ମାଉଳି ଭୈରବ ମନ୍ଦିରର ନିଆରା ଚୈତ୍ର ଯାତ୍ରା, 10 ଦିନ ହୁଏନି ହଳ ଲଙ୍ଗଳ - Chaitra festival - CHAITRA FESTIVAL
Chaitra festival: ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାଉଳି ଭୈରବ ମନ୍ଦିରରେ ମାଉଳି ମା'ଙ୍କ ଚୈତ୍ର ଯାତ୍ରା ଆରମ୍ଭ । ଅଣ୍ଡା ବିନ୍ଧା କାର୍ଯ୍ୟକ୍ରମ ସମ୍ପନ୍ନ ପରେ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ
Published : Apr 14, 2024, 1:47 PM IST
କୋରାପୁଟ: ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାଉଳି ଭୈରବ ମନ୍ଦିରରେ ମା'ଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି । ଗାଁ ମୁଣ୍ଡରେ ଥିବା ନିଶାଣୀ ମୁଣ୍ଡାରେ ପୂଜାର୍ଚନା କରିବା ପରେ ଗ୍ରାମବାସୀ ପାରମ୍ପରିକ ବାଜାବାଜେଣି ସହିତ ଅଣ୍ଡା ବିନ୍ଧା କାର୍ଯ୍ୟକ୍ରମ ସମ୍ପନ୍ନ କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଲୋକକଥା ଅନୁଯାୟୀ, ତିନିଥର ମଧ୍ୟରେ ଅଦୂରରେ ରଖାଯାଇଥିବା ଅଣ୍ଡାକୁ ଶର ବିନ୍ଧିବାରେ ସଫଳ ହେଲେ ଅଞ୍ଚଳବାସୀଙ୍କ ପାଇଁ ଶୁଭ ସୂଚନା ବୋଲି ବିଶ୍ୱାସ ରହିଛି । ତେବେ ଚଳିତ ଥର ତାହା ସମ୍ଭବ ହୋଇପାରିଥିବା ଯୋଗୁଁ ଗ୍ରାମବାସୀ ଖୁସି ଅନୁଭବ କରିଛନ୍ତି ।
ଅଣ୍ଡା ବିନ୍ଧା ସରିବା ପରେ ଭକ୍ତମାନେ ମାଉଳିମା ମନ୍ଦିରରେ ପୂଜାର୍ଚ୍ଚନା କରି ବଡ ବେଣ୍ଟ ଯାତ୍ରା ପାଇଁ ଅସ୍ତ୍ରଶସ୍ତ୍ରକୁ ପୂଜା କରିଛନ୍ତି । ସେହିପରି ମନ୍ଦିରରେ ଦେବୀଙ୍କ ନିକଟରେ ମାନସିକ ରଖି ସୁସ୍ଥ ହୋଇଥିବା ଲୋକେ ଦୂର ଦୁରାନ୍ତ ଗ୍ରାମରୁ ଆସି ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ତେବେ ଆସନ୍ତା ୧୦ ଦିନ ଧରି ଗ୍ରାମବାସୀ ମାଟିରେ ହଳ ଲଙ୍ଗଳ ଚଳାଉ ନ ଥିବା ବେଳେ ଗାଁ ଯୁବକମାନେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥାନ୍ତି । ଶିକାର ଯାତ୍ରାର ଫଳ ସ୍ୱରୂପ ଯେ କୌଣସି ପଶୁକୁ ଶିକାର କରି ଫେରିବା ପରେ ଗାଁର ଯୁବତୀମାନେ ସେମାନଙ୍କୁ ଗାଁ ଭିତରକୁ ସସମ୍ମାନେ ପାଛୋଟି ଆଣିବାର ପରମ୍ପରା ରହିଛି ।
ଏହା ମଧ୍ୟ ପଢନ୍ତୁ-ମା' ଶାରଳାଙ୍କ ପୀଠରେ ଚୈତ୍ର ଘଟ ଯାତ୍ରା ଆରମ୍ଭ, ଦୁଲୁକୁଛି ଜଗତସିଂହପୁର
ଏହା ମଧ୍ୟ ପଢନ୍ତୁ-ମୟୂରଭଞ୍ଜରେ ଆରମ୍ଭ ପ୍ରସିଦ୍ଧ ଚୈତ୍ର ପର୍ବ, ବୀର ବାଦ୍ୟର ତାଳେ ତାଳେ ଦୁଲୁକିଲା ମଞ୍ଚ
ସେହିପରି ସମ୍ପୂର୍ଣ୍ଣ ରୂପେ ଇଟାରେ ନିର୍ମିତ ମାଉଳିମା ମନ୍ଦିରକୁ ସ୍ୱୟଂ ବିଶ୍ଵକର୍ମା ନିର୍ମାଣ କରିଥିବାର ଲୋକକଥା ରହିଛି । କିନ୍ତୁ ସ୍ଥାନୀୟ ପ୍ରଶାସନ, ସଂସ୍କୃତି ବିଭାଗ ଓ ଜନ ପ୍ରତିନିଧି କୋରାପୁଟ ଜିଲ୍ଲାର ଏପରି ଏକ ଐତିହ୍ୟ ସମ୍ପନ୍ନ କୀର୍ତିରାଜିର ରକ୍ଷଣାବେକ୍ଷଣ ଦିଗରେ ନିର୍ଲିପ୍ତତା ଓ ଦୂରଦୃଷ୍ଟି ଅଭାବରୁ ଶହ ଶହ ବର୍ଷ ଧରି ଇଟା ମନ୍ଦିର ଭାବେ ଶୋଭା ପାଉଥିବା ଏହି ମନ୍ଦିରରେ ସିମେଣ୍ଟ ଲେପି ଦିଆଯାଇ ଏହାର ଐତିହାସିକ ଗୁରୁତ୍ଵକୁ ହ୍ରାସ କରି ଦିଆଯାଇଥିବା ଯୋଗୁଁ ଯାତ୍ରାରେ ସାମିଲ ହେବାକୁ ଆସିଥିବା ଭକ୍ତମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ