୍ଷରେ କେତେକ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିବା କାରଣରୁ ଭବିଷ୍ୟତରେ ପିଲାମାନେ ଏହି ବୟସର ଦ୍ଵନ୍ଦ୍ୱ ମଧ୍ୟରେ ଅସୁବିଧାରେ ପଡିବାର ସମ୍ଭାବନା ରହିଛି ବୋଲି ଅବସରପ୍ରାପ୍ତ ଶିକ୍ଷାଧିକାରୀ ଶିବ ଶଙ୍କର ପଟ୍ଟନାୟକ କହିଛନ୍ତି । ଆଉମଧ୍ୟ ବୟସ ନେଇ ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିନଥିଲେ ମଧ୍ୟ ପୂର୍ବ ନିର୍ଦ୍ଦେଶ ମୁତାବକ ପିଲାଙ୍କ ନାମ ପ୍ରଥମ ଶ୍ରେଣୀରେ ଲେଖାଇବା କଥା ବୋଲି ଜିଲ୍ଲା ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି ।
କୋରାପୁଟ, ଇଟିଭି ଭାରତ