ଭୁବନେଶ୍ବର: ଧୁ ଧୁ ଖରାରୁ ଆସି ମାଟି ସୁରେଇରୁ ପାଣି ଗିଲାସେ ପିଇଦେଲେ ଓଃ କି ଶାନ୍ତି । ଲାଗେ ଯେମିତି ଆତ୍ମତୃପ୍ତି ହୋଇଯାଏ । ଖରାଦିନ ଆସିଲେ ସୁରେଇର ଖୋଜାପଡେ । ହେଲେ ଆଜିର ଆଧୁନିକତା ଛାପ ମଧ୍ୟରେ ଲୋକେ ଫ୍ରିଜ, କୁଲର ଓ ଏସି ଠାରୁ ଦୂରେଇ ମାଟି ପାତ୍ର ବ୍ୟବହାର କରିବା ପାଇଁ ଫୁରସତ ପାଉନାହାନ୍ତି । ଏବେର ଯୁଗରେ ଧିରେ ଧିରେ ଲୋକେ ପ୍ରକୃତିଠାରୁ ଅଧିକ ଦୂରେଇ ଯାଉଛନ୍ତି । କେବଳ ଯେ, ପ୍ରକୃତିଠାରୁ ଦୂରେଇ ଯାଉଛନ୍ତି ତାହା ନୁହେଁ ମଣିଷ ସେହି ଜିନିଷଗୁଡ଼ିକରୁ ଦୂରେଇ ଯାଇଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ସେମିତି ବି କହି ହେବନି ଯେ, ସବୁ ମଣିଷ ପ୍ରାକୃତିକ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି । ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଏବେବି ମାଟି ହାଣ୍ଡି, ମାଟି ସୁରେଇ ଓ ମାଟିରୁ ପ୍ରସ୍ତୁତ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ସେଥିପାଇଁ ତ ମାଟି କାରିଗର ଆଜି ସେମାନଙ୍କ ଜୀବିକାକୁ ଜୀବିତ କରି ରଖିଛନ୍ତି ।
ମୁଣ୍ଡଫଟା ଖରା ଓ ଅସହ୍ୟ ଗରମ ସମୟରେ ମନ ଖୋଜି ଥାଏ ଟିକେ ଥଣ୍ଡା ପାଣି । କେବଳ ଫ୍ରିଜ ପାଣି ନୁହେଁ ଏବେ ଗରମ ଦିନରେ ଖୋଜା ପଡୁଛି ମାଟି ସୁରେଇ ପାଣି । ଆଜିବି ମାଟି ସୁରେଇର ଚାହିଦା ରହିଛି । ଲୋକଙ୍କ ଆଧୁନିକତା ଛାପ ମଧ୍ୟରେ ଯଦିଓ କିଛି ଲୋକ ମାଟି ପାତ୍ର ବ୍ୟବହାର କରୁନାହାନ୍ତି । କିନ୍ତୁ ଏବେବି ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଅନେକ ଲୋକ ମାଟି ସୁରେଇ ପସନ୍ଦ କରିଥାନ୍ତି । ପୂର୍ବରୁ ଘରେ ଘରେ ମାଟି ପାତ୍ରରେ ପାଣି ରଖିବା ଏକ ସାଧାରଣ କଥା ଥିଲା । କିନ୍ତୁ ଆଜି ଦିନରେ ଫ୍ରିଜ୍ ଓ ଆକ୍ୱାଗାର୍ଡ ସହ ଅନେକ ଲୋକ ମାଟି ପାତ୍ରକୁ ଅପାଣାଉଛନ୍ତି । ଯାହା ଗରମ ସମୟରେ ପାଣି ପାଇବା ଏକ ପ୍ରକାରର ଅମୃତ ସେବନ ଭଳି ଅନୁଭବ ହେଇଥାଏ । ଆଉ ଏବେ ଖରାଦିନ ଚାଲିଥିବା ବେଳେ ମାଟି ସୁରେଇର ମଧ୍ୟ ଚାହିଦା ବଢ଼ିଛି ।
ଏନେଇ ମାଟି ପାତ୍ର ପ୍ରସ୍ତୁତ କରୁଥିବା କୁମ୍ଭାର ଧନଞ୍ଜୟ ମୁଦୁଲି କହିଛନ୍ତି ଯେ, ଦିନକୁ ଦିନ ମାଟି ପାତ୍ରର ଚାହିଦା ବୃଦ୍ଧି ପାଉଛି । କିନ୍ତୁ ଏପଟେ ମାଟି ସମସ୍ୟା ରହିଛି । ଅନେକ ସମୟରେ ମାଟି ପାତ୍ର ପ୍ରସ୍ତୁତ କରାଯାଉଥିବା ମାଟି ମିଳିବା କଷ୍ଟକର ହୋଇପଡୁଛି । ଘରେ ଘରେ ଫ୍ରିଜ ଏବଂ ଆକ୍ୱାଗାର୍ଡ ରହିଥିଲେ ମଧ୍ୟ ମାଟି ପାତ୍ରକୁ ଅଧିକ ପସନ୍ଦ କରୁଛନ୍ତି । ଏଥିରୁ ପାଣି ପାଇବା ଦ୍ଵାରା ଅନେକ ସମୟରେ ନିରୋଗ ହେବାର ସମ୍ଭାବନା ରହିଥାଏ । ବିଶେଷ ଭାବରେ ମାଟି ସୂରେଇ, ଜଗ, ମାଟି ପାଣି ବୋତଲ ଆଦି ପ୍ରସ୍ତୁତ କରି ରଖାଯାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବିକ୍ରି କରାଯାଉଛି ।
ସେହିପରି କାରିଗର ସନ୍ତୋଷ ମୁଦୁଲି କହିଛନ୍ତି ଯେ, ଫ୍ରିଜ ପାଣି ପିଇବା ଦ୍ଵାରା ଶରୀର ଅସୁସ୍ଥ ହେବାର ସମ୍ଭାବନା ରହିଛି । ମାଟି ପାତ୍ରର ପାଣି ପିଇବା ନିରୋଗ ଅଟେ । ସମସ୍ତ ଶ୍ରେଣୀର ଲୋକମାନେ ମାଟି ପାତ୍ର ନେଉଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅର୍ଡର ଆସୁଛି । ମାଟି ଅଭାବରୁ ଠିକ ସମୟରେ ବନେଇବା କଷ୍ଟକର ହୋଇପଡ଼ୁଛି । ଅନ୍ୟପକ୍ଷେ ଆଉ ଜଣେ କାରିଗର ମଞ୍ଜର ରଣା କହିଛନ୍ତି ଯେ, ଗାଁ ଠାରୁ ସହର ପର୍ଯ୍ୟନ୍ତ ମାଟି ପାତ୍ରର ଚାହିଦା ରହିଛି । ଗୋଟିଏ ଦିନରେ ପାଖାପାଖି ୧୦ଟି ମାଟି ପାତ୍ର ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି କାରିଗର ।
ଇଟିଭି ଭାରତ, ଭୁବନେଶ୍ବର