ଭୁବନେଶ୍ୱର: ଆଜି ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ନୂତନ ଆଲୋକବର୍ତ୍ତିକା ସୃଷ୍ଟି ହୋଇଛି । ଭର୍ଚ୍ଚୁଆଲ ମୋଡ଼ରେ ମାଲକିନଗିରି ଜିଲ୍ଲାର ବଡପଡାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଶିକ୍ଷା ସୌଧ ଉଦଘାଟନ କରିଛନ୍ତି । ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ (ଦ୍ୱାଦଶ ଶ୍ରେଣୀ) ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ ।
୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୧,୦୦୦ ରୁ ଅଧିକ ପିଲା ପାଠ ପଢିବେ । ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି । ସ୍ମାର୍ଟ କ୍ଲାସ ରୁମ, ୩ ହଜାର ପୁସ୍ତକ ବିଶିଷ୍ଟ ଇ-ଲାଇବ୍ରେରୀ, ଟ୍ରାଇବାଲ କର୍ଣ୍ଣର, କୁନି ପିଲାଙ୍କ ଆକ୍ଟିଭିଟି ରୁମ, ଏନ.ସି.ସି. ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ଆଇସିଟି ସ୍ମାର୍ଟ ଲର୍ଣ୍ଣିଙ୍ଗ ସେଣ୍ଟର, ବିଜ୍ଞାନ ପରୀକ୍ଷାଗାର, ୨୦୦ ଆସନ ବିଶିଷ୍ଟ ଛାତ୍ରାବାସ, ୫୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ, ଆମ୍ପିଥିଏଟର, ସୁଦୃଶ୍ୟ ବଗିଚା, ସ୍ପୋର୍ଟ କୋର୍ଟ୍ସ, ଜିମ, ସୋଲାର ଲାଇଟିଂ, ସୋଲାର ୱାର୍ଟର ସପ୍ଲାଏ, Water Harvesting System ଭଳି ଆହୁରି ଅନେକ ସୁବିଧା ରହିଛି ।
ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହିଆସିଛି । ଟଙ୍କିକିଆ ଚାଉଳ ହେଉ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ବା ଲକ୍ଷ୍ମୀ ଯୋଜନା ହେଉ ସବୁ କାର୍ଯ୍ୟକ୍ରମ ମୁଁ ପ୍ରଥମେ ଏହିଠାରୁ ହିଁ ଆରମ୍ଭ କରିଆସିଛି । ବଡପଡା ଶିକ୍ଷା ସୌଧ ପାଇଁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନଙ୍କ ପାଠ ପଢାର ସୁବିଧା ତଥା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ଗଢାଯାଇଛି । ଏହି ସବୁ ସୁବିଧା ସହରର କୌଣସି ଆଧୁନିକ ଶିକ୍ଷା ଅନୁଷ୍ଠାନର ସୁବିଧାଠାରୁ କମ୍ ନୁହେଁ । ତେବେ ସ୍ୱାଭିମାନ ଅଞ୍ଚଳର ପିଲାମାନେ ଏହାର ସୁଯୋଗ ନେଇ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତି ।
ଏଥିସହ ମୁଖ୍ୟମନ୍ତ୍ରୀ ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଶିକ୍ଷା ସୌଧରେ ଥିବା ସମସ୍ତ ସୁବିଧାର ଉପଯୋଗ କରି ନିଜର ପ୍ରତିଭାର ବିକାଶ ପାଇଁ କାମ କରିବାକୁ ଏବଂ ନିଜ ପରିବାର, ନିଜ ସ୍କୁଲ ଓ ନିଜ ଗାଁ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ ।
ଶେଷରେ ପିଲାଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫-ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ମନରେ ବଡ ହେବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିଛି । ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ପାଠପଢାଠାରୁ ଖେଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି । ସେପଟେ କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଯୋଗଦେଇ କହିଛନ୍ତି ଯେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ଯୁବଗୋଷ୍ଠୀ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ମାଲକାନଗିରିରୁ ହିଁ କରାଯାଇଛି । ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ସେତୁ ଯୋଜନାର ପରିକଳ୍ପନା ଜରିଆରେ ଅଞ୍ଚଳରେ ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମିର ବିକାଶ ହୋଇପାରିଛି । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ ସଭାପତି ସମାରୀ ଟାଙ୍ଗୁଲୁ ଏହି ଶିକ୍ଷା ସୌଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ 5T ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ଉଦ୍ୟମକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି
ଇଟିଭି ଭାରତ, ଭୁବନେଶ୍ୱର